ତମାଖୁ ଗାଁ ଅଭିଯାନ ବାଟବଣା : କାମ ଦେଉନି କୋଟପା ନିୟମ
ତାଳଚେର : ଜୀବନ ନେଉଛି ତମାଖୁ । ତମାଖୁ ମୁକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଆହ୍ୱାନ ଦେଇଛନ୍ତି । ତମାଖୁ ନିୟନ୍ତ୍ରଣ ପାଇଁ ବି ସ୍ୱତନ୍ତ୍ର ନିୟମ ରହିଛି । କିନ୍ତୁ ସେଥିପ୍ରତି କାହାର ନିଘା ନଥିବା ମନେହେଉନାହିଁ । ଯେଉଁଥିପାଇଁ ତମାଖୁ ଗାଁ ଅଭିଯାନ ବାଟବଣା ହେଉଥିବା ପରିଲକ୍ଷିତ ହେଉଛି ।
ତମାଖୁ ବର୍ଜନ ଓ ସଚେତନ କାର୍ଯ୍ୟକ୍ରମ ଭଳି ଅନେକ କାର୍ଯ୍ୟପନ୍ଥା ହେଉଥିଲେ ମଧ୍ୟ ଏହା ଫେଲ୍ ମାରୁଛି । ଏହିସବୁ ଯୋଜନା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚା କରାଯାଇ ହୋର୍ଡିଙ୍ଗ, ପୋଷ୍ଟର, ବ୍ୟାନର୍ ସହ ଜନସଚେତନତା ରାଲି ଇତ୍ୟାଦି କରାଯାଉଥିଲେ ମଧ୍ୟ ଏଥିରେ ସଫଳତା ଶୂନ । ସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂସ୍ଥା ସଙ୍ଗଠନମାନଙ୍କ ସଚେତନତା ବାର୍ତା, କେବଳ ବାର୍ତ୍ତାରେ ହିଁ ସୀମିତ ହୋଇ ଯାଉଛି । ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଲେଖା ଯାଉଥିବା ସତ୍ତ୍ୱେ ଏହାର ବହୁଳ ବ୍ୟବହାର ଚାଲିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତମାଖୁ ସେବନ କର୍କଟର ମୁଖ୍ୟ କାରଣ । ସମ୍ପ୍ରତି ଯୁବପିଢ଼ୀ ତମାଖୁ ସେବନକରି ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଥିବା ଲକ୍ଷ୍ୟ କରାଯାଉଛି । ବିଭିନ୍ନ ଛକ ବଜାର ଶିକ୍ଷାନୁଷ୍ଠାନ ନିକଟ ତଥା ଷ୍ଟଲଗୁଡିକରେ ବେଧଡ଼କ ଭାବେ ଖୁଲମଖୁଲା ନିଶା ଦ୍ରବ୍ୟ ବିକ୍ରି ହେଉଛି ।
ସର୍ବସାଧାରଣ ସ୍ଥାନରେ ଅନେକ ବୃଦ୍ଧ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଧୂମପାନ କରୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ କୋଟପା ଆଇନ ଏବେ ଶୀତଳ ଭଣ୍ଡାରରେ ପଡି ରହିଛି । ତମାଖୁ ଅଭିଯାନ ଏବେ ବାଟବଣା ହୋଇଛି । ବାହାର ରାଜ୍ୟରୁ ତାଳଚେରକୁ ୱାଗନରେ ଓ ଭାରିଯାନ ମଧ୍ୟରେ ଟ୍ରିପ୍ ଟ୍ରିପ୍ ତମାଖୁ ଆସୁଥିଲେ ହେଁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ପରିତାପର ବିଷୟ ।