ଠିକାଦାର ଚାପରେ ବନ ବିଭାଗ ଚେପା
ନିମାପଡ଼ା : ବନ ବିଭାଗ ବିନାନୁମତିରେ ଶହ ଶହ ମୂଲ୍ୟବାନ ଗଛ କାଟିଦେବା ଘଟଣାରେ ବନ ବିଭାଗ କାହିଁକି ନିରବଦ୍ରଷ୍ଟା ସାଜିଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲାଗୁଛି ବେଆଇନ ଭାବେ ଗଛ କାଟି ଥିବା ଠିକାଦାରର ଚାପରେ ବନ ବିଭାଗ ଚେପା ହୋଇଯାଇଛି । ବେଆଇନ ଭାବେ ଯେଉଁ ଅଞ୍ଚଳରୁ ଗଛ କଟାଯାଇଛି ତାହା ଗୋପ ବନାଞ୍ଚଳ ଅଧିକାରୀଙ୍କ ଅଧିନରେ ଅଛି ।ଏହାର ଏକ ଶାଖା କାର୍ଯ୍ୟାଳୟ ମଧ୍ୟ ନିମାପଡ଼ାରେ ରହିଛି ।ମାତ୍ର ଏମାନେ କୁଆଡେ ଯାଆନ୍ତି ନାହିଁ କି କିଛି ତଦାରଖ କରନ୍ତି ନାହିଁ । ଏଣୁ ମୂଲ୍ୟବାନ ଗଛ ଗୁଡ଼ିକ କାଟିଦେଇ ସଂପୃକ୍ତ ଠିକାଦାର ନିଦ୍ୱର୍ଦ୍ଦ୍ୱରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡା ପୂର୍ତ୍ତ ରାସ୍ତାର ହରିପୁର ଛକ ଠାରୁ ବଳଙ୍ଗା ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ।ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରାୟ ୪୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ରାସ୍ତା ନିର୍ମାଣ ଯାରି ରହିଛି ।ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ବନାଞ୍ଚଳ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଖବର ଅନୁସାରେ ଗଛ କାଟିବାକୁ କୌଣସି ବିଭାଗୀୟ ଅଧିକାରୀ ଅନୁମତି ଦେଇନାହାନ୍ତି ।ନିୟମାନୁସାରେ ପୂର୍ତ୍ତ ବିଭାଗ ଜରିଆରେ ସଂପୃକ୍ତ ଠିକାଦାର ବନ ବିଭାଗରୁ ଅନୁମତି ଆଣି ଗଛ କାଟିବା କଥା ।ତାହା ମଧ୍ୟ ହୋଇନାହିଁ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରିବେଷ ପାଇଁ ଗଛର ଭୂମିକା ବେଶ୍ ଗୁରୁତ୍ୱ ବହନ କରୁଛି ।ଏଣୁ ଗୋଟିଏ ଗଛ କାଟିଲେ ଦଶଟି ଗଛ ଲଗାଇବା କଥା ।ମାତ୍ର ଯେଉଁ ଠିକାଦାର ବିନାନୁମତିରେ ଶହେରୁ ଉର୍ଦ୍ଧ୍ୱ ଗଛ କାଟି ନଷ୍ଟ କଲା ସେ ରାସ୍ତା ନିର୍ମାଣ କରିସାରିବା ପରେ ଆଉ ଗଛ ଲଗାଇବା କଥା ଆକାଶ କଇଆଁ ଚିଲିକା ମାଛ ଭଳି ଲାଗୁଛି । ରାସ୍ତା ନିର୍ମାଣ ଓ ଉନ୍ନତିକରଣ ଏକ ସ୍ୱାଗତଯୋଗ୍ୟ କଥା ।ମ ।ତ୍ର ମୂଲ୍ୟବାନ ଗଛ କଟା ନଯାଇ ମଧ୍ୟ ରାସ୍ତା ନିର୍ମାଣ ହୋଇ ପାରିଥାନ୍ତା । ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଗଛ କାଟିବା ପାଇଁ ଆମ ଠାରୁ କେହି ଅନୁମତି ନେଇ ନାହାଁନ୍ତି । ପରିବେଶବିତ୍ ମାନେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।