ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ପାଣିକୋଇଲି : ଶନିବାର ସକାଳ ସାଢେ ୮ଘଟିକା ସମୟରେ ୧୬ନମ୍ବର ଜାତୀୟ ରାଜପଥର ସୋତି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ୪ବର୍ଷର ଶିଶୁପୁତ୍ର ଅଳ୍ପକେ ବର୍ତିର୍ ଯାଇଥିଲା । ଖବର ମତେ କୋରେଇ ଥାନା ଅନ୍ତର୍ଗତ ଅସନଝର ପଂଚାୟତ ଅନ୍ତର୍ଗତ ସୋଲବନ୍ଦୀ ଗ୍ରାମର ସ୍ୱର୍ଗତ ରଘୁନାଥ ମଲିକଙ୍କ ସାନପୁଅ ସୁକାନ୍ତ ଓ ତାଙ୍କ ପତ୍ନୀ ଝୁନୁ ୪ବର୍ଷର ସାନ ପୁଅ ସହିତ କତରାପୁର ମା’ କାଳୀଙ୍କ ଦର୍ଶନ ସାରି ଓଡ଼ି୩୪ସି-୧୮୦୧ ବାଇକରେ ଘରକୁ ଫେରୁଥିବା ବେଳେ ସୋତି ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକକୁ ସାଇଡ଼ ମାରିଥିଲା । ଫଳରେ ଉଭୟ ପତିପତ୍ନୀ ଛିଟିକି ବାଇକରୁ ପଡ଼ିଥିଲେ । ଉକ୍ତ ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଏକ ଗାଡ଼ି ଝୁନୁଙ୍କ ଉପରେ ଚଢିଯିବା ପରେ ସୁକାନ୍ତଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଝୁନୁଙ୍କର ମୃତ୍ୟୁ ଘଟିଥିବା ବେଳେ ସୁକାନ୍ତ ମୁର୍ମୁଷ ଅବସ୍ଥାରେ ପଡ଼ି ରହିଥିଲେ । ଖବରପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଁଚି ଉଭୟ ସୁକାନ୍ତଙ୍କୁ ପାଟ୍ରୋଲିଂ ଭ୍ୟାନ ଓ ଝୁନୁଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୁକାନ୍ତଙ୍କ ବଡ଼ଭାଇ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ଋୁଜୁ କରି ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।