ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ: ଡଃ ମୁଖାର୍ଜୀଙ୍କ ଜୀବନ ଏକ ଉପହାର
ଭୁବନେଶ୍ୱର : ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଯୁବବର୍ଗଙ୍କୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ କହିଥିଲେ ଯେ, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦିଏ । ତାଙ୍କ ଭାବନା, ଆଜି ସମଗ୍ର ଦେଶ ପାଇଁ ଏକ ଦିଗଦର୍ଶନ । ଜମ୍ମୁ-କଶ୍ମୀର ଭିତରେ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସେ ଜଣେ ଦୃଢ଼ ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟରେ ଅଦମ୍ୟ ରହିଥିଲେ । ତାଙ୍କର ଅଭିମତ ଥିଲା, କାଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏଥିପାଇଁ କୌଣସି ବିଶେଷ ଧାରା ଦରକାର ନାହିଁ । ଏହି ଭାବନା ଗଭୀର ରାଷ୍ଟ୍ରପ୍ରେମର ପ୍ରତିଫଳନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ କରିଛନ୍ତି । ଏହି ସାହସିକ ପଦକ୍ଷେପ କେବଳ ଯେ ଦେଶପାଇଁ ମଙ୍ଗଳମୟ ତାହା ନୁହେଁ, ଏହା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଯେତେବେଳେବି ଜାମ୍ମୁ-କାଶ୍ମୀରର ନାମ ନିଆଯିବ ଶ୍ୟାମ ପ୍ରସାଦ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ବିନା ସବୁବେଳେ ଅଧା ହିଁ ରହିବ ବୋଲି ସେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉଚ୍ଚÿ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଡଃ ମୁଖାର୍ଜୀଙ୍କୁ ଯୁବ ଶକ୍ତିର ପ୍ରେରଣା ବୋଲି କହିବା ସହିତ ତାଙ୍କ ଜୀବନକୁ ମହାକାଶର ଉଲକା ସହିତ ତୁଳନା କରିଥିଲେ, ଯାହା ଆକାଶରେ ଅଳ୍ପ ସମୟ ରହିଲେ ମଧ୍ୟ ସମସ୍ତ ମହାକାଶ ଜଗତକୁ ପ୍ରଭାବିତ କରିଥାଏ, ସେହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ଡଃ ମୁଖାର୍ଜୀ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ ।