ଦଣ୍ଡନାଚ ଶିକ୍ଷକଙ୍କ ପରଲୋକ
ତାଳଚେର : ତାଳଚେର ବ୍ଲକ କଣ୍ଡାଳ ପଂଚାୟତ ଅନ୍ତର୍ଗତ ତାଳବେଡ଼ା ଗ୍ରାମର ବରିଷ୍ଠ ଦଣ୍ଡନାଚ ଶିକ୍ଷକ ଚତୁରା ବେହେରା(୭୦)ଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗ ଦଣ୍ଡୁଆମାନଙ୍କ ମହଲରେ ଏକ ଶୋକର ବାତାବରଣ ଖେଳାଇ ଦେଇଛି । ତାଙ୍କ ଜୀବନକାଳ ମଧ୍ୟରେ ଦୀର୍ଘବର୍ଷ ହେବ ଦଣ୍ଡନାଚ ଅଭିନୟ କରି ଶିକ୍ଷାଦେବା ସହ ପ୍ରତ୍ୟେକ ଗ୍ରାମ ଗୁଡ଼ିକରେ ବିଭିନ୍ନ ପୌରାଣିକ ଆଧାରିତ ବିଷୟବସ୍ତୁ ଉପରେ ନାବକେଳୀ, ଭୂତକେଳୀ, ଲକ୍ଷ୍ମୀ ପୁରାଣ, ଛଦ୍ମବେଶ, କୃଷ୍ଣ ଇତ୍ୟାଦି ଦଣ୍ଡନୃତ୍ୟ ପରିବେଶଣ କରି ବେଶ ସୁନାମ ଅର୍ଜନ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ, ସହୃଦୟ ବ୍ୟକ୍ତି ଭାବରେ ଅଂଚଳରେ ପରିଚିତ ଥିଲେ । ଗ୍ରାମର ଶ୍ମଶାନଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ବଡ଼ପୁଅ ରଶ୍ମିରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ ।