ନଦୀ ପଠାରୁ ମହିଳାଙ୍କ ଗଳିତ ଶବ ଜବତ

କୁକର୍ମ ପରେ ହତ୍ୟା ସନେ୍ଦହ; ପରିଚୟ ଖୋଜୁଛି ପୁଲିସ
ଭୁବନେଶ୍ୱର,୨୮ା୧ : ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ସ୍ଥିତ ଦୟାନଦୀ ପଠାରୁ ମଙ୍ଗଳବାର ପୁଲିସ ଜଣେ ମହିଳାଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରିଛି । ମହିଳା ଜଣଙ୍କ ପରିଚୟ ମିଳିପାରି ନ ଥିବା ବେଳେ ତାଙ୍କ ବୟସ ଆନୁମାନିକ ୩୫ରୁ ୪୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ ଜବତ ମୃତ ଦେହଟି ଅଧାରୁ ଅଧିକ ନଷ୍ଟ ହୋଇ ଯାଇଥିବାରୁ ତାଙ୍କୁ ଚିହ୍ନିବା ପୁଲିସ ପାଇଁ କଷ୍ଟକର ହୋଇପଡ଼ିଛି । ଅନ୍ୟପକ୍ଷରେ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କୁକର୍ମ କରିବା ପରେ ହତ୍ୟା କରାଯାଇଥିବା ପ୍ରାଥମିକ ପର୍ଯ୍ୟାୟରେ ଅନୁମାନ କରାଯାଉଛି । ମହିଳାଙ୍କ ପରିଚୟ ମିଳିନଥିବାରୁ ପୁଲିସ ଆଖପାଖ ପୁଲିସ ଷ୍ଟେସନକୁ ଗତ କିଛିଦିନ ମଧ୍ୟରେ ନିଖୋଜ ଜନିତ ଅଭିଯୋଗର ଯାଞ୍ଚ୍ କରିବାକୁ ଅନୁରୋଧ କରିଛି । 
 ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ଭୋରରୁ ଦୟାନଦୀ ପଠାରୁ ଜଣେ ମହିଳାଙ୍କ ଗଳିତ ଶବ ଦେଖି ସ୍ଥାନୀୟ ଲୋକେ ଧଉଳି ଥାନା ପୁଲିସକୁ ଖବର ଦେଇଥିଲେ । ଖବରପାଇ ଧଉଳି ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଚିବା ସହ ଶବକୁ ଯାଚ କରିଥିଲା । ଜବତ ମହିଳା ଜଣଙ୍କ କେବଳ ଅନ୍ତବସ୍ତ୍ର ପିନ୍ଧିଥିବାରୁ ତାଙ୍କୁ କୁକର୍ମ କରାଯାଇଥିବା ନେଇ ପୁଲିସ ଅନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଶବ ବ୍ୟବଚ୍ଛେଦ ସମୟରେ ମହିଳା ଜଣଙ୍କ କୁକର୍ମର ସମ୍ମୁଖୀନ ହୋଇଛନ୍ତି କି ନାହିଁ ତାହା ଜାଣିବା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ସ୍ଥାନୀୟ ଜୋନ ଏସିପି କୃଷ୍ଣଚନ୍ଦ୍ର ପଲେଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ କିଛିଦିନ ମଧ୍ୟରେ ରାଜଧାନୀରେ ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ବଡ଼ ଘଟଣାର ଅପରାଧୀଙ୍କୁ ପୁଲିସ ଗିରଫ କରିବାରେ ଅସଫଳ ରହିଛି । ଅପରାଧ ଗୁଡ଼ିକ ମଧ୍ୟରେ ରହିଛି ରସୁଲଗଡରେ ସହଦେବ ନାୟକ ମାମଲା ହଉ କି ରସୁଲଗଡ଼ କୋଚିଲେଇ ହାଟରେ ଦାଦାବଟିକୁ ନେଇ ଜଣେ ସମାଜସେବୀଙ୍କୁ ୨୦୨୦ ମସିହାରେ ବିଚ ବଜାରରେ ହତ୍ୟା କରାଯାଇଥିଲା, ସେହିପରି ଲିଙ୍ଗିପୁର ଛକରୁ ଏଟିଏମ୍ ମେସିନ୍ ତାଡିନେଇ ମେସିନ ଭାଙ୍ଗି ୨୫ ଲକ୍ଷ ଲୁଟ୍ କରି ମେସିନକୁ ଗଙ୍ଗୁଆ ନାଳରେ ଫୋପାଡ଼ି ଦେଇଥିଲେ ଲୁଟେରା । ସମାନ ଢ଼ଙ୍ଗରେ ପୁଣି ସାମନ୍ତରାପୁର ଶ୍ରୀରାମ ନଗରରୁ ମଧ୍ୟ ଏଟିଏମ୍ ମେସିନ୍ ତାଡି ନେଇ ସେଥିରୁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ବେଳେ, ଏଟିଏମ ମେସିନକୁ ସେହି ଗଙ୍ଗୁଆ ନାଳରେ ଫୋପାଡ଼ି ଦେଇ ଫେରାର ହୋଇଯାଇଛନ୍ତି । ପୁଲିସ ସମାନ ଢ଼ଙ୍ଗରେ ଗଙ୍ଗୁଆ ନାଳେରେ ଫୋପଡା ଯାଇଥିବା ଭଙ୍ଗା ମେସିନକୁ ଜବତ କରିଥିବା ବେଳେ ୨ଟି ଟାଟାଏସି ଅଟୋ ମଧ୍ୟ ଜବତ କରିଛି । ଯାହା ଲାଗୁଛି ଏହି ଲୁଟେରା ଗ୍ୟାଙ୍ଗ୍ ପୁଣି ରାଜଧାନୀରେ ଡେରା ପକାଇଥିବା ବେଳେ ସମାନ ଢ଼ଙ୍ଗରେ ଡାଲା ଅଟୋ ଚୋରି କରି ଏଟିଏମ ମେସିନକୁ ତାଡ଼ି ନେଇଛନ୍ତି । ଏଭଳି ବହୁ ମାମଲାରେ ଜଡିତ ଥିବା ଅପରାଧୀଙ୍କୁ ଧରିବାରେ ପୁଲିସ ବିଫଳ ରହିଛି । ଯାହାକୁ ନେଇ କମିଶନରେଟ ପୁଲିସର କାର୍ଯ୍ୟଶୈଳୀ ଉପରେ ଲୋକେ ଅଙ୍ଗୁଳି ନିଦେ୍ର୍ଦଶ କରିବା ଆରମ୍ଭ କଲେଣି ।