‘ଦାନା’ମୁକାବିଲା ପାଇଁ ପ୍ରଶାସନର ତତ୍ପରତା
ବିଞ୍ଝାରପୁର/ସିଂହପୁର : ବାତ୍ୟା ଦାନାକୁ ନେଇ ଉପକୂଳବର୍ତି ଜିଲା ଗୁଡିକରେ ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏହି ପରିପ୍ରେକ୍ଷିରେ ଯାଜପୁର ଜିଲାପାଳ ପି.ଅନ୍ୟୁଷା ରେଡି ଆଜି ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିି ସ୍ଥିତି ସମୀକ୍ଷା କରିବା ସହିତ ବିଭିନ୍ନ ବାତ୍ୟାଆଶ୍ରୟ ସ୍ଥଳ ବୁଲି ଦେଖିଛନ୍ତି । ବିଡ଼ିଓ ଦିବ୍ୟନ୍ଦୁ ଦାସ, ତାସହିଲଦାର କୈଳାସ ଚନ୍ଦ୍ର ମହାଳିକ ଏବଂ ଓଡ୍ରାଫ ଟିମ ସହିତ ଆଲୋଚନା କରି ବାତ୍ୟା ମୁକୁବିଲା ପାଇଁ ପ୍ରସ୍ତୁତ ରଖିବାକୁ ଜିଲାପାଳ ସରକାରୀ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହା ସହିତ ମେଡିକାଲରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରିବା ସହିତ ସବୁ ବାତ୍ୟା ଆଶ୍ରୟ ସ୍ଥଳରେ ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରାଇବା ପାଇଁ ଜିଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାର ଦମ ବୃଦ୍ଧିକୁ ରୋକିବା ଏବଂ କଳାବଜାରୀ ରୋକିବା ପାଇଁ ବିଞ୍ଝାରପୁର ଯୋଗାଣ ବିଭାଗ ପକ୍ଷରୁ ଯୋଗାଣ ଅଧିକାରୀ ଶୁଭଙ୍ଗୀ ରାୟ ଓ ଟିମ ବାଳମୁକୁଳି, ସିଂହପୁର, ବିଞ୍ଝାରପୁର, ପ୍ରୀତିପୁର ଆଦି ଅଞ୍ଚଳରେ ବିଭିନ୍ନ ଗ୍ରୋସରୀ ଦୋକାନ ଓ ଗୋଦାମ ଗୁଡିକ ଉପରେ ଚଢ଼ାଉ କରି ବିକ୍ରେତା ମାନେ ନିର୍ଦ୍ଦରିତ ମୂଲ୍ୟ ରେ ସାମଗ୍ରୀ ବିକ୍ରି ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବାତ୍ୟା ଦାନାକୁ ନେଇ ବିଞ୍ଝାରପୁର ଅଞ୍ଚଳର ହଜାର ହଜାର ଚାଷୀ ଏବେ ଚିନ୍ତାରେ । ମୁଖ୍ୟତ ଧାନ ଚାଷ ବହୁଳ ଭାବେ କ୍ଷତି ହେବାର ଆଶଙ୍କା ଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଉଛନ୍ତି । ଅନେକ ସ୍ଥାନରେ ଚାଷୀ ମାନେ ଅଧା ପାଚିଲା ଧାନକୁ କାଟି ଅମଳ କରୁଥିବା ଦେଖା ଯାଉଛି । ସେହିପରି ମାଟି କୁଡ଼ିଆରେ ଥିବା ଲୋକ ମାନଙ୍କ ଚିନ୍ତା ମଧ୍ୟ ବଢିଯାଇଛି । ସେମାନଙ୍କୁ ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାନଗଲେ ଧନ ଜୀବନ ହାନିର ଆଶଙ୍କା ରହିଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବ୍ଲକ ପରିସରରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ।
ଚଣ୍ଡିଖୋଲ: ବତ୍ୟା ‘ଦାନା’ପାଇଁ ସବୁଠି ପ୍ରସ୍ତୁତି ଚାଲିଛି । ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ପକ୍ଷରୁ ସମୀକ୍ଷା କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ଚଣା ବିଧାୟକ ଅମର ନାୟକଙ୍କ ଅଧ୍ୟକ୍ଷତାରେଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡ଼ଚଣା ବିଡ଼ିଓ ରବୀନ୍ଦ୍ର ପ୍ରଧାନ, ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠି, ଥାନାଧିକାରୀ ଶ୍ରୀକାନ୍ତ ବାରିକଙ୍କ ସମେତ ସ୍ୱାସ୍ଥ୍ୟ, ପୂର୍ତ, ଅଗ୍ନିଶମ, ବନବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବା ସହିତ ଆବଶ୍ୟକୀୟ ଉପକରଣ ପ୍ରସ୍ତୁତ ରଖିବାକୁ ବିଧାୟକ ଶ୍ରୀ ନାୟକ ନିର୍ଦେଶ ଦେଇଥିଲେ । ବଡ଼ଚଣା ବ୍ଲକର ୪୩ ଗୋଟି ପଞ୍ଚାୟତରେ ବସବାସ କରୁଥିବା ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଦଶରଥପୁର: ଦାନା ମୁକାବିଲା ପାଇଁ ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇ ରହିଛି ବୋଲି ବିଡ଼ିଓ ଆକାଶ ପଟ୍ଟନାୟକ କହିଛନ୍ତି । ଜିରୋ କାଜୁଆଲିଟି ସହ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ବ୍ଲକ୍ ପ୍ରଶାସନ ପକ୍ଷରୁ ସବୁ ବିଭାଗର କର୍ମଚାରୀମାନଙ୍କୁ ନେଇ ଏକ ଜରୁରୀ ସମୀକ୍ଷା ବୈଠକ ହୋଇଯାଇଛି । ପୁଲିସ, ଅଗ୍ନିଶମ ବାହିନୀ ସହ ଉଦ୍ଧାରକାରୀ ଦଳକୁ ସମ୍ପୂର୍ଣ୍ଣଭାବେ ମୁକାବିଲା ପାଇଁ ସଜାଗ କରି ରଖାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକୀୟ ଖାଦ୍ୟପଦାର୍ଥ ସହ ପିଇବା ପାଣି ଓ ପର୍ଯ୍ୟାପ୍ତ ପରିମାଣର ଶିଶୁ ଖାଦ୍ୟ, ଔଷଧ ପ୍ରଭୃତି ମହଜୁଦ କରି ରଖିବା ସହ ପରିମଳ ବ୍ୟବସ୍ଥାକୁ ମଧ୍ୟ ଠିକ୍ କରି ରଖିବାକୁ ବିଡ଼ିଓ ନିଦେ୍ର୍ଦଶ ଦେଇଛନ୍ତି । ବ୍ଲକ୍ର ତଳିଆ ପଞ୍ଚାୟତ, ଦତ୍ତପୁର, କୟାଁ, ନିଜାମପୁର ପ୍ରଭୃତି ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ କରି ରଖାଯାଇଛି । ବିଡ଼ିଓ ଦତ୍ତପୁରର ଏକ ବାତ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରିବା ସହ ଏହି ଆଶ୍ରୟସ୍ଥଳୀର ସୁବିଧା ଅସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।