ଟାଟା ପାୱାର ଡିସକମ ପକ୍ଷରୁ ବିଦୁ୍ୟତ୍ ସମ୍ପତ୍ତି ସୁରକ୍ଷା ପଦକ୍ଷେପ
ଭୁବନେଶ୍ୱର : ପ୍ରବଳ ମୌସୁମୀ ବର୍ଷା ସମୟରେ ବିଦ୍ୟୁତ ଭିତ୍ତିଭୂମି ପ୍ରତି ଦେଖାଦେଉଥିବା ଆହ୍ୱାନର ମୁକାବିଲା କରିବା ଲାଗି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସକମ ଗୁଡ଼ିକ ପକ୍ଷରୁ ଲାଇସେନ୍ସପ୍ରାପ୍ତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ବ୍ୟବସ୍ଥା ଉପରେ ମାଡ଼ିଥିବା ବୃକ୍ଷଲତାକୁ ହଟାଇବା ଏବଂ ଗଛର ଡାଳ ଓ ଅଂଶଗୁଡ଼ିକୁ ଛେଦନ କରିବା ଅଭିଯାନ ଆରମ୍ଭ କରାଯାଇଛି । ପ୍ରୋଜେକ୍ଟ କ୍ଲିନ-ଅପର ଅଂଶ ସ୍ୱରୂପ ଏହି ବ୍ୟାପକ ଅଭିଯାନର ଲକ୍ଷ୍ୟ ହେଉଛି ବିଦ୍ୟୁତ ଭିତ୍ତିଭୂମିର ସୁରକ୍ଷା କରିବା, ଯୋଗାଣ ଭରସାଯୋଗ୍ୟତାରେ ଉନ୍ନତି ଆଣିବା ଏବଂ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା । ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ ଉର୍ବର ମୃତ୍ତିକା ପାଇଁ ମୌସୁମୀ ଋତୁରେ ଗଛଲତାଗୁଡ଼ିକ ଶୀଘ୍ର ବଢ଼ି ବିଦ୍ୟୁତ ଭିତତ୍ତିଭୂମି ଉପରେ ମାଡ଼ିଯାଉଛି । ଗଛଲତାରେ ହେଉଥିବା ସେହି ବୃଦ୍ଧି ଅଣଦେଖା ରହିଗଲେ ତାହା ନେଟୱର୍କରେ ବିଭ୍ରାଟ ସୃଷ୍ଟି କରିଥାଏ ଯାହା ଫଳରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେବା, ବିଭ୍ରାଟ ଘଟିବା ସହିତ ଖୁଂଟ ଓ ଟ୍ରାନ୍ସଫର୍ମରକୁ କ୍ଷତି ପହଞ୍ଚିଥାଏ । ଯୁଦ୍ଧକାଳୀନ ଭିତ୍ତିରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ବଣ୍ଟନ ଟ୍ରାନ୍ସଫର୍ମର ଓ ଝୁଲୁଥିବା ତାର ଉପରେ ମାଡ଼ିଯାଇଥିବା ବୃକ୍ଷଲତାକୁ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଲାଇସେନ୍ସପ୍ରାପ୍ତ ଅଞ୍ଚଳର ୪୦,୦୦୦ରୁ ଅଧିକ ସ୍ଥାନରେ ୧ ଲକ୍ଷରୁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ତାଲିମପ୍ରାପ୍ତ କର୍ମଚାରୀମାନଙ୍କୁ ଆଧୁନିକ ଟୁଲ ଓ ସୁରକ୍ଷା ଗିୟର ପ୍ରଦାନ କରାଯାଇଛି ଯାହା ଫଳରେ ସେମାନେ ପରିବେଶ ଓ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସେହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିପାରୁଛନ୍ତି । ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମଗୁଡ଼ିକ ଏହି ଅଭିଯାନକୁ ନିୟମିତ ବ୍ୟବଧାନରେ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛନ୍ତି ଯାହାକୁ ଉନ୍ନତ ନିରୀକ୍ଷଣ ଓ ଅତ୍ୟାଧୁନିକ ଉପକରଣ ଜରିଆରେ ସମର୍ଥନ କରାଯିବ ।