ଦାରିଦ୍ର୍ୟ ଓ ଅସମାନତା

ହିମାଂଶୁ ଶେଖର ଆଚାର୍ଯ୍ୟ : ସାଧାରଣରେ ଗୋଟିଏ କଥା ସବୁବେଳେ ଆଲୋଚିତ ହୋଇଥାଏ  ତାହାହେଲା ଦେଶ ଦରିଦ୍ର ହୁଏ କାହିଁକି ? ଏ ସମ୍ପର୍କରେ ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ଆଲୋଚନା ହୋଇଥାଏ । ବିଭିନ୍ନ କାରଣ ମଧ୍ୟ ଖୋଜା ଯାଇଥାଏ । କିନ୍ତୁ ସଠିକ୍‌ ଉତ୍ତର ମିଳିପାରେ ନାହିଁ । ସାଧାରଣ ଅର୍ଥରେ କହିଲେ ଦାରିଦ୍ର୍ୟ ଏକ ସାମାଜିକ ଅବସ୍ଥାକୁ ବୁଝାଇଥାଏ, ଯେଉଁଠି ଲୋକମାନେ ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚତ ହୋଇଥାନ୍ତି । ଏହାର କାରଣ ସମ୍ପର୍କରେ ବୁଝାଇବାକୁ ଯାଇ ଅର୍ଥଶାସ୍ତ୍ରୀ ରାଗ୍‌ନର ନରକ୍ସେ କହିଛନ୍ତି- ‘ଗୋଟିଏ ଦେଶ ଦରିଦ୍ର କାରଣ ତାହା ଦରିଦ୍ର’ । ଅନ୍ୟଅର୍ଥରେ କହିଲେ ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର ଦାରିଦ୍ର୍ୟ । ଏହି ଦାରିଦ୍ର୍ୟ ଅସମାନତା ସୃଷ୍ଟି କରେ ଯାହାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଏ । ସେଥିପାଇଁ କେତେକ ଲୋକ ପ୍ରାଚୁର୍ଯ୍ୟ ଭିତରେ ଥିବା ବେଳେ ଆଉ କେତେକ  ଦାରିଦ୍ର୍ୟ ଅବସ୍ଥାରେ ରହିଥାନ୍ତି ।

    ଦାରିଦ୍ର୍ୟର କାରଣ ବହୁବିଧ । ଉଭୟ ଚାହିଦା ଓ ଯୋଗାଣ ପାଶ୍ୱର୍ରେ ସ୍ୱଳ୍ପ ମୁଣ୍ଡ ପିଛା ଆୟ, ସ୍ୱଳ୍ପ ଚାହିଦା, ସ୍ୱଳ୍ପ ସଂଚୟ, ସ୍ୱଳ୍ପ ନିବେଶ  ଦାରିଦ୍ର୍ୟର କରାଳଚକ୍ର ସୃଷ୍ଟି କରୁଛି । ଏଥିପାଇଁ ସ୍ୱଳ୍ପ ଉତ୍ପାଦନ ସହିତ ମୁଣ୍ଡ ପିଛାଆୟ ହ୍ରାସ ପାଉଛି । ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ୧୯୯୩-୯୪  ମୋଟ ଜନ ସଂଖ୍ୟାର ୪୫.୩ ପ୍ରତିଶତ ଥିଲା, ଯାହା କି ୨୦୦୪-୦୫ ବେଳକୁ ୩୭.୨ ପ୍ରତିଶତକୁ ହ୍ରାସ ପାଇଥିଲା । ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଅନୁପାତ ସେହି ସମୟ ମଧ୍ୟରେ ୫୦.୧ପ୍ରତିଶରୁ ୪୧.୮ ପ୍ରତିଶତକୁ  ହ୍ରାସ ପାଇଥିଲା । ସହରାଞ୍ଚଳରେ ଏହି ଅନୁପାତ ୧୯୯୩-୯୪ ରୁ ୩୧.୮ ପ୍ରତିଶତକୁ ୨୦୦୪-୦୫ରେ ୨୫.୭ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୧୧-୧୨ ବେଳକୁ ଦେଶର ମୋଟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତକୁ ହ୍ରାସ ପାଇଥିଲା । ସଂଖ୍ୟାନୁସାରେ ଏହି ସମୟରେ ଦ୍ରାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୧ କୋଟିରୁ ୨୭ କୋଟିକୁ ହ୍ରାସ ପାଇଥିଲା । ତେବେ ଏହି ତଥ୍ୟ ସୁରେଶ  ତେନ୍ଦୁଲକର କମିଟି ଆଧାରରେ ଦିଆଯାଇଛି । କିନ୍ତୁ ଶ୍ରୀ ରଙ୍ଗ ରାଜନଙ୍କ କମିଟି ରିପୋର୍ଟରେ ଦେଶର ଦାରିଦ୍ର୍ୟ ହାର ୨୯.୬ ପ୍ରତିଶତ ବୋଲି କଳନା କରାଯାଇଛି ।ନିକଟରେ ନିତି ଆୟୋଗ ଦ୍ୱାରା  ପ୍ରସ୍ତୁତ ରିପୋର୍ଟରେ ଦାରିଦ୍ର୍ୟ କ୍ଷେତ୍ରରେ  ଜାତୀୟ ହାର ୨୫.୦୧ ପ୍ରତିଶତ ରହିଛି । 

     ଏକ ଅନୁକୂଳ ପରିବେଶ  ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ । ଜନସଂଖ୍ୟାର ବିସ୍ପୋରଣ  ପରିବେଶ ପାଇଁ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟିକରିଛି । ଦାରିଦ୍ର୍ୟ ନୟନ୍ତ୍ରଣ ପାଇଁ କେତକ ଫଳପ୍ରଦ ପଦକ୍ଷପ ନେବା ଜରୁରି ମନେ ହୁଏ । ନିବେଶ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଏହା ଲୋକମାନଙ୍କ ଆୟ ବୃଦ୍ଧି କରି ଦାରିଦ୍ର୍ୟ ହ୍ରାସ କରିବା ପାଇଁ ସହାୟକ ହୋଇଥାଏ । ଭାରତରେ ଘରୋଇ ସଞ୍ଚୟ ବୃଦ୍ଧି ଘରୋଇ ଆୟ ଉପରେ ନିର୍ଭର କରୁଥିବାରୁ ଏହା ଆମ  ଦେଶ ପାଇଁ ଅସମ୍ଭବ ମନେହୁଏ ତେଣୁ ଆମେ ପ୍ରଥମେ ବିଦେଶୀ ନିବେଶ ଉପରେ ନିର୍ଭର କରି ପରେ ଘରୋଇ ନିବେଶ ଓ ସଞ୍ଚୟ ବୃଦ୍ଧି ପାଇଁ ଯତ୍ନବାନ ହେବା ଆବଶ୍ୟକ । ପରିସଂଖ୍ୟାନରୁ ଜଣାଯାଏ, ସାରା ବିଶ୍ୱରେ ଏବେବି ୧.୩ ବିଲିୟନ ବା ୨୨ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ରହିଛନ୍ତି । ଚରମ ଦାରିଦ୍ର୍ୟ ରହିଥିବା ଦେଶ ମଧ୍ୟରେ ନାଇଜେରିଆରେ ୮୬.୯ ପ୍ରତିଶତ, କଙ୍ଗୋରେ ୬୦.୯ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟରେ ରହିଥିବାର ଜଣାଯାଏ । ସେହିପରି କମ୍‌ ଦାରିଦ୍ର୍ୟ ଥିବା ଦେଶ ମାନଙ୍କ ମଧ୍ୟରେ କତାର, ମକାଓ, ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନେ ରହିଛନ୍ତି । ‘ଗରିବୀ ହଟାଅ’ ଆମ ଜାତୀୟ ସ୍ଲୋଗାନ ହୋଇଥିଲେ ମଧ୍ୟ ଦାରିଦ୍ର୍ୟ ଭାରତ ପାଇଁ ଏକ ଆହ୍ୱାନ ହୋଇରହିଛି । ଏହା ନିଶ୍ଚିତ ପରିତାପର ବିଷୟ । ଏପରିକି ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ପରେବି ଏ କ୍ଷେତ୍ରରେ ଆମର ଅଗ୍ରଗତି ସନ୍ତୋଷ ଜନକ ହୋଇପାରିନାହିଁ । ଜନସଂଖ୍ୟା ବୃଦ୍ଧି ଏହାର ଏକ ପ୍ରମୁଖ କାରଣ । କୁହାଯାଏ, ବିକାଶ ପ୍ରକ୍ରିୟାରେ ମାନବ ସମ୍ବଳ ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ଭାରତରେ ଜନସଖ୍ୟା ବୃଦ୍ଧ ଆମ ପ୍ରଗତି ପଥରେ ପ୍ରଧାନ ପ୍ରତିବନ୍ଧକ ଭାବେ ଉଭାହୋଇଛି । ଫଳରେ  ଭାରତରେ ଯେତେ ସାମାଜିକ ଓ ଅର୍ଥନୈତିକ  ସମସ୍ୟା ସୃଷ୍ଟି ହେଉଛି ତାର ମୂଳରେ ରହିଛି ଏହି ଜନସଂଖ୍ୟା ବିସ୍ପୋରଣ । ଇତିମଧ୍ୟରେ ଭାରତର ଜାତୀୟ ଆୟ  ୭ ଗୁଣ ଆୟ ବୃଦ୍ଧି ପାଇଥିବା ବେଳେ ମୁଣ୍ଡପିଛା ଆୟ ମାତ୍ର ୩ଗୁଣ ବୃଦ୍ଧି ପାଇଛି । ଅର୍ଥ ଶାସ୍ତ୍ରୀ ମାଲଥସ୍‌ଙ୍କ ମତରେ ଏକ ଜନବହୁଳ ରାଷ୍ଟ୍ରରେ ଖାଦ୍ୟ  ଯୋଗାଣ ଅପେକ୍ଷା ଜନସଂଖ୍ୟାର ବୃଦ୍ଧି ଅଧିକା ହୋଇଥାଏ । ଏହା ଉତ୍କଟ ଖାଦ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏଥି ସହିତ ଶ୍ରମଶକ୍ତିର ଯୋଗାଣ ଚାହିଦାଠାରୁ ଅଧିକା ହେଲେ  ବେକାରୀ ସୃଷ୍ଟି ହୁଏ । ବେକାରୀ ସମସ୍ୟା ଭାରତୀୟ ଅର୍ଥନୀତିର ଚିର ସହଚର ହୋଇରହିଛି । ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଉପଭୋଗ ଖର୍ଚ୍ଚ ବଢାଇଥାଏ । ଫଳରେ ସଞ୍ଚୟ କମିଯାଏ ଓ ପୁଞ୍ଜିଗଠନ ହ୍ରାସପାଏ। ପ୍ରାୟ ୬୦ପ୍ରତିଶତ ଭାରତର କୃଷି ଉପରେ ନିର୍ଭରଶୀଳ । ନିମ୍ନ କୃଷି ଉତ୍ପାଦନଶୀଳତା ଗ୍ରାମାଞ୍ଚଳ  ଦରିଦ୍ରତାର  ମୁଖ୍ୟ କାରଣ ।

     ତେଣୁ କୃଷିର ଦ୍ରୁତ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବା ଆବଶ୍ୟକ ଯାହା ଫଳରେ ଏହା ଗ୍ରାମାଞ୍ଚଳ ଆୟ ବୃଦ୍ଧି କରି ଦାରିଦ୍ର୍ୟ ଦୂର କରିବାର ସହାୟକ ହୋଇପାରିବ । ଏଥି ସହିତ କୃଷି ଓ ଶିଳ୍ପ ପରସ୍ପର ନିର୍ଭରଶୀଳ । ଯେ କୋଣସି  ଗୋଟିକର ବିକାଶ, ଅନ୍ୟଟିର ବିକାଶ ପାଇଁ  ପଥ ପରିଷ୍କାର କରିଥାଏ । ସେହିପରି କୃଷି ଭିତ୍ତିକ ଶିଳ୍ପର ବିକାଶ ହେଲେ  ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇ ଦାରିଦ୍ର୍ୟ ହଟାଇପାରିବ । ଏଥିସହିତ ଯୁକ୍ତିଯୁକ୍ତ ଉତ୍ପାଦନ କୈାଶଳ ରାଷ୍ଟ୍ରରୁ  ବେକାରୀ ଦୂର କରିବା ପାଇଁ ସହାୟକ ପ୍ରଦାନ କରେ । ଉତ୍ପାଦନ କୈାଶଳ ଦୁଇ ପ୍ରକାର : ଯଥା ଶ୍ରମ ପ୍ରଧାନ କୈାଶଳ ଓ ପୁଞ୍ଜି ପ୍ରଧାନ କୈାଶଳ । ଭାରତ ଭଳି ଜନବହୁଳ ଦେଶରେ ଶ୍ରମପ୍ରଧାନ କୈାଶଳକୁ ବ୍ୟବହାର କରିବା ଉଚିତ କାରଣ ଦାରିଦ୍ର୍ୟ ନିରାକରଣ ପାଇଁ ଗଣନିଯୁକ୍ତିର ଯଥେଷ୍ଟ ଆବଶ୍ୟକତା ରହିଛି ।ଏତଦ୍‌ବ୍ୟତୀତ ଆଉକେତେକ ପଦକ୍ଷପ ନେବା ଜରୁରି ମନେହୁଏ । ସେଗୁଡିକ ହେଲା - (କ) ନିମ୍ନ ଆୟକାରୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ଦ୍ରବ୍ୟ ଉପରେ ସରକାର କମ୍‌ ଟିକସ ବସାଇବା ଆବଶ୍ୟକ । ଏହା ସେମାନଙ୍କର ଉପଭୋଗ କ୍ଷମତା ବୃଦ୍ଧି କରିପାରିବା ଏବଂ ସେମାନଙ୍କୁ ଦାରିଦ୍ର୍ୟର ସୀମାରେଖା ଉପରକୁ ଆଣିପାରିବ (ଖ) ଦରିଦ୍ର ମାନଙ୍କୁ ସରକାରୀ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଅତ୍ୟାବଶ୍ୟକ ଦ୍ରବ୍ୟ ରାହାତି ମୂଲ୍ୟରେ ଯୋଗାଇଦେବା ଉଚିତ୍‌ (ଗ) ଆଇନ୍‌ ଦ୍ୱାରା ସରକାର ସମସ୍ତଙ୍କ ପାଇଁ ନ୍ୟାୟୋଚିତ ମଜୁରି ବ୍ୟବସ୍ଥା କରିବା ଉଚିତ୍‌ (ଘ) ଦରିଦ୍ରମାନଙ୍କୁ  ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଗାଇଦେବା ଉଚିତ୍‌ (ଙ) ପ୍ରତ୍ୟେକ ଦରିଦ୍ର ପରିବାରର ଅତିକମ୍‌ରେ ଜଣକୁ ନିଯୁକ୍ତି ଦେବା  ଜରୁରୀ । ଦାରିଦ୍ର୍ୟ ଉଭୟ ସମାଜ ଓ ଅର୍ଥବ୍ୟବସ୍ଥା ପାଇଁ ଏକ ଅଭିଶାପ । ଏହା ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଥାଏ। ବିଶ୍ୱସ୍ତରରୁ ଆରମ୍ଭ କରି ଆମ ଦେଶ ତଥା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ଯୋଜନା କରାଯାଇଛି ଓ କରାଯାଉଛି ମଧ୍ୟ। କିନ୍ତୁ ସେଗୁଡିକର ସଫଳତା ଉତ୍ସାହଜନକ ନୁହେଁ । ତେଣୁ ଦାରିଦ୍ର୍ୟର ଆଶୁ ନିରାକରଣ ପାଇଁ ଅଧିକ ନିବେଶ, କୃଷିର ବିକାଶ, ଯୁକ୍ତିଯୁକ୍ତ ଉତ୍ପାଦନ କୈାଶଳ, ଦରଦାମର ସ୍ଥିରତା, ଅସମାନତା ହ୍ରାସ, ଜନସଂଖ୍ୟା ନିୟନ୍ତ୍ରଣ ଓ ସର୍ବୋପରି କ୍ଷୁଦ୍ରଶିଳ୍ପ ଓ କୁଟୀର ଶିଳ୍ପ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ଉଚିତ। ତାହାନହେଲେ  ଦାରିଦ୍ର୍ୟ ଆମ ପାଇଁ ଚିର ସହଚର ହୋଇ ରହିଯିବ। 


ମୋ - ୯୯୩୭୧୫୧୦୫୨