ପ୍ରଧାନମନ୍ତ୍ରୀ ଆବାସ ଗୃହ ; ସବୁ ପଞ୍ଚାୟତରେ ହେବ କର୍ମଶାଳା
ଯାଜପୁର ଟାଉନ: ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତଟିଏ ଗଢି ତୋଳି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାଥମିକତା ଦେଉଛନ୍ତି । ଯୋଜନାରେ ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ୨ଚକିଆ ଯାନ, ଫ୍ରିଜ୍ ଅଥବା ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାରକୁ ଅଯୋଗ୍ୟ ବିବେଚନା କରାଯିବ ନାହିଁ । ପରିବାରର ମାସିକ ଆୟର ସୀମା ୧୦ହଜାର ଟଙ୍କାରୁ ୧୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ନୂତନ ସର୍ଭେ ଆରମ୍ଭ ହେବାକୁ ଯାଉଛି । କ୍ଷେତ୍ର କର୍ମଚାରୀଙ୍କ ବ୍ୟତିତ ଚଳିତ ସର୍ଭେରେ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ ନିଜେ କରିପାରିବେ । ଜିଲାର ୩୧୧ ପଞ୍ଚାୟତରେ ଏସମ୍ପର୍କରେ କର୍ମଶାଳା ଡିସେମ୍ବର ୨, ୩, ଏବଂ ୪ ତାରିଖରେ ଆୟୋଜନ କରାଯିବ । ସର୍ଭେ ସମୟରେ ପରିବାର ସଦସ୍ୟଙ୍କ ଆଧାର, ଜବ କାର୍ଡ, ଏବଂ ବ୍ୟାଙ୍କ୍ ଜମା ଖାତା ପ୍ରସ୍ତୁତ ରଖିବା ଆବଶ୍ୟକ । ବ୍ଲକ କର୍ମଚାରୀ ଗ୍ରାମର ପ୍ରତ୍ୟେକ ସାହିକୁ ଗସ୍ତ କରି ଗୃହହୀନ ଏବଂ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ସର୍ଭେରେ ଅନ୍ତର୍ଭୁକ୍ତ କରିବେ । ପୂର୍ବ ଏକାନ୍ନବର୍ତ୍ତି ପରିବାରର ସଦସ୍ୟ ପୃଥକ୍ ଭାବେ ବସବାସ କରୁଥିଲେ ସେମାନଙ୍କୁ ସର୍ଭେରେ ଭିନ୍ନ ପରିବାର ହିସାବରେ ଗ୍ରହଣ କରାଯିବ । ଯୋଗ୍ୟ ଭିନ୍ନକ୍ଷମ ସଦସ୍ୟ, ତୃତୀୟ ଲିଙ୍ଗି, ବିଧବା, ନିରାଶ୍ରୟ ଏବଂ ମୁକ୍ତ ଗୋତି ଶ୍ରମିକ ପରିବାରଙ୍କ କ୍ଷେତ୍ରରେ ତାଲିକାଭୁକ୍ତ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱତନ୍ତ୍ର ଧ୍ୟାନ ଦେବେ । କ୍ଷେତ୍ର କର୍ମଚାରୀମାନେ ସର୍ଭେ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କର ବୟସ, ବୃତି, ଶିକ୍ଷାଗତ ଯୋଗ୍ୟତା, ଆଧାର ନମ୍ବର, ଜବ କାର୍ଡ ନମ୍ବର, ରୋଜଗାର ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟ ପୂରଣ କରିବେ ।
ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଭାବେ ପରିଗଣିତ ହେବେ । ସର୍ଭେ ଆରମ୍ଭ ହେବାର ଏକ ମାସ ପରେ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଓ ହିତାଧିକାରୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ପରିବାରଙ୍କ ନାମ ଗ୍ରାମୱାରି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ । ସର୍ଭେ ଶେଷ ହେବା ପରେ ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କ ତାଲିକାକୁ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ ଓ ଗ୍ରାମର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦର୍ଶନ କରାଯିବ । ଜିଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନିଜେ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା ସର୍ଭେକାର୍ଯ୍ୟ ତଦାରଖ କରିବେ ବୋଲି ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଗୃହ ମଞ୍ଜୁର ନିମନ୍ତେ ନୂତନ ହିତାଧିକାରୀ ଚିହ୍ନଟ ସମ୍ପର୍କୀୟ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ । ଖବରଦାତା ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରୋଜେକ୍ଟ ମ୍ୟାନେଜର, ରୁରାଲ ହାଉସିଂ ସୁହାନା ବେଗମ୍ ଉପସ୍ଥିତ ଥିଲେ ।