୧୭ ବର୍ଷରୁ କମ୍ ବାଳିକା ଫୁଟ୍ବଲ୍ ତାରିଣୀ ଫୁଟ୍ବଲ୍ ଏକାଡେମୀ ଚାମ୍ପିଅନ୍

କେନ୍ଦୁଝର, : ଅଲ ଇଣ୍ଡିଆ ଫୁଟ୍ବଲ୍ ଫେଡେରେସନ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଜିଲ୍ଲା କ୍ରୀଡା ସଂସ୍ଥା, କେନ୍ଦୁଝର ମିଳିତ ସହଯୋଗରେ କେନ୍ଦୁଝର ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ଲେକ୍ସରେ ଅସ୍ମିତା ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ ବାଳିକା ଫୁଟ୍ବଲ୍ ଚାମ୍ପିଅନସିପ ଉଦ୍ୟାପିତ ହୋଇଯାଇଛି । ଗତ ୬ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଡବଲ ରାଉଣ୍ଡ ଲିଗ୍ ପଦ୍ଧତିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପ୍ରତ୍ୟେକ ଦଳ ସହ ଦୁଇ ଥର ଲେଖାଏଁ ମ୍ୟାଚ ଖେଳିଥିଲେ । ଅନ୍ତିମ ପର୍ଯ୍ୟାୟରେ ତାରିଣୀ ଫୁଟବଲ ଏକାଡେମୀ -କେନ୍ଦୁଝର ସମୁଦାୟ ୧୦ଟି ମ୍ୟାଚ୍ ଖେଳି ୯ଟି ବିଜୟ ଏବଂ ଗୋଟିଏ ଡ୍ର ସହ ୨୮ ପଏଣ୍ଟ ହାସଲ କରି ଚାମ୍ପିଅନ ହୋଇଥିଲାବେଳେ ଜେଏସ୍ଡବ୍ଲୁ୍ୟ ଫାଉଣ୍ଡେସନ ବନ୍ଧୁଆବେଡା ୮ଟି ବିଜୟ, ଗୋଟିଏ ପରାଜୟ ଏବଂ ଗୋଟିଏ ଡ୍ର ସହ ୨୫ ପଏଣ୍ଟ ହାସଲ କରି ରନର୍ସଅପ୍ ହୋଇଥିଲା । ଜିଲ୍ଲା କ୍ରୀଡା ସଂସ୍ଥା କେନ୍ଦୁଝରର ସାଧାରଣ ସମ୍ପାଦକ ଡ଼ ଜନାର୍ଦ୍ଦନ ଦାଶ ମୁଖ୍ୟଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଚାମ୍ପିଅନ ତାରିଣୀ ଫୁଟ୍ବଲ୍ ଏକାଡେମୀ ଟ୍ରଫି ସହ ନଗଦ ପଚାଶ ହଜାର ଟଙ୍କା ପୁରସ୍କାର ପାଇଥିବା ବେଳେ ରନର୍ସଅପ ଜେଏସ୍ଡବ୍ଲୁ୍ୟ ଟ୍ରଫି ସହ ନଗଦ ତିରିଶ ହଜାର ଟଙ୍କା ପୁରସ୍କାର ପାଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସ୍ଥା କୋଷାଧ୍ୟକ୍ଷ ସରୋଜ କୁମାର ରଣା ଏବଂ ବାଲେଶ୍ୱରରୁ ଫୁଟ୍ବଲ୍ ଆସୋସିଏସନ୍ର କୋଚ୍ ଏମ୍ ବାପି ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ରେଫରୀ ଭାବେ ଆରତୀ କିଷାନ, ସବିତା ଦାସ, ମାଳତୀ ମାଝୀ ଏବଂ ଗାୟତ୍ରୀ ଦାସ ଖେଳ ପରିଚାଳନା କରିଥିଲେ । ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ୍ କମିଶନର ଭାବେ ନିଯୁକ୍ତି ପାଇଥିବା ବେଳେ କୃଷ୍ଣ ଚନ୍ଦ୍ର ମହାନ୍ତ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।