ଦରମା ଦାବିରେ ସେବାସମିତି ସହ ସମ୍ପାଦକଙ୍କ ଧାରଣା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା କୃଷି ସେବା ସମବାୟ ସମିତି ଲିଃର ସହକାରୀ ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସ ଗତ ଜାନୁୟାରୀ ଠାରୁ ବକେୟା ମାସିକ ଦରମା ପ୍ରଦାନ ଦାବିରେ ସମିତି ସମ୍ମୁଖରେ ସୋମବାର ସପରିବାର ଧାରଣା ଦେଇଛନ୍ତି । ଏଥିପାଇଁ ସମିତି ସଭାପତି ଓ କାର୍ଯ୍ୟରତ ସମ୍ପାଦକଙ୍କୁ ଦାୟୀ କରି ଗତ ଜୁନ ୨୯ ତାରିଖରେ ଦରମା ନମିଲେ ଧାରଣା ଦେବେ ବୋଲି ଭଦ୍ରକ ସମବାୟ ସମିତି ସହକାରୀ ନିବନ୍ଧକଙ୍କୁ ଶ୍ରୀ ଦାସଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ସମବାୟ ମନ୍ତ୍ରୀଙ୍କୁ ଜଣାଇଥିଲେ । ଗତ ମଇ ୧୩ ତାରିଖରେ ଉପନିବନ୍ଧଙ୍କୁ ସାକ୍ଷାତ କରି ବ୍ୟକ୍ତିଗତ ଭାବେ ସମସ୍ତ ବିଷୟ ଜଣାଇବା ସହ ଓକିଲ ନୋଟିସ କରିଥିଲେ । ଗତ ଜୁନ ୧୧ ତାରିଖରେ ଉପନିବନ୍ଧକ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୮୬ ଅନୁଯାୟୀ ସଂପୃକ୍ତ ସମିତି ସଭାପତିଙ୍କୁ ଆଇନଗତ ଜଟିଳତା ଏଡାଇବା ନିମନ୍ତେ ସହସମ୍ପାଦକ ଶ୍ରୀ ଦାସଙ୍କୁ ଦରମା ପ୍ରଦାନ ପାଇଁ କହିଥିଲେ । ପୁନଶ୍ଚ ଉପନିବନ୍ଧକ ଚଳିତ ମାସ ୨ ତାରିଖରେ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୩୨୦ ଅନୁଯାୟୀ ପୂର୍ବ ଅନୁରୋଧ କାର୍ଯ୍ୟକାରୀ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ୩ ଦିନ ମଧ୍ୟରେ ଦରମା ପ୍ରଦାନ ପାଇଁ ସଭାପତିଙ୍କୁ ଅନୁରୋଧ କରିଥିଲେ । ତାହା ପାଳନ କରାଯାଇନଥିବାରୁ ଆର୍ଥୀକ ତାଡନାରେ ଶ୍ରୀ ଦାସ ଆଜି ଦିନ ୧୦ଟା ଠାରୁ ସପରିବାରେ ଧାରଣାରେ ବସିରହିଛନ୍ତି । ଅନ୍ୟପକ୍ଷରେ ସମିତିର ୨୦୨୩-୨୪ ଓ ୨୦୨୪-୨୫ ଆର୍ଥୀକ ବର୍ଷର ବଜେଟ ପ୍ରସ୍ତୁତ କରାଯାଇନଥିବା, ସହସମ୍ପାଦକ ନୂତନ ସମ୍ପାଦକ ଅଜୟ କୁମାର ବେହେରାଭ୍କୁ ଦାଇତ୍ୱ ହସ୍ତାନ୍ତର କରିନଥିବା ଓ ନିୟମିତ ସମିତିକୁ ଆସୁନଥିବା ଆଦି କାରଣ ପାଇଁ ଦରମା ପ୍ରଦାନ କରାଯାଇନାହିଁ ବୋଲି ସମିତି ସଭାପତି ମୁକୁନ୍ଦ ଚରଣ ମଲ୍ଲିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।