ଟଳିଲେ ସବୁ ବିଏଲଏ ଆତଙ୍କୀ
ନୂଆଦିଲ୍ଲୀ: ପାକ୍ ସେନାର ଅପରେସନ୍ । ଆଉ ଏନ୍କାଉଣ୍ଟର୍ରେ ଟଳିଲେ ସମସ୍ତ ଅପହରଣକାରୀ । ପାକିସ୍ତାନ୍ରେ ଯାତ୍ରୀବାହୀ ଟ୍ରେନ୍ ଅପହରଣ କରି ପାକ୍ ସରକାରଙ୍କୁ ଚେତାବନୀ ଦେଇଥିବା ବଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲ୍ଏ) ଗ୍ରୁପ୍ ଶେଷରେ ପାକ୍ ସେନାର ଶିକାର ହୋଇଛି । ପାଖାପାଖି ୧୦୦ ବିଏଲ୍ଏ ସଦସ୍ୟଙ୍କୁ ଏନ୍କାଉଣ୍ଟର୍ କରାଯାଇଥିବା ସେନା ପକ୍ଷରୁ କୁହାଯାଉଥିବା ବେଳେ ପାକ୍ ସେନା ଅପରେସନ୍ ଯୋଗୁ ବିଏଲ୍ଏ ପାଖାପାଖି ୫୦ ପଣବନ୍ଦୀଙ୍କୁ ହତ୍ୟା କରିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସେପଟେ ପାକ୍ ସରକାର କିନ୍ତୁ ଏହି ସଂଖ୍ୟାକୁ ୩୦ ବୋଲି ଦର୍ଶାଇଛନ୍ତି ।
ଅପରପକ୍ଷେ ଘଟଣାର ଗୋଟିଏ ଦିନ ପରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, “ଏଭଳି ବିଭତ୍ସ କାଣ୍ଡକୁ ନେଇ ଦେଶ ପୂରା ସ୍ତବ୍ଧ ।” ଅପହରଣ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସେବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତିଙ୍କ ଠାରୁ ଶୁଣିବା ପରେ ବିଏଲ୍ଏ ସଂଗଠନକୁ କଡ଼ା ନିନ୍ଦା କରିବା ସହ ପଣବନ୍ଦୀଙ୍କ ମୃତୁ୍ୟରେ ଗଭୀର ଶୋକବ୍ୟକ୍ତ କରି ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କହିଥିଳେ । ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ଗତକାଲି ବିଏଲ୍ଏ ସଦସ୍ୟ ଟ୍ରେନ୍ରେ ଯାତ୍ରୀଙ୍କ ମୁଣ୍ଡ ଜାମିନ ରଖି ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜେଲ୍ରେ ସଜା କାଟୁଥିବା ବିଏଲ୍ଏ କଏଦୀଙ୍କୁ ମୁକ୍ତ କରିବା ପାଇଁ ଦାବି ରଖିଥିଲେ । ଏହାସହ ପାଖାପାଖି ୨୦୦ ପଣବନ୍ଦୀଙ୍କୁ ବନ୍ଧୁକ ମୁନରେ ରଖି ଧମକ ଚମକ ଦେଉଥିଲେ । ଆଜି ଏହାର ସମୟ ଅତିକ୍ରମ ହୋଇଯାଇଥିବାରୁ ବିଏଲ୍ଏ ସଦସ୍ୟ ଜଣକପରେ ଜଣେ ପଣବନ୍ଦୀଙ୍କୁ ହତ୍ୟା କରିବାରେ ଲାଗିଥିଲେ । ଏହି ସମୟରେ ଅଗ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ସେନା ଅପରେସନ୍ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପାକ୍ ସେନା ହଠାତ ଅପହରଣକାରୀଙ୍କ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ପାଖାପାଖି ୧୦୦ ବିଏଲ୍ଏ ସଦସ୍ୟଙ୍କ ମୃତୁ୍ୟ ହୋଇଥିବା ପାକ୍ ପ୍ରଶାସନ ଦାବି କରିଛି । ସୂଚନାଯୋଗ୍ୟ ଗତକାଲି ପୂର୍ବାହ୍ଣରେ ପାକିସ୍ତାନ୍ର ବଲୁଚିସ୍ତାନ୍ ରାଜ୍ୟରେ ଜଫର୍ ନାମକ ଏକ ଯାତ୍ରୀବାହୀ ଟ୍ରେନ୍କୁ ବଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ) ଆତଙ୍କବାଦୀମାନେ ହାଇଜାକ୍ କରିଥିଲେ । ପୂର୍ବାହ୍ଣ ୯ଟାରେ ଟ୍ରେନ୍ଟି ସୁଡ଼ଙ୍ଗରୁ ବାହାରିବା ପରେ ରିମୋଟ କଣ୍ଟ୍ରୋଲ୍ ବମ୍ ଜରିଆରେ ଟ୍ରାକ୍ ଉଡ଼ାଇ ଦେଇଥିଲେ । ଫଳରେ ଟ୍ରେନ୍ଟି ଲାଇନଚୁ୍ୟତ ହେବା କ୍ଷଣି ସଙ୍ଗେ ସଙ୍ଗେ ଅପହରଣକାରୀ ଟ୍ରେନ୍ ଭିତରେ ପଶି ହାଇଜାକ୍ ଘୋଷଣା କରିଥିଲେ । ଟ୍ରେନ୍ରେ ଥିବା ୪୦୦ ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୨୦୦ ଯାତ୍ରୀଙ୍କୁ ପଣବନ୍ଦୀ କରିଥିଲେ ଅପହରଣକାରୀ ।