ତରମାକାନ୍ତ ଚା’ ବଗିଚା ପୁନରୁଦ୍ଧାର ଉଦ୍ୟମ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ ତରମାକାନ୍ତ ଚା’ ବଗିଚା ପୁଣି କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଦୀର୍ଘ ୨୧ବର୍ଷ ଧରି ବନ୍ଦ ପଡିଥିବା ଚା’ ବଗିଚାକୁ ଆରମ୍ଭ କରିବାକୁ ସରକାର ଅଂଟା ଭିଡିଛନ୍ତି । କଲିକତା ଟି ବୋର୍ଡ ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହା ଆରମ୍ଭ ହେଲେ ବହୁ ଲୋକ କର୍ମ ନିଯୁକ୍ତି ପାଇପାରିବେ । କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ତରମାକାନ୍ତ ଚା’ ବଗିଚାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତତ୍ପରତା ଦେଖାଇବା ପରେ ଓଡିଶା ସରକାରଙ୍କ ମତିକା ସଂରକ୍ଷଣ ଓ ଜଳଛାୟା ନିଦେ୍ର୍ଦଶାଳୟ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରାଯାଇ ପ୍ରଦାନ କରାଯାଇଛି । ଏହାକୁ ପୁନରୁଦ୍ଧାର କରାଗଲେ ଏହି ଅଞ୍ଚଳ କେବଳ ଯେ କର୍ମନିଯୁକ୍ତି ସୃଷ୍ଟି କରିବ ତାହା ନୁହେଁ ବରଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ବୋଲି ଉଲ୍ଲେଖ କରିଛନ୍ତି । ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ତାଙ୍କ ପତ୍ର ସଂଖ୍ୟା ୨୪୮୮ ତା ୨୪.୩.୨୦୨୫ରେ ଉଲ୍ଲେଖ କରିଛନ୍ତି ଯେ, ଏହା ସୋଲାର କିମ୍ବା ପବନଶକ୍ତିରେ ପରିଚାଳିତ କରାଯାଇ ଏହାକୁ ନବୀକରଣ କରାଯାଇପାରିବ । ତେବେ ଏଥିପାଇଁ କେତେ ଅର୍ଥର ଆବଶ୍ୟକ ତାହା ଉଲ୍ଲେଖ କରାଯାଇ ନ ଥିବାବେଳେ ବିଭିନ୍ନ ପ୍ରସ୍ତାବମାନ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟାଙ୍କୁ ଏହି ରିପୋର୍ଟ ପ୍ରଦାନ କରାଯାଇଥିବାବେଳେ, ରାଜ୍ୟ ସରକାର ଏହି ପ୍ରକଳ୍ପକୁ ନିଜ ହାତକୁ ନେଇ ପୁନଃ ଚାଲୁ କଲେ ତରମାକାନ୍ତ ସମେତ ବାଂଶପାଳ ଅଞ୍ଚଳର ଆଦିବାସୀଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇପାରିବ । ତରମାକାନ୍ତ ଏବଂ ଏହାର ଆଖପାଖ ଅଞ୍ଚଳ ଚା’ ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ । ଏହାକୁ ଭତ୍ତକରି ୧୯୮୨ମସିହାରେ ଓଡିଶା ସରକାରଙ୍କର ଇପିକଲ ସଂସ୍ଥା ଓ କୋଲକତାର ଶିଳ୍ପପତି ବସନ୍ତ ଦୁବେଙ୍କ ମିଳିତ ସହଯୋଗରେ ଓଟିପିଏଲ୍ ନାଁରେ ତରମାକାନ୍ତଠାରେ ଏକ ଚା’ ବଗିଚା ୮୯୬.୫୪ ହେକ୍ଟର ଜମିରେ ଆରମ୍ଭ ହୋଇଥିଲା । ଏଠାରୁ ଉତ୍ପାଦିତ ଉକୃଷ୍ଟମାନ ଚା’ର କେବଳ ଓଡିଶା ଓ ଭାରତ ବର୍ଷ ନୁହେଁ ଜାପାନ, ଫ୍ରାନ୍ସ, ଜର୍ମାନ, ଲଣ୍ଡନ, ଯୁକ୍ତରାଷ୍ଟ ଆମେରିକା,ସୋଭିଏତ୍ ଋଷ୍,କାନାଡା ଭଳି ଦେଶମାନଙ୍କରେ ବେଶ୍ ଚାହିଦା ରହିଥିଲା । ଅଧିକ ବର୍ଷା ଚା ଚାଷ ପାଇଁ ଉପଯୋଗୀ ହୋଇଥିବାବେଳେ, ଶୀତ ଦିନରେ ଏଠାକାର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ । ଏହି ଅଂଚଳରେ ଶୀତ ଦିନରେ ତୁଷାରପାତ ମଧ୍ୟ ହୋଇଥାଏ । ଏହି ଅଂଚଳରେ ଥଣ୍ଡା ଜଳବାୟୁ ଚା ଚାଷ ପାଇଁ ବେଶ ଅନୁକୂଳ । ସରକାରଙ୍କ ଆନ୍ତରିକତାର ଅଭାବ କିମ୍ବା ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୦୪ ମସିହା ବେଳକୁ ଏହା ସଂପୂର୍ଣ୍ଣ ବନ୍ଦ ହୋଇଥିଲା । ଜଗାରଖା ଅଭାବରୁ ବହୁ ମୂଲ୍ୟବାନ ଆସବାବପତ୍ର ଚୋରୀ ହୋଇଗଲାଣି । ଚା ବଗିଚା ବନ୍ଦ ହେବା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ତରମାକାନ୍ତ, କୁଶକଳା, ଅଡାଳ, କଲଣ୍ଡା, ଯାତ୍ରା ଆଦି ଗ୍ରାମର ଶହ ଶହ ସଂଖ୍ୟାରେ ଶ୍ରମିକମାନେ କର୍ମସଂସ୍ଥାନ ହରାଇଲେ । ସରକାର ତୁରନ୍ତ ଚା ବଗିଚାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରିଛନ୍ତି ।