ଏଣ୍ଡଳବା ପଞ୍ଚାୟତରେ ଖୋଲିଛି ଚୋରାମଦ ପସରା 

ାା ପ୍ରଭାନୁ୍ୟଜ ।ା କବାଟବନ୍ଧ : ଧର୍ମଶାଳା ଅବକାରୀ ବିଭାଗ ଅଧୀନ ଏଣ୍ଡଳବା ପଞ୍ଚାୟତ ବିଭିନ୍ନ ସ୍ଥାନରେ ଚୋରା ମଦର ପସରା ମେଲିଛି । ଦେଶୀ ହେଉ କି ବିଦେଶୀ ମଦର ବେପାର ଏଣ୍ଡଳବା ବନ୍ଧ ଲକ୍ଷ୍ମୀ ବଜାର, ବେହେରା ସାହି, ଦଳିତସାହି, ବିଛାଖଣ୍ଡି, ବାଘୁଆ ବାରଣା, ବିଛାଖଣ୍ଡି କଳା ପଥର ଖାଦାନ ସମେତ ଛକମାନଙ୍କରେ ଥିବା ପାନ ଦୋକାନରୁ ଆରମ୍ଭ କରି ଅନ୍ୟାନ୍ୟ ଦୋକାନ ମାନଙ୍କରେ ବେଫିକର ବିକ୍ରି ଚାଲିଥିବାର ଅଭିଯୋଗ ହେଉଛି । ବିଦେଶୀ ମଦର ମୂଲ୍ୟ ବୃଦ୍ଧି ପାଇବାରୁ ଏହି ଅଞ୍ଚଳରେ ଦେଶୀ ମଦର ମାତ୍ରା ଧିକ ବୃଦ୍ଧି ପାଇବାରେ ଲାଗିଛି । ସୁକିନ୍ଦା ଅଞ୍ଚଳରୁ ରନ୍ଧା ହୋଇ ଡଙ୍ଗା ଏବଂ ଟିୟୁବ ସାହାଯ୍ୟରେ ଦେଶୀ ମଦ ପରିବହନ ହେଉଥିବା ସ୍ଥାନୀୟ ଲୋକ ନାମକୁ ଗୋପନ ରଖି କହିଛନ୍ତି । ଏହି ଅଞ୍ଚଳରୁ ସମସ୍ତ ଦେଶୀ ମଦ ବିଭିନ୍ନ ଗ୍ରାମର ବ୍ୟବସାୟୀ ମାନଙ୍କ ପାଖରେ ରାତି ଏବଂ ଭୋର ସମୟରେ ବାଇକ ଯୋଗେ ପହଁଚାଇ ଦିଆଯାଇଥାଏ । ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣତଃ ଚାଷୀ ମୂଲିଆ ଶ୍ରେଣୀର ହୋଇଥିବାରୁ ଦିନମଜୁରିଆ ଭାବେ ଯାହା ରୋଜଗାର କରନ୍ତି ତାକୁ ସନ୍ଧ୍ୟାରେ ମଦ ପାଣିରେ ସାରିଦିଅନ୍ତି । ଫଳରେ ପାରିବାରିକ ଜୀବନରେ ଅଶାନ୍ତି ଲାଗିରହୁଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏଠାରୁ ଚୋରାମଦ କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।