ନାହିଁ ଶବ ବ୍ୟବଚ୍ଛେଦ ଗୃହ କି ଶୌଚାଳୟ
ରାଜକନିକାରୁ ଅଜୟ କୁମାର ରାଉତ: କେନ୍ଦ୍ରାପଡ଼ା ଜିଲ୍ଲାର ସୀମାନ୍ତ ବ୍ଲକ ସହ ପଡୋଶୀ ଯାଜପୁର ଓ ଭଦ୍ରକ ଜିଲ୍ଲାର ସୀମାକୁ ଯୋଡି ହୋଇ ରହୁଥିବା ରାଜକନିକା ବ୍ଲକ ସଦର ମହକୁମାରେ ସର୍ବନିମ୍ନ ମୌଳିକ ବ୍ୟବସ୍ଥା ସ୍ୱରୂପ ଶୌଚାଳୟ ଟିଏ ହୋଇ ନ ଥିବାରୁ ଦୈନିକ ଶହ ଶହ ଲୋକ ଏଥିପାଇଁ ସମସ୍ୟାରେ ପଡୁଛନ୍ତି । ବ୍ଲକ ସଦର ମହାକୁମାକୁ ଦୈନିକ ରାଜକନିକା ବ୍ଲକର ୨୯ ପଞ୍ଚାୟତର ଲୋକମାନେ ବିଭିନ୍ନ କାର୍ଯ୍ୟରେ ତହସିଲ, ବ୍ଲକ, ଥାନା, ମେଡିକାଲ, ବ୍ୟାଙ୍କ ଆଧାରକେନ୍ଦ୍ର ଆଦିକୁ ଯିବା ଆସିବା ବଢ଼ୁଥିବା ବେଳେ ଏଠାରେ କୌଣସି ଶୌଚାଳୟ ନ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ପୁନଶ୍ଚ ଆଳି ମେଡିକାଲରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ପଟ୍ଟାମୁଣ୍ଡାଇ ସ୍ଥାନାନ୍ତର କରାଯିବା ପରେ ରାଜକନିକାର ସୀମାନ୍ତ ଗାଁ ୬୦ କିମି ଦୂରରୁ ଶବ ନେଇ ବ୍ୟବଚ୍ଛେଦ କରିବା ବ୍ୟୟ ବହୁଳ ହେଉଛି । ଦୁର୍ଘଟଣା ହେଉ ବା ଆତ୍ମହତ୍ୟା ଘଟଣାରେ ସେ ସମୟରେ ପରିବାର ଲୋକଙ୍କ ମାନସିକତା ସହ ପଟ୍ଟାମୁଣ୍ଡାଇ ଶବ ବୋହି ନେବା ଏବଂ ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଛେଦ ନ ହେବାର ନିୟମ ଥିବାରୁ ଏହି ଘଟଣାରେ ଦିନ ଦିନ ଶବ ପଡି ରହୁଛି । ଏଭଳି ଦୁଇ ଦୁଇଟି ମୌଳିକ ସମସ୍ୟାରେ ଛନ୍ଦି ହେଉଥିବା ଜନଗଣଙ୍କ ସୁବିଧା ନିମନ୍ତେ କୋରନ୍ଦ ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ସେଠି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଏହି ମର୍ମରେ ଏକ ଦାବିପତ୍ର ନେଇ ଯୁବନେତା ରଞ୍ଜନ ସେଠି, ବିଚିତ୍ର ବାରିକଙ୍କ ନେତ୍ରତ୍ୱରେ ବିଷ୍ଣୁ ବାରିକ, ସଙ୍ଖାଳି ରାୟ, ବନମାଳୀ ବାରିକ ପ୍ରମୁଖ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଦ୍ୱିତୀୟ ବାର ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ପୁନଶ୍ଚ ରାଜକନିକା ବିଡ଼ିଓଙ୍କୁ ଭେଟି ଶୌଚାଳୟ ସ୍ଥାପନ କରିବାକୁ ଏକାଧିକ ବାର ଆଲୋଚନା କରିଥିବାରୁ ଏ ଦିଗରେ ଜିଲ୍ଲା ପ୍ରଶାସନ ନଜର ଦେବାକୁ ସାଧାରଣରେ ଦାବି ହେଉଛି ।