ପବିତ୍ର ଧନୁ ସଂକ୍ରାନ୍ତି

ପବିତ୍ର ଧନୁ ସଂକ୍ରାନ୍ତି

ବିକ୍ରମ କେଶରୀ ବିଶ୍ୱାଳ : ପୌଷ ମାସର ଶୀତ ଦିନରେ ଧନୁ ସଂକ୍ରାନ୍ତିର ଅବସରରେ ଧନୁ ମୁଆଁର ଆଦର ଓଡ଼ିଆଙ୍କ ଘରେ ଘରେ ରହିଥାଏ । କେବଳ ଗୁଡ଼ିଆ ଘର ପ୍ରସ୍ତୁତ ଖଇ ଓ ଗୁଡ଼ର ଧନୁ ମୁଆଁ ନୁହେଁ ଆଜିକାଲି ଗୁଡ଼ ବା ଚିନି ପ୍ରସ୍ତୁତ ଧନୁ ମୁଆଁ ସମସ୍ତଙ୍କର ପସନ୍ଦ । ଧନୁ ସଂକ୍ରାନ୍ତିର ପବିତ୍ର ଅବସରରେ ଓଡ଼ିଆ ଚଳଣିର ଘରେ ଘରେ ବେଶ ଆଦର ଥିବା ମୁଅାଁର ଶ୍ରଦ୍ଧା ବେଶ୍‌ ନିଆରା । କୃଷିଭିତ୍ତିକ ଉକ୍ରଳୀୟ ସଭ୍ୟତାରେ ପର୍ବପର୍ବାଣିର ସ୍ଥାନ ସ୍ୱତନ୍ତ୍ର । ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା ବା ମାଣବସା ଅବସରପରେ ପୌଷମାସର ଆରମ୍ଭରେ ଚାଷୀମାନେ ପରମ ଆନନ୍ଦରେ ମା'ଲକ୍ଷ୍ମୀ ଠାକୁରାଣୀଙ୍କୁ ଖଳାବାଡ଼ିରୁ ଆଦରକରି ଗୃହ ପ୍ରାଙ୍ଗଣକୁ ନେଇଥାନ୍ତି । ସଂଯୋଗ ବଶତଃ ଏହି ସମୟରେ ଆଖୁ ଅମଳ ମଧ୍ୟ ସରିଥାଏ । ତେଣୁ ଶର୍କରାଯୁକ୍ତ ମିଶ୍ରିତ ପ୍ରସାଦରେ ତିଆରି ହୋଇଥିବା ମୁଆଁ ବା ଉଖୁଡ଼ା ଗୃହର ଆରାଧ୍ୟଦେବତା ଓ ଧନଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଅର୍ପଣ କରାଯାଇଥାଏ। ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କଳାର କ୍ଷୟ ବୃଦ୍ଧି ସହିତ ଚାନ୍ଦ୍ରମାନ ଓ ସଂକ୍ରାନ୍ତି କଳାରେ ଓ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । "ଧନୁ ମାସ ହେଲା ହନୁ ନଚଳିଲା କହିବାକୁ ବଡ଼ ଲାଜ, ମୁଁ ଆଁ କରିଅଛି, ମୁଆଁ ଖାଇବାକୁ ଆଜ୍ଞା ହେଉ ମହାରାଜ ।'' ଉକ୍ରଳଘଣ୍ଟ ହାସ୍ୟରସିକ କବି ଯଦୁମଣିଙ୍କର ରାଜନଙ୍କୁ ଏ ଉକ୍ତି ସୂଚୀତ କରେ, ଧନୁ ବା ପୌଷ ମାସରେ ଧନୁ ମୁଆଁ ଖାଇବା ସତେ ଯେପରି ଏକ ବୈଧାନିକ ବ୍ୟବସ୍ଥା, ଏବଂ ତହିଁରେ ବ୍ୟତିକ୍ରମ ହେତୁ କବିଙ୍କର ଏ ଖେଦ ! ପୁଷ ମାସରେ ଧାନ ଅମଳ ପରେ "ଉଖୁଡ଼ା' ବା "ମୁଆଁ'ର ପ୍ରସ୍ତୁତି ଓଡ଼ିଶୀ ଚଳଣିର ଏକ ବିଶେଷତ୍ୱ ଧନୁ ସଂକ୍ରାନ୍ତିର ପ୍ରସିଦ୍ଧ ମୁଆଁ ଭୋଗ ପାଇଁ ।


    ସୂର୍ଯ୍ୟ ଧନୁ ରାଶିକୁ ଚଳିଲେ ଧନୁସଂକ୍ରାନ୍ତି ପାଳନ ହୁଏ । ଓଡ଼ିଆ ସଂସ୍କୃତିରେ ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି । କେତେକ ସଂକ୍ରାନ୍ତିର ଭୋଗ ଓ ପୂଜା ବିଧି ବି ସ୍ୱତନ୍ତ୍ର । ଏଇ ଯେମିତି ମକର ସଂକ୍ରାନ୍ତିରେ ମକରଚାଉଳ, ପଣା, ସଂକ୍ରାନ୍ତିରେ ପଣା, ଠିକ ସେମିତି ଧନୁ ସଂକ୍ରାନ୍ତିରେ ଦିଅଁଙ୍କ ପାଖରେ ମୁଆଁ ଭୋଗ ଅର୍ପଣ କରାଯାଏ । ଧନୁ ସଂକ୍ରାନ୍ତି ଦିନଠୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ଯାଏ ଚାଲେ । ପୌଷ ମାସରେ ନୂଆ ଧାନ ଅମଳ ହୁଏ ଏବଂ ସେହି ଧାନରୁ ପ୍ରସ୍ତୁତ ଖଇରେ ଉଖୁଡ଼ା ଓ ମୁଆଁ ତିଆରି କରାଯାଇ ପ୍ରଥମେ ଆରାଧ୍ୟଙ୍କୁ ଅର୍ପଣ କରାଯିବାର ପରମ୍ପରା କାହିଁ କେତେ କାଳରୁ ଓଡ଼ିଶାରେ ପ୍ରଚଳିତ ହୋଇଛି । ଧନୁ ସଂକ୍ରାନ୍ତିରେ ପୂଜା ହେଲାପରେ ବିକ୍ରି ପାଇଁ ମୁଆଁ ବଜାରକୁ ଆସେ ଏବଂ ମକର ଓ କୁମ୍ଭ ସଂକ୍ରାନ୍ତି ଯାଏ ବଜାରରେ ମୁଆଁ ମିଳିଥାଏ । ମୁଆଁ ଓଡ଼ିଶାରେ ଅନ୍ୟତମ ପାରମ୍ପରିକ ମିଷ୍ଟାନ୍ନ ଭାବେ ପରିଗଣିତ।


   ପାରମ୍ପରିକ ଢ଼ଙ୍ଗରେ ଖଇ । ଲିଆକୁ ଆଖୁଗୁଡ଼ରେ ପାଗକରି ମୁଆଁ ପ୍ରସ୍ତୁତ ହୋଇଥାଏ । ସାଧାରଣ ଭାବେ ଓଡ଼ିଶାର ଗୁଡ଼ିଆ ବର୍ଗର ଲୋକେ ମୁଆଁ ପ୍ରସ୍ତୁତ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଆଗକାଳରେ ଗାଁ ମାନଙ୍କରେ ଗୁଡ଼ିଆଘରେ ମୁଆଁ ତିଆରି ହୋଇ ବେତାରେ ରଖାହୋଇ ମନ୍ଦିରକୁ ଆସିଥାଏ । ଏହାବାଦ ଗାଁର ପ୍ରତିଘରେ ପ୍ରଥମ ଭୋଗ ଲାଗି ପାଇଁ ପୁଞ୍ଜାଏ ଲେଖାଏଁ ମୁଆଁ ଗୁଡ଼ିଆ କି ଗୁଡ଼ିଆଣୀ ପହଞ୍ଚାଇବା ପରମ୍ପରା ବି ପ୍ରଚଳିତ ଥିଲା । ଆଉ ଏହାର ପାଉଣା ବାବଦକୁ ଧାନ, ଚାଉଳ କିମ୍ବା ବାଡ଼ିର ପନିପରିବା ନେବା ଧାରା ବି ମଫସଲରେ ଥିଲା । ଏବେ ଯଦିଓ ଏସବୁ ହଜିଗଲାଣି, ତଥାପି କେତେକ ଗାଁରେ ଆଜି ବି ଏହିଧାରା ଅଳ୍ପବହୁତେ ସାଙ୍କେତିକ ଭାବେ ବଞ୍ôଚଛି । ଏହି କ୍ରମରେ ଧନୁସଂକ୍ରାନ୍ତି ଡିସେମ୍ବର ୧୫ ବା ୧୬ ତାରିଖରେ ପଡ଼ୁଥିବାରୁ ଏହା ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ ଅର୍ନ୍ତଭୁକ୍ତ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରେ ଶ୍ରୀ ଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ଜାନୁୟାରୀ ୧୪ ତାରିଖରେ ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ ।

  ସୂଚନାଯୋଗ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ ଦେବଙ୍କର କର୍କଟ ସଂକ୍ରାନ୍ତି ଜୁଲାଇରେ ଦକ୍ଷିଣାୟନ ବନ୍ଦାପନା ଓ ମକର ସଂକ୍ରାନ୍ତି ଜାନୁୟାରୀରେ ଉତ୍ତରାୟଣ ବନ୍ଦାପନା ହୋଇଥାନ୍ତି । ଜ୍ୟୋର୍ତିବିତ୍‌ଙ୍କ ମତରେ ଧନୁ ସଂକ୍ରାନ୍ତିରୁ ଧନୁ ରାଶିର ଆର୍ବିଭାବ ସମ୍ପର୍କରେ କୁହାଯାଇଛି ପୌଷ ମାସର ଧନୁ ସଂକ୍ରାନ୍ତି ରାତ୍ରି ଘ୪/୨୨ ମିନିଟ୍‌ ସମୟେ ସଂକ୍ରମଣାତ୍‌ ପରଦିନ ବୁଧବାର ସୂର୍ଯ୍ୟୋଦୟ ଠାରୁ ଦିବାର୍ଦ୍ଧ ମଧ୍ୟେ ପୁଣ୍ୟକାଳ । କେବଳ ସେତିକି ନୁହେଁ, ପୌଷମାସର ଶୀତ ପ୍ରଭାତରେ ପ୍ରଭାତୀ ଧୂପ ଖେଚୁଡ଼ୀର ବ୍ୟବସ୍ଥା କେବଳ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର କାହିଁକି, କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବଜୀଉ ଓ ଅନ୍ୟାନ୍ୟ ଦେବମନ୍ଦିର ତଥା ମଠବାଡ଼ିମାନଙ୍କରେ ଖଞ୍ଜା ଯାଇଛି । ଜଗନ୍ନାଥ ତ ଆମ ଓଡ଼ିଶୀ ସଂସ୍କୃତିର ପ୍ରତୀକ । ସେ ବଡ଼ ଭୋଗଲାଳସୀ । ପ୍ରସାଦର ଉପଭୋଗକୁ ଆମେ "ଭୋଗ' କହିଥାଉଁ । ଏହି ଖାଦ୍ୟଦ୍ରବ୍ୟ ପ୍ରତି ଗୁରୁତ୍ୱ ଦେବା ମୂଳରେ ଉପନିଷଦର "ଅନ୍ନ ହିଁ ବ୍ରହ୍ମ' ବାଣୀ ଯେ ଉଦ୍‌ଘୋଷିତ ଏଥିରେ ସନ୍ଦେହ ନାହିଁ । କାରଣ ଭାଗବତରେ ଉକ୍ତି ହେଉଛି - "ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି ।'' ତେଣୁ "ଅନ୍ନର ମୂଳେ ଏ ଜଗତ, ସର୍ବଦା ହୋଏ ଆତଯାତ'' ଉକ୍ତି ପ୍ରଣିଧାନ ଯୋଗ୍ୟ ଏବଂ ଏତଦୃଷ୍ଟେ ଧନୁମୁଆଁର ଗୁରୁତ୍ୱ ବର୍ଷକ ମଧ୍ୟରେ ଧନୁସଂକ୍ରାନ୍ତିକୁ ହିଁ ସ୍ମରଣୀୟ କରି ରଖିଅଛି । କେବଳ ଧନୁ ସଂକ୍ରାନ୍ତି ଅବସରରେ ଯାହା ଲୋକ ରୀତିନୀତିର ପ୍ରଚଳିତ ଧନୁ ମୁଆଁ ସ୍ୱତନ୍ତ୍ର ରହିଥିଲେ ବି ମୁଆଁକୁ ପସନ୍ଦ କରୁନଥିବା ପିଲା ଠାରୁ ବୁଢ଼ାଙ୍କ ସଂଖ୍ୟା ଖୁବ୍‌ କ୍ୱଚିତ୍‌ ଥିବେ । ମୁଆଁ ତିଆରିରେ ନଡ଼ିଆ ସହ ଜୁଆଣି ରହୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ।  

    ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ କାର୍ତ୍ତିକ ମାସରେ ବେଣ୍ଟ ମୁଆଁ ଭୋଗ ଲାଗି କରାଯାଏ । ଶ୍ରୀଲିଙ୍ଗରାଜ ମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ କରି ମକର ସଂକ୍ରାନ୍ତି ଯାଏ ପୁରା ମାସକ ଯାକ ଠାକୁରଙ୍କୁ ମୁଆଁ ଭୋଗ ଲାଗି କରାଯାଏ । କେନ୍ଦ୍ରାପଡ଼ାର ଶ୍ରୀବଳଦେବ ଜୀଉଙ୍କ ପାଖରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ମୁଆଁ ଭୋଗ ପରମ୍ପରା ରହିଛି ଲୋକମାନଙ୍କର । ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏବେ ବିଭିନ୍ନ ଆକୃତିର ମୁଆଁ ପ୍ରସ୍ତୁତ କରାଯାଉଛି । ଆଜିକାଲି ବଜାରରେ ଚାନ୍ଦମୁଆଁ, ଚାରିକୋଣିଆ ମୁଆଁ, ହାର୍ଟମୁଆଁ, ଡାଇମଣ୍ଡ ମୁଆଁ, ଚେପଟାମୁଆଁ ଇତ୍ୟାଦି ଉପଲବ୍ଧ ହେଉଛି । ଧନୀ ହେଉ ବା ଗରିବ ମଫସଲ ହେଉ ବା ସହର, ମଠ ମନ୍ଦିର ସବୁଠି ଧନୁ ସଂକ୍ରାନ୍ତିର ଅପୂର୍ବ ମହନୀୟତା ମୁଆଁ ସହିତ ସମ୍ପର୍କିତ ହୋଇଥାଏ । ଆଜିର ପାଶ୍ଚାତ୍ୟ ବିପଣୀର ପସରା ବା ଚାଇନା ବଜାରର ଇନ୍ଦ୍ରଜାଲର ଭେଳିକି ସଉଦା ଭିତରେ ଧନୁ ମୁଆଁ କିନ୍ତୁ ହଜି ଯାଉନାହିଁ । ଧନୁ ସଂକ୍ରାନ୍ତିର ପବିତ୍ର ଅବସର ଆମ ପ୍ରିୟ ଓଡ଼ିଆ ଘରର ପାଟି ସୁଆଦ ମୁଆଁଟିକୁ ଯେ ନ ହଜାଇ ବରଂ ଆମ ପୂର୍ବସୁରୀଙ୍କ ହାତ ପ୍ରସ୍ତୁତି ସହ ସେମାନଙ୍କ ଅପୂର୍ବ ଖାଦ୍ୟ ପ୍ରସ୍ତୁତିର ପରିପାଟିକୁ ଯେ ଉଜ୍ଜୀବିତ କରୁଛି ଏହା ବେଶ୍‌ ଆନନ୍ଦର କଥା । 


ମୋ: ୯୯୩୮୫୩୬୦୭୬