ଧୂଷୁରୀକୁ ବ୍ଲକ କରିବାକୁ ଦାବି
ଧୁଷୁରୀ : ରାଜ୍ୟ ସରକାର ବିଭିନ୍ନ ବ୍ଲକର ଲୋକସଂଖ୍ୟାକୁ ଭିତ୍ତି କରି ନୂତନ ବ୍ଲକ ଗଠନ କରିବାକୁ ପ୍ରୟାସ କରିଛନ୍ତି । ରାଜ୍ୟ ସରକାର ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନ ଆବଶ୍ୟକତା ଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଜନସାଧାରଣଙ୍କ ନିକଟରେ ସୁଶାସନ ପହଞ୍ଚାଇବାକୁ ହେଲେ ସ୍ଥାନୀୟ ଶାସନ ବ୍ୟବସ୍ଥାକୁ ସରଳ କରିବାକୁ ପଡ଼ିବ । ହେଲେ ରାଜ୍ୟର ଏପରି କିଛି ଗ୍ରାମ ଅଛି ଯେଉଁଠାରୁ ବ୍ଲକ ମୁଖ୍ୟାଳୟକୁ ଯିବାପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡୁଛି । ଏପରି ସ୍ଥିତିରେ ନଦୀ ନାଳ ଘେରା ଧାମନଗର ବ୍ଲକ ବିଭାଜନ ହେବାର ସମ୍ଭାବନା ରହିଛି । ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଚାରୋଟି ଜିଲ୍ଲା ପରିଷଦ ଜୋନ ୩୧ଟି ଗ୍ରାମ ପଞ୍ଚାୟତ ରହିଛି । ୨୦୧୧ ମସିହା ଜନଗଣନା ଅନୁଯାୟୀ ବ୍ଲକ ଜନସଂଖ୍ୟା ୨ଲକ୍ଷ ୪ହଜାର ୨୦୧ ଥିଲା । ଏହା ମଧ୍ୟରେ ୧୪ବର୍ଷ ଅତି ବାହିତ ହୋଇଗଲାଣି ଜନସଂଖ୍ୟା ବହୁତ ମାତ୍ରାରେ ବୃଦ୍ଧି ପାଇଛି । ଧାମନଗର ବ୍ଲକ ସଦର ମହକୁମା ଠାରୁ ରଇପୁର, ପାଳସାହି, ବମକୁରା, କାଶୀପୁର, ଧୁଷୁରୀ, ହସନାବାଦ, ଅର୍ଜୁନପୁର, କଟସାହି, ଖପରପଦା, ଫତେପୁର, ସାହାସପୁର, ଭଳି ପଞ୍ଚାୟତର ଦୂରତା ୨୦ରୁ ୩୦କିଲୋମିଟର ହେଉଛି । ଗମନାଗମନ ଦୃଷ୍ଟିରୁ ବିଶେଷ କରି ବନ୍ୟା ସମୟରେ ଧାମନଗର ବ୍ଲକ କୁ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ । ସୀମାବର୍ତ୍ତୀ ଗ୍ରାମ ପଞ୍ଚାୟତମାନଙ୍କର ଜନ ସାଧାରଣ ଥରେ ବ୍ଲକ ଆସିଲେ ସେମାନଙ୍କର ଗୋଟିଏ ଦିନ ବିତିଯାଉଛି । ସେହିଭଳି ଭୋଗଳିକ ଅବସ୍ଥିତ ମଧ୍ୟ ବ୍ଲକ ପୁନର୍ଗଠନର ଆବଶ୍ୟକତାକୁ ଦର୍ଶାଉଛି । ଧାମନଗର ବ୍ଲକ ଧୂଷୁରୀ ଥାନ ଅଧିନରେ ଥିବା ୧ଗୋଟି ପଞ୍ଚାୟତ ଚାନ୍ଦବାଲି ବ୍ଲକ ଧୂଷୁରୀ ଥାନ ଅଧିନରେ ଥିବା ଆରଡ଼ି, ନାନ୍ଦପୁର, ଓଳଗ, ସୁନ୍ଦରପୁର ୪ଗୋଟି ପଞ୍ଚାୟତ ଏବଂ ତିହିଡି ବ୍ଲକରୁ ସାମସୁନ୍ଦରପୁର ପଞ୍ଚାୟତକୁ ଆଣି ଧୁଷୁରୀରେ ଏକ ନୂତନ ବ୍ଲକ କରିବା ପାଇଁ ସାଧାରଣରେ ଆଲୋଚନା ଓ ଦାବି ହେଉଛି । ଧୁଷୁରୀକୁ ଏକ ବ୍ଲକ କରିବା ପାଇଁ ପୂର୍ବତନ ଧାମନଗର ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ଉପନେତା ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ପୂର୍ବ ସରକାର ସମୟରେ ବିଧାନସଭାରେ ଦାବି କରିଥିଲେ ।