ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ । ରାଜଧାନୀ ଭୁବନେଶ୍ୱର ଐତିହ୍ୟ ସ୍ଥଳୀ ଧଉଳି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏନେଇ ତାଙ୍କ ପୁରୁଷ ବନ୍ଧୁ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଆଜି ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଭୁ ପ୍ରସାଦ ମିଶ୍ର ଓ କାଳନ୍ଦୀ ପାତ୍ର । ଅନ୍ୟପଟେ ମହିଳା କମିଶନର ସଦସ୍ୟାମାନେ ପ୍ରଥମେ ଧଉଳି ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟ୍ରେ ପହଞ୍ଚି ତନାଘନା ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ ନାବାଳିକା ଜଣକ ନିଜର ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ । ନାବାଳିକା ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ, ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।