ଦିବ୍ୟାଙ୍ଗ ଛାତ୍ରଙ୍କ ହାତ ମୋଡିବା ଘଟଣା: ପ୍ରଶାସନର ଦ୍ୱାରସ୍ଥ ହେଲେ ଅଭିଭାବକ

 ଢେଙ୍କାନାଳ : ଢେଙ୍କାନାଳ ସହରଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ପରିଚାଳନା କମିଟିର ଜଣେ ସଦସ୍ୟ ଜଣେ ଦୃଷ୍ଟିହୀନ ଛାତ୍ରଙ୍କ ହାତମୋଡି ତଳେପକାଇଦେଇଥିବା ଅଭିଯୋଗ ଘଟଣାରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୁଅକୁ ନ୍ୟାୟ ପ୍ରଦାନ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଦୃଷ୍ଟିହୀନ ଛାତ୍ରଙ୍କ ବାପା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ମୋଟଙ୍ଗା ଥାନା ଖଡଗପ୍ରସାଦ ଗ୍ରାମର ନେପାଳୀ ପାତ୍ରଙ୍କ ପୁତ୍ର ବାବୁ ପାତ୍ର (୧୪) ସହରର  କଂଟାନାଳୀ ବାଇପାସ ସ୍ଥିତ ଅକ୍ଷମ କଲ୍ୟାଣ ସମିତି ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପଢୁଛନ୍ତି ।   ବିଦ୍ୟାଳୟ ପରିଚାଳନା କମିଟିର ଜଣେ କର୍ମକର୍ତା ଗତ ୯ ତାରିଖରେ ବିଦ୍ୟାଳୟକୁ ଯାଇଥିଲେ । ଦୃଷ୍ଟିହୀନ ଛାତ୍ର ବାବୁ ପାତ୍ର ଭୁଲବଶତଃ ନିଜର ସହପାଠୀ ଭାବି ତାଙ୍କ କାନ୍ଧରେ ହାତ ପକାଇଦେଇଥିଲେ । ଏଥିରେ ସେ ବିରକ୍ତଭାବ ପ୍ରକାଶ କରି ସଂପୃକ୍ତ ଛାତ୍ରର ହାତ ମୋଡି ତଳେ ପକାଇ ଦେଇଥିବା ଅଭିଯୋଗ ହୋଇଛି ।  ଛାତ୍ରଟି  ହାତରେ କଷ୍ଟ ଅନୁଭବ କରିବାରୁ ବିଦ୍ୟାଳୟ ଶିକ୍ଷକଙ୍କ ପରାମର୍ଶ କ୍ରମେ ସେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଚିକିତ୍ସା ହେବାକୁ ଯାଇଥିଲେ । ଏ ଘଟଣା ଜାଣିବା ପରେ ନେପାଳୀ ବିଦ୍ୟାଳୟରେ ପହଂଚି ପୁଅକୁ ଦେଖା କରିଥିଲେ । ନେପାଳି ଅଭିଯୋଗ କରିଛନ୍ତି ଯେ, ଏଥିସହିତ ରାତିରେ କେତେକ ଲୋକଙ୍କୁ ମଳୟ ପାଣିଗ୍ରାହୀ ଗାଡିରେ ପଠାଇ ଅଫିସ ଖୋଲି କ୍ୟାମେରାରୁ କିଛି ଗୁପ୍ତ ଜିନିଷ ନେଇଯାଇଥିବା ଅନ୍ୟ ପିଲାମାନେ କହିଛନ୍ତି । ପୁଅକୁ ମାଡହେବା ପର ଠାରୁ ସେ ଭୟରେ ଠିକ୍ରେ ଖାଇପାରୁନାହିଁ କି ଶୋଇପାରୁନାହିଁ । ଏହାର  ତଦନ୍ତ କରି  ଦୃଷ୍ଟିହୀନ ପୁଅକୁ  ନ୍ୟାୟ ପ୍ରଦାନ କରିବା ଲାଗି ଆଜି ନେପାଳି ତାଙ୍କ ପୁଅ ସହ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଜିଲ୍ଲା ମଙ୍ଗଳ କମିଟି ଅଧ୍ୟକ୍ଷ ପୁଷ୍ପକ ତ୍ରିପାଠୀ, ସଦସ୍ୟା କୃଷିଦା ବେଗମ, ଡିସିପିଓ ଅନୁରାଧା ଗୋସ୍ୱାମୀ ପ୍ରମୁଖ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ ।