ଦୟନୀୟ ସ୍ଥିତିରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ସରୀସୃପଙ୍କ ଚରାଭୂଇଁ, ଜମୁଛି ନିଶାଡୀଙ୍କ ଆଡ୍ଡା
ଜୟପୁର: ଦୟନୀୟ ସ୍ଥିତିରେ ଜୟପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସା କେନ୍ଦ୍ର । ଅଧିକାରୀ ଏବଂ କର୍ମଚାରୀ ଅଭାବକୁ ନେଇ ସେବା ଦେବାରେ ବିଫଳ ହେଉଛି ବିଭାଗ । ଏହାସହ ଚିକିତ୍ସାଳୟ ପରିସରରେ ଥିବା ଲତାବୁଦାରେ ସରୀସୃପମାନଙ୍କ ଚରାଭୁଇଁ ପାଲଟିଛି । କିଛି ସ୍ଥାନକୁ ଜବରଦଖଲ କରିଛନ୍ତି ଜମି ମାଫିଆମାନେ । ଆଜି ସୁଦ୍ଧା ପ୍ରାଣୀ ଚିକିତ୍ସାଳୟ ପାଇଁ ପୂର୍ବରୁ ରହିଥିବା ୫ ଏକରରୁ ଊଦ୍ଧ୍ୱର୍ ଜାଗା ମଧ୍ୟରୁ କେବଳ ୨.୨୭ ଏକର ଚିକିତ୍ସାଳୟ ନାମରେ କରିବାକୁ ପ୍ରଶାସନ ଯୋଜନା କରିଥିବା ଗୋଚୋରକୁ ଆସିଛି, କିନ୍ତୁ ଆଜି ସୁଦ୍ଧା ଏହା ହୋଇନାହିଁ । ଚିକିତ୍ସାଳୟ ପରିସରରେ ମୁଖ୍ୟ ରାସ୍ତା କଡରେ ଅପେଲଫେଡ ମାଧ୍ୟମରେ ସ୍ଥାନୀୟ କୁକୁଡ଼ା ଗୁଣ୍ଡୁରି ଚାଷୀମାନଙ୍କ ଠାରୁ କିଣି ସ୍ଥାନୀୟ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଯୋଜନା ସରକାର କରିଥିଲେ, କିନ୍ତୁ ଅପେଲଫେଡ ଠାରୁ ଲିଜ ସୂତ୍ରରେ ନେଇଥିବା ବ୍ୟବସାୟୀ ବାହର ରାଜ୍ୟରୁ କୁକୁଡ଼ା ଆଣି ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହା ସହ ଯେତିକି ସ୍ଥାନ ଲିଜ୍ ସୂତ୍ରରେ ଦିଆଯାଇଛି, ତାହା ଠାରୁ ଅଧିକ ସ୍ଥାନ ଅକ୍ତିଆର କରି ନିଜସ୍ୱ ବାସଗୃହ କରିଥିବା ଦୃଷ୍ଟିକୁ ଆସିଛି । ନିର୍ମାଣାଧିନ ୪ କୋଟି ୩ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ନୂତନ ଗୃହଟି ପ୍ରଥମ ଟେଣ୍ଡରରେ କାର୍ଯ୍ୟ ବିଫଳ ହୋଇଥିବାବେଳେ ଦ୍ୱିତୀୟ ଟେଣ୍ଡରର ଅବଧି ସରିବାକୁ ଯାଉଥିଲେ ସୁଦ୍ଧା କାହାର ନିଘା ନାହିଁ । କାର୍ଯ୍ୟାଳୟ ପରିସରର ଭଙ୍ଗା ପାଚେରୀ ଡେଇଁ ଦିନ ଏବଂ ରାତିରେ ଜମୁଛି ଅପରାଧୀଙ୍କ ମେଳି । ପ୍ରାଣୀ ଚିକିତ୍ସାଳୟ ପରିସରରେ ଖାଲି ମଦ ବୋତଲ କୁଢ଼ କୁଢ଼ ପଡି ରହିଥିବା ଦେଖାଯାଇଛି । ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ସହ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ବାସଗୃହ ଭାଙ୍ଗି ରୁଜି ଯାଇଥିବାବେଳେ ପରିସରରେ ଅର୍ଦ୍ଧନିର୍ମିତ ପରୀକ୍ଷାଗାର ସମ୍ପୂର୍ଣ୍ଣ କେବେ କରିବେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି । ପୁରୁଣା ଗୃହଗୁଡ଼ିକୁ ମରାମତି କରିବା ପ୍ରତି ସରକାରଙ୍କ ତିଳେ ମାତ୍ର ସ୍ପୁହାନାହିଁ । ପ୍ରାଣୀଧନର ସେବା ଏବଂ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।