ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗ : ଲୋକଙ୍କ ଭାବନାକୁ ପ୍ରଭାବିତ କରି ପାରୁନାହାନ୍ତି ମମତା : ଜଗତଗୁରୁ

ପୁରୀ : ଦୀଘାରେ ଜଗନ୍ନାଥ ଧାମ ନାମ ବ୍ୟବହାର ପ୍ରସଙ୍ଗକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଏଥି ପ୍ରସଙ୍ଗକୁ ନେଇ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ଇସ୍କନ ସଂସ୍ଥା ବହନ କରିଛି । ଦୀଘାକୁ ଜଗନ୍ନାଥ ଧାମ ବୋଲି ଇସ୍କନ ପ୍ରତିପାଦିତ କରିବାକୁ ଚାହୁଁଛି । ତିଥି ଅନୁଯାୟୀ ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନୀତି । ଜଗନ୍ନାଥ ଧାମ ବୋଲି ଦୀଘାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରବଳ ପ୍ରଚେଷ୍ଟା ଚାଲିଛି । ପରିଚାଳନା ଦାୟିତ୍ୱରେ ଥିବା ଇସ୍କନ ସଂସ୍ଥା ଜଗନ୍ନାଥ ଧାମ ଶଦ୍ଦ ବ୍ୟବହାରକୁ କାହିଁକି ବିରୋଧ କରୁନାହିଁ ? ଏପରିକି ଅଦିନିଆ ରଥଯାତ୍ରା ପାଳନ ଉପରେ କାହିଁକି ରୋକ ଲଗାଉନାହିଁ ଇସ୍କନ ସଂସ୍ଥା ? ଏଭଳି ଯୁକ୍ତି ବାଢିଥିଲେ ପଦ୍ମଶ୍ରୀ ଶ୍ରୀ ପଟ୍ଟନାୟକ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ମୁଖ୍ୟ ଭାବରେ ଏହା ଉପରେ ମତ ଓ ଆଭିମୁଖ୍ୟ ରଖିବାକୁ ସେ ଅନୁରୋଧ କରିଥିଲେ । ଅପରପକ୍ଷେ ବାରମ୍ବାର ବିରୋଧ ଦ୍ୱାରା ଯେପରି ସେମାନଙ୍କ ପାଇଁ ସମର୍ଥନ ନବଢିବ ସେଥିପ୍ରତି ଧ୍ୟାନ ଦେବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ପୁରୀ ମନ୍ଦିରକୁ ବଙ୍ଗୀୟ ଯାତ୍ରୀମାନେ ଆସିବା ଫଳରେ ପୁରୀର ଅର୍ଥନୀତି ସୁଦୃଢ ହୋଇଥାଏ । ପଶ୍ଚିମବଙ୍ଗରେ ମମତା ସରକାର ଦୀଘା ମନ୍ଦିର ନାମରେ ଅର୍ଥନୀତିକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରୁଛନ୍ତି । କିନ୍ତୁ ଲୋକଙ୍କ ଭାବନାକୁ ପ୍ରଭାବିତ କରିପାରିନାହାନ୍ତି । ଶ୍ରୀକ୍ଷେତ୍ର ଅଷ୍ଟମ ପୁରୀ ଭାବରେ ଶାସ୍ତ୍ର ବିଦିତ । ଦ୍ୱାରକା ପୁରୀ କହିଲେ ଦ୍ୱାରକାକୁ ବୁଝାଏ । ପୁରୀ କହିଲେ କେବଳ ଜଗନ୍ନାଥ ଧାମ ପୁରୀକୁ ବୁଝାଏ । ତେଣୁ ପୁରୀ ହିଁ କେବଳ ଜଗନ୍ନାଥ ଧାମ ବୋଲି ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି ।