ଡଙ୍ଗାରେ ବିପଦପୂର୍ଣ୍ଣ ଜଳଯାତ୍ରା

ବ୍ରହ୍ମଗିରି : ବିଗତ ବର୍ଷ ବର୍ଷ ଧରି ଚିଲିକାରେ ଯେଉଁ ବିପଦପୂର୍ଣ୍ଣ ଜଳଯାତ୍ରା ମେସିନ ଚାଳକ ଡଙ୍ଗା ଦ୍ୱାରା ପରିଚାଳିତ ହେଉଛି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରି ହବନି । ସାତପଡା ଠାରୁ ମହିଷା ବରମପୁର, ଜହ୍ନିକୁଦା ଖୋଲା ମେସିନ ଚାଳକ ଡଙ୍ଗାରେ ଲୋକଙ୍କ ସହିତ ଯାନବାହାନ, ସିମେଣ୍ଟ, ରଡ ଓ ଅନ୍ୟାନ୍ୟ ଉପକରଣ ସହ ଯାତ୍ରା ଅତି ବିପଦପୂର୍ଣ୍ଣ । ସଂବାଦ ସଂଗ୍ରହ ପାଇଁ ନିଜେ ଏକ ଅନୁଭୂତି ନେଇ ଫେରିଥିଲେ ରିପୋର୍ଟର । ଛୋଟ ଛୋଟ ପିଲାଙ୍କ ସହ ବୟସ୍କ ଲୋକଙ୍କ ଯାତ୍ରା ଅତ୍ୟନ୍ତ ପରିତାପର ବିଷୟ । ବିଭିନ୍ନ ସମୟରେ ଡଙ୍ଗା ଖରାପ ହେବା, ବର୍ଷାଦିନେ ଚିଲିକା ହ୍ରଦରେ ଯାତ୍ରା କରିବା ବିପଦପୂର୍ଣ୍ଣ ଥାଏ । କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପୁରୀ ଜିଲ୍ଲା କୋର୍ଟ ଉପରେ ନିର୍ଭର କରୁଥିବାରୁ ପ୍ରତିଦିନ ଶହଶହ ଲୋକଙ୍କ ଯାତାୟତ ଏହି ଡଙ୍ଗାଗୁଡିକ ଉପରେ ନିର୍ଭର କରିବାକୁ ପଡିଥାଏ । ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ବ୍ୟବସାୟିକ କାର୍ଯ୍ୟକ୍ରମ ବିଶେଷ କରି ଚିଙ୍ଗୁଡି ବ୍ୟବସାୟର ମୁଖ୍ୟ ଯାଗା ହୋଇ ଥିବାରୁ ଏହି ବିପଦପୂର୍ଣ୍ଣ ଯାତ୍ରା ଉପରେ ନିର୍ଭର ହୁଅନ୍ତି । ବଡ ବଡ ଯାନବାହାନ ପାର ହେବା ପାଇ ଚିଲିକା ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ପରିଚାଳିତ ସମୟେ ସମୟେ ମଝି ଚିଲିକାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିବା ବହୁବାର ନଜିର ରହିଛି । ଏହିପ୍ରକାର ଅସୁବିଧାକୁ ନେଇ ଚିଲିକା ଉପରେ ଏକ ସେତୁ (ସାତପଡା ଠାରୁ ଜହ୍ନିକୁଦା)ନିର୍ମାଣ କରାଯିବା ପାଇଁ ଏଠାରେ ବହୁବାର ଜନ ଆନେ୍ଦାଳନ ମଧ୍ୟ ହୋଇଛି । ଗତ ନିର୍ବାଚନରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ଅଭିଭାଷଣରେ ଯଦି ତାଙ୍କର ଦଳୀୟ ପ୍ରାର୍ଥୀଙ୍କ ବିଜୟ ହୁଏ ତାହେଲେ ନିଶ୍ଚିତ ଭାବରେ ସରକାର ସେତୁର ନିର୍ମାଣ ଦାଇତ୍ୱ ନେବେ । ନିର୍ବାଚନ ରେ ଜନସାଧାରଣ ମନ୍ତ୍ରୀଙ୍କ କଥା ରଖିଛନ୍ତି । କେବଳ ବାକି ରହିଲା ସରକାର କେବେ ତାଙ୍କର ପ୍ରତିଶ୍ରୁତି ରଖୁଛନ୍ତି । ଯେଉଁଦିନ ପର୍ଯ୍ୟନ୍ତ ସେତୁର ନିର୍ମାଣ ନ ହେଇଛି ଉକ୍ତ ଜଳଯାତ ପ୍ରତି ପ୍ରଶାସନ ଧାନ୍ୟ ଦେବାକୁ ଜନସାଧାରଣରେ ଦାବି ହେଉଛି ।