ଡ୍ରାଇଭର୍ ୱେଲ୍ଫେୟାର ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର : ଓଡ଼ିଶା ମୋଟର ପରିବହନ ଚାଳକ ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ସଦସ୍ୟତା କିମ୍ବା ଅନୁକମ୍ପାମୂଳକ ସହାୟତା ପାଇଁ ଏଣିକି କୌଣସି ଦପ୍ତର ଆସିବାକୁ ପଡ଼ିବ ନାହିଁ । ଏହିସବୁ ସୁବିଧା ଏବେ ଅନ୍ଲାଇନ୍ରେ ଉପଲବ୍ଧ ହୋଇଛି । ଖାରବେଳ ଭବନରେ ଆୟୋଜିତ ବୋର୍ଡର ଚତୁର୍ଥ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଏ ସଂପର୍କିତ ୱେବ ପୋର୍ଟାଲ ଙ୍ଗଙ୍ଗଙ୍ଗ.ୟକ୍ସସଙ୍ଖରକ୍ସଙ୍ଗରକ୍ଷଲବକ୍ସର.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ଲୋକାର୍ପିତ ହୋଇଛି । ଏହା ଦ୍ୱାରା ରାଜ୍ୟର ହଜାର ହଜାର ମୋଟର ଯାନଚାଳକ ଓ କର୍ମଚାରୀ ଉପକୃତ ହେବା ସହ ସହାୟତା ପ୍ରଦାନ ବ୍ୟବସ୍ଥା ଅଧିକ ସକ୍ରୀୟ ଓ ପାରଦର୍ଶୀ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ୱେବ ପୋର୍ଟାଲରେ ସୁବିଧା କେନ୍ଦ୍ର, ଜରୁରୀକାଳୀନ ସହାୟତା ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ସାମିଲ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଅନୁକମ୍ପାମୂଳକ ସହାୟତା ବୟସ ସୀମା ୬୦ରୁ ୬୫କୁ ବୃଦ୍ଧି କରାଯିବା ଦାବି ଉପରେ ମନ୍ତ୍ରୀ କହିଛନ୍ତି ଏ ସଂପର୍କରେ ସମସ୍ତ ଦିଗକୁ ତର୍ଜମା କରିବାକୁ ସବ୍କମିଟି ଗଠନ କରାଯିବ ବୋଲି କହିଛନ୍ତି । ଅଟୋ ଚାଳକମାନେ ମଧ୍ୟ କିଭଳି ସରକାରୀ ସହାୟତାର ଲାଭ ପାଇବେ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ବୋର୍ଡ ସଦସ୍ୟ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ସିଭିଲ ସୋସାଇଟି ସଦସ୍ୟ, ଡ୍ରାଇଭର ସଙ୍ଘ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଚାଳକମାନେ ବୋର୍ଡର ଅଧ୍ୟକ୍ଷଙ୍କ ନିକଟରେ ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଥିବା ବେଳେ ଏହାର ତର୍ଜମା କରି ସକରାତ୍ମକ ନିଷ୍ପତ୍ତି ଗ୍ରହଣ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।