ଧାନ କିଣାରେ ଅଚଳାବସ୍ଥା : ମଣ୍ଡିରେ ପଡ଼ିଛି ଶହ ଶହ ଧାନ ବସ୍ତା
ଆନ୍ଦୋଳନକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଡିସେମ୍ବର ମାସରୁ ଧାନ ମଣ୍ଡି ଆରମ୍ଭ ହେଲାଣି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଧାନ କିଣାରେ ସ୍ୱାଭାବିକ ହେବା ନାଁ ଧରୁନି । ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ପାପଡାହାଣ୍ଡି ବ୍ଲକ ମୈଦଲପୁର ଲ୍ୟାମ୍ପସ୍ ଅଧିନ ମାଝୀଗୁଡା, ମଇଦଳପୁର,ମାନିଗାଁ ଓ ତୁମ୍ଭର୍ଲା ମଣ୍ଡି ଗୁଡ଼ିକରୁ ଚାଷୀ ଧାନ ଆଣି ପ୍ରବଳ ଶୀତରେ ରାତି ଅନିଦ୍ରା ରହି ଜଗି ରହୁଛନ୍ତି । ବାରମ୍ବାର ଚାଷୀଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ମଣ୍ଡିରୁ ଧାନ ଉଠୁନି । ଧାନ କିଣାରେ ସ୍ୱାଭାବିକ ସ୍ଥିତି ଫେରୁନଥିବାରୁ ଗତ ଦିନରେ ଜିଲ୍ଲା ବାରି ଆନ୍ଦୋଳନ ମଧ୍ୟ କରିଥିଲା ବିଜେଡ଼ି । କିନ୍ତୁ ତାହା ମଧ୍ୟ ଫଳ ଶୂନ । ତେବେ ଚାଷୀମାନେ ପ୍ରଶାସନ କିମ୍ବା ନେତା ମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପରେ ମଧ୍ୟ ପଦକ୍ଷେପ ନିଆଯାଉନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଉପରୋକ୍ତ ମଣ୍ଡି ଗୁଡିକରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଛି ।
ସପ୍ତାହେ ଦୁଇ ସପ୍ତାହ ପରେ ଗୋଟେ ଗୋଟେ ମଣ୍ଡିରୁ ମିଲର୍ଙ୍କୁ ସୁହାଇଲା ଭଳି କଟ୍ନୀ ଛଟ୍ନୀ ହେଲେ ଉଣା ଅଧିକେ ଧାନ ଉଠୁଥିବା ଦେଖିବାକୁ ମିଳୁଛି । ମାଝୀଗୁଡା ମଣ୍ଡିରେ ସେହିପରି ୩ ଦିନ ହେଲା ହଜାର ହଜାର ଧାନ ବସ୍ତା ପଡ଼ିରହିଛି କିନ୍ତୁ ଉଠିବାର ନାଁ ଧରୁନି । ଅନେକ ଚାଷୀଙ୍କ ଟୋକନ୍ ମଧ୍ୟ ଲ୍ୟାପ୍ସ ହେବାକୁ ବସିଲାଣି । ମଣ୍ଡିରେ ଲ୍ୟାମ୍ପସ୍ କର୍ମଚାରୀ କିମ୍ବା ମିଲର୍ଙ୍କ ଦେଖା ସାକ୍ଷାତ ମିଳୁନି । ପ୍ରତିବର୍ଷ ଏଭଳି ସମସ୍ୟା ଦେଖା ଦେଉଥିଲେ ହେଁ ସ୍ଥାୟୀ ସମାଧାନ ହୋଇପାରୁନି । ବର୍ଷ ତମାମ ଚାଷୀ ଅକ୍ଲାନ୍ତ ପରିଶ୍ରମ କରି ଧାନ ଅମଳ କରିବା ପରେ ମଣ୍ଡିରେ ଧାନ ରଖି ଜଗି ରହୁଛନ୍ତି । ମଣ୍ଡିରୁ ଧାନ ଉଠାଇବା ନେଇ ବାରମ୍ବାର ଚାଷୀ ଏବଂ ଲ୍ୟାମ୍ପସ୍ କର୍ମଚାରୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରୁନି । ମିଲରଙ୍କ ସହିତ ଆଲୋଚନା ପ୍ରକ୍ରିୟା ଜାରି ରହିଥିବା ଲ୍ୟାମ୍ପସ୍ ପକ୍ଷରୁ କୁହାଯାଉଛି । ଅନ୍ୟପଟେ ଯଦି ମଣ୍ଡିରେ ପଡିରହିଥିବା ଧାନ ଶୀଘ୍ର ନ ଉଠିଲେ ଓ ଆଗାମୀ କିଛିଦିନ ଭିତରେ ମଣ୍ଡି ସ୍ୱାଭାବିକ ସ୍ଥିତିକୁ ନ ଫେରିଲେ ଅଞ୍ଚଳର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ନିମନ୍ତେ ଚେତାବନୀ ଦେଇଛନ୍ତି ।
Samir Kumar Rout