ଚାଲିଛି ଆଇପିଏଲ୍ ସଟ୍ଟା, ପ୍ରଶାସନ ନିରବ
ବ୍ରହ୍ମପୁର: ବର୍ତ୍ତମାନ ସାରା ଦେଶରେ ଆଇପିଏଲ କ୍ରିକେଟ ଖେଳର ଗରମ । ଫଟାଫଟ କ୍ରିକେଟର ଭାରତୀୟ ସଂସ୍କରଣ ଆପିଏଲ କ୍ରିକେଟ ମ୍ୟାଚ୍ÿ ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି । କ୍ରିକେଟର ଏହି ରୋମାଞ୍ଚଭରା କ୍ରିକେଟ ପ୍ରତ୍ୟେକ ବର୍ଗଙ୍କୁ ବେଶ ଆକର୍ଶିତ କରୁଛି । ସନ୍ଧ୍ୟା ହୋଇଗଲେ ଟିଭି ସମ୍ମୁଖରେ ଘଣ୍ଟା ଘଣ୍ଟା ବିତାଉଛନ୍ତି ଯୁବପିଢି । ଏହି ଖେଳକୁ ନେଇ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ବାଜିରେ ଲାଗୁଥିବା ସହରରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରଥମ ଓଭରର ପ୍ରଥମ ବଲ୍ ଠାରୁ ଆରମ୍ଭ କରି ଶେଷ ଓଭରର ଶେଷ ବଲ୍ ପର୍ଯ୍ୟନ୍ତ ପ୍ରତି ରନ୍ ପିଛା ବାଜି ଲାଗୁଥିବାର ଶୁଣିବାକୁ ମିଳୁଛି । ଆଉ ଏହାର କେନ୍ଦ୍ରସ୍ଥଳି ପାଲଟିଛି ବ୍ରହ୍ମପୁର ସହର । ବ୍ରହ୍ମପୁର ସମେତ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଅବାଳ ବୃଦ୍ଧ ବନିତା ଆଇପିଏଲ ମାନିଆ ହୋଇପଡିଥିବା ବେଳେ ଖେଳକୁ ନେଇ ସଟ୍ଟାବାଜି ଜୋର ସୋରରେ ଚାଲିଛି । ଏଥିପାଇଁ କିଛି ନିର୍ଦ୍ଧିଷ୍ଟ ଯୁବକ ବୁକି ସାଜିଥାନ୍ତି । ସେଥି ପାଇଁ ମୁଖ୍ୟ ବୁକିକୁ କିଛି ନିର୍ଦ୍ଧିଷ୍ଟ ଆକାରରେ ଅର୍ଥ ଦେବାକୁ ପଡୁଛି । ନଚେତ ଅନ୍ଲାଇନ୍ ଆପ୍ ମାଧ୍ୟମରେ ଟଙ୍କା ଟ୍ରାନସଫର କରିଥାନ୍ତି । ଉକ୍ତ ଆପ୍ ମାଧ୍ୟମରେ କେଉଁ ମ୍ୟାଚ୍ରେ କେଉଁ ଦଳ ବିଜୟୀ ହେବ, କେଉଁ ଓଭରରେ କେତେ ରନ ହେବ ଏବଂ ୱିକେଟ ଯିବ କି ନାହିଁ ସେଥିରେ ବାଜି ଲାଗିଥାଏ । ସେହିଭଳି ପ୍ରତି ଓଭରରେ ଚୌକା ଓ ଛକା ପାଇଁ ଡବଲ ବାଜି ଲାଗିଥାଏ । ଦୈନିକ ପ୍ରାୟ ବ୍ରହ୍ମପୁର ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଲକ୍ଷାଧିକ ଟଙ୍କାର ସଟ୍ଟା ବାଜି ଚାଲୁଥିବାର ଜଣାପଡିଛି । ମୁଖ୍ୟତଃ ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଗୋପାଳପୁର, ଦିଗପହଣ୍ଡି,, ଚିକିଟି, ଭଞ୍ଜନଗର ଆଦି ଅଞ୍ଚଳରେ ଅତି ବ୍ୟାପକ ଭାବରେ ବୁକି ମାନେ କିଛି ଦଲାଲଙ୍କ ଜରିଆରେ ଏହି ଜୁଆ ଚଳାଉଥିବା ଅଭିଯୋଗ ଆସୁଛି । ବ୍ରହ୍ମପୁର ସହରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ନିଜ ସହଯୋଗୀଙ୍କ ଜରିଆରେ ବେଧଡକ ଭାବେ ଆଇପିଏଲ କ୍ରିକେଟ ଜୁଆ ଖେଳ ଚଲାଇଥିବାର ଜଣାପଡିଛି । କମ୍ ସମୟରେ ଅଧିକ ଟଙ୍କା ରୋଜଗାର ଲୋଭରେ ପଡି ଯୁବପିଢି ସର୍ବସ୍ୱ ହରାଉଛନ୍ତି । ଏଠାରେ ସୂଚନା ଥାଉକି କେନ୍ଦୁଝର ଜିଲ୍ଲାର ଆନନ୍ଦ ପୁର ଅଞ୍ଚଳର ଜଣେ ଯୁବକ ନିଜ ଘରୁ ମା’ଙ୍କ ସୁନା ଅଳଙ୍କାର ଚୋରି କରି ଉକ୍ତ ଟଙ୍କାରେ ଆଇପିଏଲରେ ହାରି ଯାଇ ନିଜ ମା’ଙ୍କୁ ଘରୁ ଚୋରି ହୋଇଛି ବୋଲି ଥାନାରେ ଅଭିଯୋଗ କରିବାକୁ ପଠାଇ ଥିଲେ । କିନ୍ତୁ ପୋଲିସର ତଦନ୍ତ ପରେ ସବୁ କିଛି ଲୋକ ଲୋଚନକୁ ଆସି ଗିରଫ ବି ହେଲେ । ଏହି ପରି ଯୁବପିଢ଼ି ଖରାପ ଦିଗକୁ ଯିବା ଅନେକ ନଜିର ମଧ୍ୟ ରହିଛି । ବିଗତ ଦିନରେ ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ବୁକ୍କୀଙ୍କୁ ଗିରଫ କରିଥିଲା କିନ୍ତୁ ଚଳିତ ବର୍ଷ କୌଣସି ପଦକ୍ଷେପ ପୋଲିସ ନେଇନାହିଁ । ଯାହା ଫଳରେ ଜୁଆଡ଼ି ମାନେ ଲଗାମ ଛଡା ହୋଇ ପଡିଛନ୍ତି । କ୍ରିକେଟ ଆଇପିଏଲ ବେଟିଂ ଭଳି ବେଆଇନ କାରବାର ଚାଲିଥିବା ସହର ର ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହୋଇଛି । ଏ ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ନଚେତ ଆଗାମୀ ଦିନରେ ଅନେକ ଯୁବକ ଆତ୍ମହତ୍ୟା ମଧ୍ୟ କରିବାକୁ ବାଧ୍ୟ ହେବା ସହିତ ଚୋରି ଏବଂ ଡକାୟତି ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ।