ନିଅଣ୍ଟିଆ ବର୍ଷା, ଗଜା ମରୁଡି ଆଶଙ୍କା
ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ
ସମ୍ପ୍ରତି ଖରିଫ ଧାନଚାଷ ପାଇଁ ଚାଷୀ ଭାଇମାନେ ବେଉଷଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରାୟ ଚାଷ ଜମିରେ ଖରାଟିଆ ହଳ ସମ୍ପୂର୍ଣ୍ଣ ହୋଇଥିବା ବେଳେ କିଛି ଚାଷୀ ମଧ୍ୟ ଯେନତେନ ଉପାୟରେ ତଳି ପକା କାର୍ଯ୍ୟ ସାରି ଦେଇଛନ୍ତି । ଏପଟେ ଆଷାଢ଼ ଅଧା ଅଧି ହୋଇଥିଲେ ସୁଦ୍ଧା ଚାଷ ଅନୁଯାୟୀ ବର୍ଷା ଦେଖାନାହିଁ । ଯାହାଫଳରେ ଗଜା ମରୁଡି ଆଶଙ୍କା ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ ।
ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚଳିତ ବର୍ଷ ୧୭ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଚାଷୀ ଭାଇମାନେ ବେସରକାରୀ ଭାବେ ଧାନ ବିହନ କ୍ରୟ କରି ତଳି ପକାଇଥିବା ବେଳେ ସେଗୁଡିକ ଏବେ ଗଜା ମରୁଡି ହେବା ଆଶଙ୍କା ଦେଖାଦେଇଛି । କିଛି ବିଲରେ ବିହନ ଗଜା ହୋଇଥିବା ବେଳେ ଆଉ କିଛି ମଧ୍ୟ ଗଛରେ ରୂପାନ୍ତରିତ ହୋଇଗଲାଣି । ପ୍ରାୟ ଶତକଡା ୪୦ଭାଗ ଚାଷ ଜମିରେ ଖରାଟିଆ ଧାନ ତଳି ପଡ଼ିଥିଲେ ସୁଦ୍ଧା ବର୍ଷା ଅଭାବରୁ ସେଗୁଡିକୁ ବଞ୍ଚାଇ ରଖିବା ଚାଷୀଙ୍କ ପକ୍ଷରେ କଷ୍ଟକର ହୋଇପଡିଲାଣି । ଏପଟେ କେନାଲରେ ମଧ୍ୟ ପାଣିର ଦେଖାନାହିଁ । ଜଳସମ୍ପଦ ବିଭାଗ ପକ୍ଷରୁ ଚିରାଚରିତ ଭାବେ ଜୁନ୍ ୧୦ତାରିଖରେ କେନାଲରେ ପାଣି ଛାଡିବାକୁ ନିଷ୍ପତ୍ତି ହୋଇଥିବାବେଳେ ବୃଷ୍ଟି ଶୂନ୍ୟ ଧାନ ତଳି ଅବସ୍ଥାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । ଆଗାମୀ ଦୁଇତିନି ଦିନରେ ଯଦି ବର୍ଷା ନ ହୁଏ, ତାହେଲେ ତଳି ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ଏଥିରେ ସନେ୍ଦହର ଅବକାଶ ନାହିଁ । ବିକଳ୍ପ ବ୍ୟବସ୍ଥା ଭାବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଯଦି କେନାଲରେ ପାଣି ଆସେ ତାହେଲେ ତଳି ରକ୍ଷା ହେବା ସହିତ ଚାଷୀମାନେ ଗଜା ମରୁଡି କ୍ଷତିରୁ ମୁକୁଳି ଯାଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ବିଭିନ୍ନ ଅଞ୍ଚଳର କୃଷକମାନେ ଦାବି କରିଛନ୍ତି ।