ଡମଶାଳ ନାଳ ପାଣି : ରାତିରେ ଗୋଳିଆ, ଦିନରେ ସଫା

 କାଳିଆପାଣି : ଖଣି ଅଞ୍ଚଳର ଜୀବନରେଖା ବୋଲି କୁହାଯାଉଥିବା  ଡମଶାଳ ନାଳ ଏବେ କମ୍ପାନୀମାନଙ୍କ ବର୍ଜ୍ୟଜଳର ସ୍ରୋତ ପାଲଟିଯାଇଛି । ଟମକା ଉପଖଣ୍ଡ ପର୍ବତମାଳାରୁ ଆରମ୍ଭ ହୋଇ ଦୀର୍ଘ ୭୦କିଲୋମିଟର ପର୍ଯ୍ୟନ୍ତ ବହିଥିବା ଡମଶାଳ ନାଳ ଅତୀତରେ ଦିନେ ଏ ଅଞ୍ଚଳର ଜୀବନ ରେଖା ରୂପେ ପରିଚିତ ଥିଲା । ଯାଜପୁର ଏବଂ ଢେଙ୍କାନାଳ ଜିଲାର ହଜାର ହଜାର ଚାଷୀ ଏହି ନାଳର ପାଣିକୁ ଜଳସେଚନ ନିମନ୍ତେ ବ୍ୟବହାର କରି ଆସୁଥିଲେ । ଏହି ନାଳ କଡେ କଡେ ରହିଥିବା ଗାଁ ଗୁଡିକର ଲୋକେ ଏହାକୁ ପିଇବା ପାଣିରୂପେ ବ୍ୟବହାର କରୁଥିବା ବେଳେ ଅଧିକାଂଶ ଲୋକ ନାଳରେ ଗାଧୋଇବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିଆସୁଥିଲେ । ହଜାର ହଜାର ଗୃହ ପାଳିତ ପଶୁ ଠାରୁ ଆରମ୍ଭକରି ବନ୍ୟ ଜୀବଜନ୍ତୁ ମଧ୍ୟ ଏହି ଜଳରେ ତୃଷା ମେଣ୍ଟାଇଥାନ୍ତି । କିନ୍ତୁ ଦୁର୍ଭାଗ୍ୟ ଡ଼ମଶାଳା ନାଳପାଣି ଏବେ ଏହାର ପାଣି ବିଷାକ୍ତ ହୋଇ କୌଣସି ପ୍ରକାର ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । 
ଡମଶାଳା ପାଣି ନା ଚାଷ ଉପଯୋଗୀ ନା ପିଇବା ଉପଯୋଗୀ ନା ଅନ୍ୟ କୌଣସି ବ୍ୟବହାର ଉପଯୋଗୀ ହୋଇ ରହିଛି । ନା ମାଛ ନା କଙ୍କଡା ନା ଅନ୍ୟକିଛି ଜଳଚର ଯିବ ଏହାର ପାଣିରେ ବଞ୍ଚିବାର ସମ୍ଭାବନା ଅଛି । ବର୍ତ୍ତମାନ ଖଣି ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ କମ୍ପାନୀ  ଖଣି ଖାଦାନର ବିଷାକ୍ତ କ୍ରୋମାଇଟ ମିଶ୍ରିତ କାଦୁଅ ପାଣିକୁ ଏହା ମଧ୍ୟକୁ ଛାଡି ଦେଉଛନ୍ତି । ଆଉ ସେହି କାରଣରୁ ପ୍ରତ୍ୟେକ ଦିନ ଏହାର ପାଣି ରାତିରେ ସମ୍ପୂର୍ଣ୍ଣ ଗୋଳିଆ ଏବଂ ଦିନରେ ଆଂଶିକ ସଫା ଦିଶୁଛି । ଅତି ସତର୍କତାର ସହିତ ଇସ୍ପାତ କମ୍ପାନୀ ଏବଂ ଜିନ୍ଦଲ କମ୍ପାନୀ ରାତିରେ କ୍ରୋମାଇଟ ଖାଦାନ ଭିତରୁ ନିର୍ଗତ ବିଷାକ୍ତ ଗୋଳିଆ ପାଣିକୁ ଡମଶାଳ ନାଳରେ ଛାଡିବାର ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ ଏହାର ପାଣି ରାତିରେ ସମ୍ପୂର୍ଣ ଗୋଳିଆ ହୋଇ ମାଟି କାଦୁଅରେ ପୁରିଯାଉଛି । ଏହି କାରଣରୁ ଏହା ଉପରେ ନିର୍ଭର କରି ଚଳି ଆସୁଥିବା ଗରିବ ଆଦିବାସୀ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ପ୍ରଦୂଷଣ ବିଭାଗ ସବୁ ଦେଖି ଜାଣିଶୁଣି ନିରବଦ୍ରଷ୍ଟା ହୋଇ ବସିଛି । ସାଧାରଣରେ ସନେ୍ଦହ ଯେ ଉକ୍ତ ବିଭାଗ ସହିତ ବିଭିନ୍ନ କମ୍ପାନୀ ଗୁଡିକର ଭିତିରିଆ ସମ୍ପର୍କ କାରଣରୁ ନିରବଦ୍ରଷ୍ଠା ସାଜିଛନ୍ତି । ଏହା ଯଦି ଆଗକୁ ଜାରିରୁହେ ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଡମଶାଳ ନାଳ ଏହାର ଅସ୍ତିତ୍ୱ ହରାଇ ବସିବ ଏଥିରେ ସନେ୍ଦହ ନାହିଁ ।