ଦୁର୍ଘଟଣାରେ ଯୁବକ ମୃତ; ଚାଳକ ଗିରଫ

ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ଶାଳବା ଗ୍ରାମର ଜଣେ ଯୁବକଙ୍କ  ବାଇକ ଧକ୍କାରେ  ମୃତ୍ୟୁ ଘଟିଛି ।  ମୃତକଙ୍କ ବଡ଼ଭାଇ ରବିନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ଋଜୁ କରିବା ସହିତ ଧକ୍କା ଦେଇଥିବା ବାଇକର ଚାଳକକୁ କୋର୍ଟ ଚାଲାଣ କରିଛି । ସୂଚନାନୁସାରେ ଗ୍ରାମର ସ୍ୱର୍ଗତ ପିତାମ୍ବର ଜେନାଙ୍କ ସାନପୁଅ ରାଜେନ୍ଦ୍ର ଗତ ୨ତାରିଖ ରାତିରେଓଡ଼ି୩୪ଇ-୫୯୦୩ ବାଇକରେ ବୈତରଣୀ ବଜାରରୁ ଘରକୁ ଫେରୁଥବା ବେଳେ ରଙ୍ଗରଙ୍ଗା ନଦୀବନ୍ଧ ଠାରେ ଓଡ଼ି୩୪ଏସ-୯୧୬୦ ନଂ ଦ୍ରୁତଗାମୀ ବାଇକ ରାଜେନ୍ଦ୍ରଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ରାଜେନ୍ଦ୍ର ରାସ୍ତା ଉପରେ ପଡ଼ି ଗୁରୁତର ହୋଇପଡ଼ିଥିଲେ । ଖବରପାଇଁ ବୈତରଣୀ ରୋଡ଼ ଅଗ୍ନିଶମ ଗାଡ଼ିରେ ରାଜେନ୍ଦ୍ରଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲା କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ବଡ଼ଭାଇ ରବିନ୍ଦ୍ରଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ଋଜୁ କରି ରଜେନ୍ଦ୍ରଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିବା ସହିତ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଏହି ଥାନା ଅନ୍ତର୍ଗତ ବରେଇପୁର ଗ୍ରାମର ନରହରି ବେହେରାଙ୍କ ପୁଅ ନିର୍ମଳକୁ (୩୦)ଗିରଫ କରି କୋର୍ଟ ଚାଲାଣ କରିଛି ।