ବରୀର ଆଉ ଜଣେ ସୁନନ୍ଦା ଦଶନ୍ଧି ଧରି ଟିକେଟ ପାଇଁ କରି ଆସୁଛନ୍ତି ଲବି


 ଯାଜପୁର : ବରୀକୁ ନେଇ ସସପେନ୍ସ ଲାଗି ରହିଛି । ବିଜୁ ଜନତା ଦଳ ହେଉ କି ବିଜେପି ବରୀରୁ କାହାକୁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେପି ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରିଥିଲେ ହେଁ ବରୀକୁ ବାଦ୍ ଦେଇଥିଲା । 
ସେହିଭଳି ଆଜି ବିଜେଡ଼ି ପକ୍ଷରୁ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ହେଁ ବରୀ ତାଲିକା ପ୍ରକାଶ କରିନି । ବିଜେଡ଼ି ବିଜେପିକୁ ଏବଂ ବିଜେପି ବିଜେଡ଼ିକୁ ଅପେକ୍ଷା କରିଛି ବୋଲି ଚର୍ଚ୍ଚା ହେଉଛି । ବରୀରେ ବିଜେଡ଼ିରୁ ବିଧାୟୀକାଙ୍କ ସମେତ ଯୁବ ନେତା ବିଶ୍ୱରଞ୍ଜନ ମଲିକ, ସଞ୍ଜିବ ଜେନା ଟିକେଟ ଲବିରେ ରହି ନିଜର ଶକ୍ତି ଦେଖାଇ ଚାଲିଛନ୍ତି । ଦଳ ବିଧାୟୀକା ନା ବିଶ୍ୱ-ସଞ୍ଜିବଙ୍କୁ ପ୍ରାର୍ଥୀ କରିବ, ତାହା ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ, କିନ୍ତୁ ଏମାନଙ୍କ ବାଦ ଆଉ ଜଣେ ସୁନନ୍ଦା ବିଜେଡ଼ି ଟିକେଟ ପାଇବା ଆଶାରେ ରହିଛନ୍ତି । ଏ ସୁନନ୍ଦା ହେଲେ ଯାଜପୁର ଜିଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ସୁଶାନ୍ତ ମିଶ୍ରଙ୍କ ଧର୍ମପତ୍ନୀ । ଯିଏକି ଦଶନ୍ଧୀ ବା ୧୦ବର୍ଷ ତଳୁ ବରୀ ଟିକେଟ ଲବି କରି ଆସୁଛନ୍ତି । କଲେଜ ସମୟରୁ ରାଜନୀତି କରି ଆସୁଥିବା ସୁନନ୍ଦା ୨୦୧୪ ନିର୍ବାଚନରେ ବରୀରୁ ଟିକେଟ ହାତେଇବାକୁ ଲବି କରି ଆସୁଛନ୍ତି । ହେଲେ ତାଙ୍କ ଲବି କେବଳ ଲବିରେ ରହିଯାଇଛି । ଚଳିତ ନିର୍ବାଚନରେ ସେ ବରୀରୁ ଲଢିବାକୁ ଆବେଦନ କରିବା ସହ ସାଂଗଠନିକ କାର୍ଯ୍ୟ କରିବା ଫଳରେ ତାଙ୍କ ନାଁଟି ଚର୍ଚ୍ଚାକୁ ଆସିଛି । ଦଳର ସୁପ୍ରିମୋ ତାଙ୍କୁ ବରୀବାସୀଙ୍କ ସେବା ପାଇଁ ସୁଯୋଗ ଦେଲେ ଲଢିବି ବୋଲି କହୁଥିବା ସୁନନ୍ଦା ବିଧାୟୀକା ସୁନନ୍ଦା ଏବଂ ଯୁବନେତା ବିଶ୍ୱରଞ୍ଜନଙ୍କ ମଧ୍ୟରେ ଚାଲିଥିବା ଟଣା ଘୋଷରାରୁ ଫାଇଦା ଉଠାଇବା ଆଶାରେ ରହିଛନ୍ତି । ରାଜ୍ୟ ମହିଳା କମିସନ ସଦସ୍ୟା ଥିବା ସମୟରୁ ସୁନନ୍ଦା ବିଜେଡ଼ି ଟିକେଟ ପାଇଁ ଲବି କରି ଆସୁଛନ୍ତି । ସୁନନ୍ଦା ଜଣେ ଉଚ୍ଚଶିକ୍ଷିତାକୁ ବରୀର ଝିଅ । ମହିଳା ବିଜେଡ଼ି ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିବା ସୁନନ୍ଦା କିଛି ଦିନ ହେଲା ବରୀର ଗଳିକନ୍ଦି ବୁଲି ପ୍ରଚାର ଅଭିଯାଗକୁ ତ୍ୱରନ୍ୱିତ କରିଆସୁଥିବା ବେଳେ ଯଦି ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରେ, ତେବେ ସେ ବରୀବାସୀଙ୍କ ସେବା ପାଇଁ ଲଢିବେ ବୋଲି କହିଛନ୍ତି । ସମାନକଥା ୨୦୧୪ରୁ ସୁନନ୍ଦା କହିଆସୁଥିଲେ ହେଁ  ସମାଜସେବାରେ ବ୍ରତିଥିବା ସୁନନ୍ଦା ପତିମିଶ୍ରଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ୁଛି । ଦଶନ୍ଧୀ ଧରି କରି ଆସୁଥିବା ଲବି ୨୪ରେ ସାକାର ହେବ ନା ନାହିଁ ତାହାକୁ କେବଳ ଅପେକ୍ଷା ।