ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୧୩ରେ ଲୋକ ଅଦାଲତ 

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌(ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଆସନ୍ତା ୧୩ ତାରିଖରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଓ ପ୍ରବର୍ତ୍ତନ ସମାଧାନ ଶିବିର ଅନୁଷ୍ଠିତ ହେବ । ଉପଭୋକ୍ତାଙ୍କ ଦ୍ୱାରା ଅନଧିକୃତ ବିଦ୍ୟୁତ ବ୍ୟବହାର ତଥା ବିଦ୍ୟୁତ ଚୋରି ସମ୍ୱନ୍ଧୀୟ ମାମଲାର ସମାଧାନ ନିମନ୍ତେ ଏହି ଶିବିରର ଆୟୋଜନ କରାଯାଉଛି । ଏଠାରେ ଦୀର୍ଘ ଦିନ ଧରି ବିଚାରଧୀନ ଥିବା ମାମଲାଗୁଡ଼ିକର ଏକକାଳୀନ ସମାଧାନ କରାଯିବ । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ଟିପିଏସ୍‌ଓଡିଏଲ୍‌ ଡିଭିଜନ୍‌, ସବ୍‌-ଡିଭିଜନ୍‌, ସେକ୍ସନ ଅଫିସ ଓ ନିଦ୍ଧିଷ୍ଟ କୋର୍ଟ ପରିସରରେ ଏକକାଳୀନ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଶିବିରଗୁଡ଼ିକ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଉପଭୋକ୍ତାମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚି ମାର୍ଗଦର୍ଶନ ଓ ସହାୟତା ପାଇପାରିବେ । ଟିପିଏସ୍‌ଓଡିଏଲର ଏଭଳି ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ବିଜୁଳି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ କାର୍ଯ୍ୟାନ୍ୱୟନ ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନକୁ ଶୃଙ୍ଖଳିତ କରିବାରେ ସହାୟକ ହେବ । ବିଜୁଳି ବ୍ୟବହାରରେ ସ୍ୱଚ୍‌ଛତା ଓ ନିୟମିତତା ରକ୍ଷା ହେବା ସହ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା ସ୍ଥାପିତ ହୋଇପାରିବ । ଲୋକ ଅଦାଲତ ସମ୍ପର୍କିତ ସବିଶେଷ ସୂଚନା, ଯେପରି, ଜିଲାୱାରୀ ବ୍ୟବସ୍ଥା, ଯୋଗ୍ୟ ମାମଲାର ବର୍ଗୀକରଣ, ପର୍ଯ୍ୟାୟ କ୍ରମେ ମାର୍ଗଦର୍ଶନ ଇତ୍ୟାଦି, ଟିପିଏସ୍‌ଓଡିଏଲର କାର୍ଯ୍ୟାଳୟରେ ମିଳିବ । ଗ୍ରାହକମାନେ ଅତିରିକ୍ତ ସୁବିଧା ନିମନ୍ତେ କମ୍ପାନୀର ଗ୍ରାହକ ସେବା କେନ୍ଦ୍ର ଓ ସହ ଯୋଗାଯୋଗ କରିପାରିବେ ।