"ଟଙ୍କା ଦେଇ ଭିଡ ଜମାଉଥିଲେ ଦୁଇ ଦଳ' : କଂଗ୍ରେସ 

"ଟଙ୍କା ଦେଇ ଭିଡ ଜମାଉଥିଲେ ଦୁଇ ଦଳ' : କଂଗ୍ରେସ 

ଭୁବନେଶ୍ୱର : ଲୋକଙ୍କୁ ଟଙ୍କା ଦେଇ ଭିଡ଼ ଜମାଉଥିଲେ ବିଜେଡ଼ି ଓ ବିଜେପି । ହେଲେ କଂଗ୍ରେସ ସଭାକୁ ବିନା ଟଙ୍କାରେ ସ୍ୱତଃପ୍ରବୃତ୍ତ ଭାବେ ଲୋକେ ଆସୁଥିଲେ । ହୃଦୟର ସହ ସେମାନେ ସମର୍ଥନ କରିଥିବାରୁ ନୂଆପଡ଼ାବାସୀଙ୍କୁ ନିକଟରେ କୃତଜ୍ଞ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । 

       ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, କଂଗ୍ରେସ ପ୍ରତି ନୂଆପଡ଼ାର ମା, ଭଉଣୀଙ୍କ ଆଗ୍ରହ, ଉଦ୍ଦୀପନା ଓ ସ୍ୱାଗତ ପାଇଁ ଆମେ ଋଣି । କଂଗ୍ରେସ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରଚାର କରିଛି । ବିଜେପି କେବଳ ଗୋଟିଏ ସଭା ପାଇଁ ୧୫/ ୨୦ ଲକ୍ଷ ଟଙ୍କାର ପୋଷ୍ଟର ଓ ହୋର୍ଡିଂରେ ଖର୍ଚ୍ଚ କରୁଛି । ପୋଷ୍ଟର ଓ ପତାକାରେ ଦୁଇ/ ତିନି କୋଟି ବିଜେପି ଖର୍ଚ୍ଚ କରୁଛି । ଡିଜେ ପ୍ରଚାର ଗାଡ଼ି ରାସ୍ତା ଅବରୋଧ କରି ଘଣ୍ଟା ଘଣ୍ଟା ରହୁଛି । ସଭାକୁ ବାହାର ଲୋକ ହଜାର ହଜାର ସଂଖ୍ୟାରେ ବସ୍‌ରେ ଅଣାଯାଉଛି । ଲୋକଙ୍କ ଭିଡ ଦେଖି ଦଳ ପ୍ରତି ସମର୍ଥନ ଅଛି ବୋଲି ଅପ୍ରାକୃତିକ ଭିଡ କରାଯାଉଛି । କିନ୍ତୁ କଂଗ୍ରେସ ସଭାକୁ ଯେତେ ଲୋକ ଆସୁଛନ୍ତି ସେମାନେ ସ୍ୱତଃ ପ୍ରବୃତ୍ତ ଯୋଗ ଦେଉଛନ୍ତି ବୋଲି ଭକ୍ତ କହିଛନ୍ତି ।

       ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରବୋଡ ସଭାରେ ବିଜେଡି ୫୦୦ ଟଙ୍କା ଲେଖାଏଁ ଦେଇ ୧୦ ହଜାର ଲୋକଙ୍କ ଭିଡ କରିଥିଲା । ହେଲେ କଂଗ୍ରେସ ସଭାକୁ ସ୍ଥାନୀୟ ଲୋକ ଆସୁଛନ୍ତି, ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାହେଉଛି ସେମାନଙ୍କ ଏବଂ ଆମ ମଧ୍ୟରେ ଫରକ୍‌ । ଆମେ ଯେଉଁ ଗ୍ରାମପଞ୍ଚାୟତକୁ ଗଲେ ଲୋକେ ଆପଣାଛାଏଁ ଆସି ଆମ ସାଥିରେ ମିଶୁଛନ୍ତି । ସେମାନେ କେବଳ ନିର୍ବାଚନ ପରିଚାଳନା କରୁଛନ୍ତି । ମୁଁ ଏତେ ନିର୍ବାଚନ ଲଢିଛି କିନ୍ତୁ ଏପରି ମାଇକ୍ରୋ ମ୍ୟାନେଜମେଣ୍ଟ କରିନାହିଁ । ଏହାର ସୁଫଳ ଆମ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଶ୍ଚୟ ପାଇବେ । କିଛି ବିଜେଡି ସାଥିରେ ଭକ୍ତ ଦାସର ବୁଝାମଣା ହୋଇଛି ବୋଲି ପ୍ରଚାର  କରିଛନ୍ତି । ମୁଁ କହିଦେବାକୁ ଚାହେଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସହିତ ବୁଝାମଣା କରିବା ଦୂର କଥା କଥାବାର୍ତ୍ତା ହେବାର ମଧ୍ୟ ସ୍ତର ନାହିଁ । ଲୋକଙ୍କ ସମସ୍ୟାର ସମାଧାନ କଥା ନକହି ମୁଖ୍ୟମନ୍ତ୍ରୀ ନୂଆ ହେଲିକେପ୍ଟର ଦେଖିବାକୁ ଲୋକଙ୍କୁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସୁନାବେଢା ଉପର ଦେଇ ଶହ ଶହ ବିମାନ ରାୟପୁର ଗତାଗତ କରୁଛି । ଆଉ ସେ ହେଲିକେପ୍ଟର ଦେଖିବା ଯୁଗ ନାହିଁ । କିଛି ବିକାଶମୂଳକ କାର୍ଯ୍ୟ ଯଦି କରିଥାନ୍ତେ ତେବେ ହେଲିକେପ୍ଟର ଦେଖିବାପାଇଁ ଲୋକଙ୍କୁ ଡାକି ହସର ପାତ୍ର ହେବାକୁ ପଡି ନଥାନ୍ତା ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ଆମ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଟିର ସନ୍ତାନ ସେ ସତ୍ୟପଥରେ ଅଛନ୍ତି । ତାଙ୍କ ବିଜୟ ନିଶ୍ଚିତ । ବିଜୟ ହେବା ଦିନଠୁ ନୂଆପଡାର ଜୟଯାତ୍ରା ଆରମ୍ଭ ହେବ ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଥିଲେ ।