ଧୂଳିଧୂଆଁରେ ଅସ୍ତବ୍ୟସ୍ତ ତାଳଚେରବାସୀ: ଥାନାରେ ସାମ୍ବାଦିକଙ୍କ ଏତଲା

  ତାଳଚେର: ତାଳଚେର ଦେଇ ଯାଇଥିବା ୧୪୯ନମ୍ବର ଜାତୀୟ ରାଜପଥରେ ଅହରହ ଟ୍ରକ ଚଳାଚଳ ଓ ନିକଟରେ ରହିଥିବା କୋଇଲା ଖଣି ଗୁଡ଼ିକରୁ ପ୍ରଚୁର ଧୂଳିଧୂଅାଁ ଉଡ଼ିବା ଯୋଗୁଁ ତାଳଚେରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହା କୌଣସି ପ୍ରଶାସନିକ ଅଧିକାରୀଙ୍କ ଆଖିକୁ ଆସୁନାହିଁ । ତେବେ ଏ ସମସ୍ୟାକୁ ଦୃଷ୍ଟିରେ ରଖି ତାଳଚେର ସାମ୍ବାଦିକ ପ୍ରଦୀପ୍ତ ମହାରଣା ତାଳଚେର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ, ତାଳଚେର ଅଂଚଳରେ ପ୍ରାୟ ଖୋଲାମୁହଁ ୭ଟି କୋଇଲା ଖଣି ରହିଛି । ଏହି କୋଇଲା ଖଣି ଗୁଡ଼ିକରୁ ଦୈନିକ ହଜାର ହଜାର ସଂଖ୍ୟକ ଟ୍ରକ କୋଇଲା ବୋଝଇକରି କୋଲ କରିଡ଼ର ରାସ୍ତାଦେଇ ତାଳବେଡ଼ା ନିକଟସ୍ଥ ଲେବଲ୍କ୍ରସିଂ ଛକ ଠାରେ ବାହାରି ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । ଏପରିକି, ଡ଼େରଙ୍ଗ ଜିନ୍ଦଲ, ଏନଟିପିସି କାରଖାାରୁ ବଡ଼ବଡ଼ କଣ୍ଟେନର୍ ଓ ହାଇୱା ସାହାଯ୍ୟରେ ଅହରହ ପାଉଁଶ ପରିବହନ ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହେଉଥିବା ସହ ଧୂଳିଧୂଅାଁରେ ରାସ୍ତାର ଉଭୟ ପାଶ୍ୱର୍ରେ ରହିଥିବା ତାଳଚେର ସହର, ଗ୍ରାମ, ସ୍କୁଲ, କଲେଜ, ପଥଚାରୀମାନେ ଦୈନନ୍ଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ଏଠାରେ ଏତେ ଘଟଣା ଘଟୁଥିଲେ ମଧ୍ୟ ଶାସକ, ବିରୋଧି ଓ ପ୍ରଶାସନ କାହିଁକି ଯେ, ଚୁପ ହୋଇ ହାତବାନ୍ଧି ବସି ରହିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେବା ସହ ଆଜି ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ସାମ୍ବାଦିକ ଲିଙ୍ଗରାଜ କୋଇଲା ଖଣି ଜିଏମ ଓ ଜଗନ୍ନାଥ ଜିଏମଙ୍କୁୁ ପକ୍ଷଭୁକ୍ତ କରିବା ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।