ଧବଳେଶ୍ୱରଙ୍କୁ ଦର୍ଶନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ 

 ବଲାଙ୍ଗିର: ଟିଟିଲାଗଡ଼ର ମହାଶିବରାତ୍ରି ମେଳା ଓ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବା ପାଇଁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଓଡ଼ିଶା ସରକାରର ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରିଥିଲେ  । ତାଙ୍କ ନିମନ୍ତ୍ରଣକୁ ରକ୍ଷା କରି ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଡ଼ି.ଆଇ.ଜି ହିମାଂଶୁ ଲାଲ, ବଲାଙ୍ଗିର ଏସ୍ପି ଋଷିକେଶ ଖିଲାରୀ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଦର୍ଶନ ଲାଭ କରିଥିଲେ  । ତାପରେ ମହାଶିବରାତ୍ରି ମେଳା ବୁଲି ଦେଖିଥିଲେ  । ସେଠାରେ ଆୟୋଜନ ହୋଇଥିବା ସଭାରେ ସମସ୍ତେ ଯୋଗ ଦେଇଥିଲେ  । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଅଳ୍ପ ସମୟ ମଧ୍ୟରେ ମହାରାଜ ସାଗରର ସୌନ୍ଦର୍ଯ୍ୟ କରଣ, କୁମଡା ପାହାଡ଼ର ଆଲୋକୀକରଣ ସହ ଉନ୍ନୟନ କାର୍ଯ୍ୟ କରି ସେ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ  । ଅତିଥିଙ୍କୁ ସ୍ୱାଗତ କରିବା ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି, ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ବିଧାୟକ ନବୀନ ଜୈନ, ବହୁ ବିଜେପି କର୍ମୀ ମାନେ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ  ।