ବୃଦ୍ଧାଙ୍କ ଭତ୍ତା ଗଲା କୁଆଡେ?
ାା ପ୍ରଭାନୁ୍ୟଜ୍ ।ା ନୂଆପଡା: ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତର ଚିଚେର ଗ୍ରାମର ଅମୃତ ଦେଇ ବାଗ, ବୟସ ସତୁରି ଡେଇଁଲାଣି । ଠିକ୍ ଭାବରେ ଚଳ ପ୍ରଚଳ କରି ପାରୁ ନାହାନ୍ତି । ଦରକାର ପଡ଼ିଲେ ପରିବାର ଲୋକଙ୍କ ସାହାରାରେ ବାହାରକୁ ଆସନ୍ତି । ନହେଲେ ଖଟରେ ସେମିତି ଶୋଇ ଥାଆନ୍ତି । ସେ କିନ୍ତୁ ୧୬ ମାସର ଭତ୍ତା ପାଇ ପାରୁ ନାହାନ୍ତି । ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ଲାଭ ମିଳୁନି । ଅନେକ ଅଭିଯୋଗ ପରେ ଗତମାସରେ ତାଙ୍କ ଆକାଉଣ୍ଟରେ ଚାରି ମାସର ଭତ୍ତା ଟଙ୍କା ପଡ଼ିଥିଲା । ତାଙ୍କୁ ନେଇ ପରିବାର ଲୋକେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଟଙ୍କା ଉଠାଣ ପାଇଁ ଯାଇଥିଲେ ମଧ୍ୟ ଆଧାର ପାଇଁ ଅଙ୍ଗୁଳି ଛାପ ଆସି ନ ପାରିବାରୁ ଉଠାଇ ପାରି ନଥିଲେ । ଖଡ଼ିଆଳ ଷ୍ଟେଟ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟ ଥିବାରୁ ଏତେ ଦୂର ତାଙ୍କୁ ନେବା ସମ୍ଭବ ନୁହଁ । ତାଙ୍କୁ କ୍ୟାସ ଆକାରରେ ଭତ୍ତା ପ୍ରଦାନ ପାଇଁ ପରିବାର ଲୋକେ ଓ ନେହେନା ସରପଞ୍ଚ ଦାବି କରିଛନ୍ତି । ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କୁ ପଚାରିବାରୁ ସେ ଏ ବିଷୟରେ ଜାଣି ନଥିଲେ ଓ ଆସନ୍ତା ମାସରୁ ତାଙ୍କୁ କ୍ୟାସ ଆକାରରେ ଦିଆଯିବ ବୋଲି କହିଥିଲେ ।