ମା’ ଆଖିରୁ ଶୁଖୁନି ଲୁହ : ଦାଦନ ଯାଇ ଯୁବକ ନିଖୋଜ
ଟମକା : ମାଳମାଳ ଶିଳ୍ପ ଓ ଖଣିଖାଦାନରେ ଭରପୁୁର ଯାଜପୁର ଜିଲ୍ଲା । ଗୋଟେ ପଟେ କଳିଙ୍ଗନଗର ଶିଳ୍ପାୟନ ଷ୍ଟିଲ୍ ହବର ଆଖ୍ୟା ପାଇଥିବା ବେଳେ ଅନ୍ୟପଟେ ସୁକିନ୍ଦା କ୍ରୋମ୍ ଉପତ୍ୟକା ଏହି ଜିଲ୍ଲାର ନାମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ହେଲେ ଏଭଳି ପ୍ରାଚୁର୍ଯ୍ୟ ଭିତରୁ ଏଠିକାର ଶହଶହ ଯୁବକ ପେଟପାଟଣା ପାଇଁ ବାହାର ରାଜ୍ୟରେ ଦାଦନ ଖଟିବା ଘଟଣା ହୁଏତ କାହାକୁ ଆଶ୍ଚର୍ଯ୍ୟଚକିତ କରିଥାଏ ପାରେ, ହେଲେ ଏହାହିଁ ବାସ୍ତବତା । ଯାହାର ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ଶିଳ୍ପ ସମୃଦ୍ଧ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଦେଉଳକଣ ପଂଚାୟତ ପାଟବାଲି ଗ୍ରାମରେ । ପେଟ ପାଟଣା ପାଇଁ ଦାଦନ ଯାଇଥିବା ଜଣେ ଯୁବକ ଏକ ମାସ ହେଲା ନିଖୋଜ ହୋଇଥିବା ବେଳେ ଏହି ପରିବାର ନ୍ୟାୟ ନ ପାଇ ଏବେ ପୁଅର ବାଟକୁ ଅନେଇ ଅନେଇ ଦୁଃଖରେ କାଳତିପାତ କରୁଛନ୍ତି । ଗୋଟେ ପଟେ ମା’ ଆଖିରୁ ଲୁହ ଶୁଖୁନଥିବା ବେଳେ ଅନ୍ୟପଟେ ବାପା ମଧ୍ୟ ବାର ଦୁଆର ତେର ପିଣ୍ଡା ହେଉଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଯାହା ସୁନାର ସୁକିନ୍ଦାରେ ବସବାସ କରୁଥିବା ଭୂମିପୁତ୍ର ମାନଙ୍କ ଅସଲ ଚିତ୍ରକୁ ପଦାକୁ ଆଣିଛି । ଟମକା ଥାନା ଅନ୍ତର୍ଗତ ପାଟବାଲି (ଖଣ୍ଡୁରାଇପାଟଣା) ଗ୍ରାମରେ ବସବାସ କରନ୍ତି ତ୍ରିନାଥ ମହାନ୍ତ । ଜଣେ ଗରିବ ଶ୍ରେଣୀୟ ଉକ୍ତ ଯୁବକ ଜଣଙ୍କ ଗାଡି ଚାଳକ ଭାବେ ନିଜ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ତେବେ ପରିବାରଟି ଦୁଃଖ ଦୁର୍ଦ୍ଦିନରେ ରହୁଥିବା ବେଳେ ସାନପୁଅ ଦିଲ୍ଲୀପ(୨୦) ଗତ ବର୍ଷକ ତଳୁ ସ୍ଥାନୀୟ ଟମକା ଅଂଚଳର ଜୈନକ ଯୁବକ ସହ କଥାବାର୍ତ୍ତା ହୋଇ କାମ କରିବାକୁ ତାମିଲନାଡୁ ଯାଇଥିଲା । ଏହି ଅଂଚଳର କିଛି ଯୁବକ ସେଠାରେ ରହି କାର୍ଯ୍ୟ କରୁଥିବା ବେଳେ ଦିଲ୍ଲୀପ ତାମିଲନାଡୁର କାଇମାତୁର ଜିଲ୍ଲା ଅନ୍ତର୍ଗତ କମରତମପେଟି ଥାନା ବାଗରମପାଲିୟମ ଠାରେ ଥିବା ୱାଟରଟେକ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ତେବେ ଗତ ଅପ୍ରେଲ୍ ମାସ ୨୮ ତାରିଖରେ ଉକ୍ତ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟରତ ରାଜା ତାକୁ ବସ୍ରେ ବସାଇ ଘରକୁ ପଠାଇଥିବା ବେଳେ ଅଦ୍ୟାବଧି ସେ ଘରକୁ ପହଞ୍ଚôନାହିଁ । ଏ ନେଇ ପରିବାର ଲୋକ ଅନାଇ ଅନାଇ ତାର କୌଣସି ଖୋଜ ଖବର ନ ପାଇ ଶେଷରେ ମେ ମାସ ୧୪ତାରିଖରେ ସ୍ଥାନୀୟ ଥାନାରେ ନିଖୋଜ ନେଇ ଏକ ଏତଲା ଦେଇଥିଲେ । ଇତି ମଧ୍ୟରେ ପାଖାପାଖି ଏକମାସ ହୋଇଥିଲେ ମଧ୍ୟ ଏହି ପରିବାରଟି ନ୍ୟାୟ ନ ପାଇଥିବା ଅଭିଯୋଗ ଆଣିଛନ୍ତି । ତେବେ ସ୍ୱଳ୍ପ ଶିକ୍ଷିତ ବେସହାରା ଏହି ପରିବାରଟି ଗତ ଏକ ମାସ ହେବ କୌଣସି ଉପାୟ ନ ପାଇ ନିଜ ପୁଅର ବାଟକୁ ଅନାଇ ବସିଥିବା ବେଳେ ମା’ପୁଅକୁ ଝୁରି ହେଇ ହେଇ ଖାଦ୍ୟପେୟ ମଧ୍ୟ ଛାଡି ଦେଇଥିବା ଦେଖିବାକୁ ମିଳିଛି । ଏ ନେଇ ଦିଲ୍ଲୀପକୁ ଦାଦନ ପଠାଇଥିବା ଯୁବକ କିମ୍ବା ସେଠାରେ ଥିବା ସୁପର ଭାଇଜର ସହ ଯୋଗାଯୋଗ କରୁଥିଲେ ମଧ୍ୟ ସେମାନେ ବି ଏହି ପରିବାରକୁ କୌଣସି ସାହାର୍ଯ୍ୟ ସହଯୋଗ କରୁନଥିବା ଅଭିଯୋଗ ଆଣିଛନ୍ତି । ତେବେ ଏଭଳି ଦୁଃର୍ଦ୍ଦିନରେ କାଳତିପାତ କରୁଥିବା ଏହି ପରିବାର ତାଙ୍କ ପୁଅକୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପାଖରେ ହାତଯୋଡି ନିବେଦନ କରିଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି ।