ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ 

 ହିଞ୍ଜିଳିକାଟୁ :  ହିଞ୍ଜିଳିକାଟୁ ବ୍ଲକ୍ ଖରିଡା ଋଷିକୂଲ୍ୟା ନଦୀରୁ ବାଲି ଆଣିବାକୁ ଯାଇ ଫେରିନଥିଲେ ଜଣେ ଶ୍ରମିକ । ତାଙ୍କ ସହ ଯାଇଥିବା ଅନ୍ୟ ୩ ଶ୍ରମିକ ଓ ଟ୍ରାକ୍ଟର ଡ୍ରାଇଭର ନିଖୋଜ ଶ୍ରମିକଙ୍କୁ ନେଇ ପରିବାର ଲୋକଙ୍କୁ ସ୍ପଷ୍ଟ କରିନଥିଲେ । ଫଳରେ ବାଲି ମାଫିଆ କିମ୍ବା ଶତୃତାରୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସନେ୍ଦହ ସୃଷ୍ଟି ହୋଇଥିଲା । ଶୁକ୍ରବାର ପୂର୍ବାହ୍ନରେ ଉତ୍ୟକ୍ତ ଗ୍ରାମବାସୀ ଓ ପରିବାର ବର୍ଗ ଘଟଣାର ସତ୍ୟାସତ୍ୟ ପାଇଁ ହିଞ୍ଜିଳି ଥାନା ଘେରାଉ କରିଥିଲେ । ପୁଲିସ ଓ ଗ୍ରାମବାସୀ ଖୋଜାଖୋଜି କରି ଖରିଡା ଋଷିକୂଲ୍ୟା ନଦୀ ନିକଟସ୍ଥ କାଜୁ ଜଙ୍ଗଲରୁ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଜଣକ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଶ୍ରୀକାନ୍ତ ସେଠି (୩୭)  । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବା ସନେ୍ଦହ କରାଯାଉଛି  । ଏନେଇ ୩ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ପ୍ରକାଶ ଯେ, ବୁଧବାର ରାତିରେ ଜଣେ ଟ୍ରାକ୍ଟର ଡ୍ରାଇଭର ଓ ୪ ଶ୍ରମିକ ଖରିଡା ନିକଟସ୍ଥ ଋଷିକୂଲ୍ୟା ନଦୀକୁ ବାଲି ଆଣିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଶ୍ରମିକ ଡ୍ରାଇଭର ଫେରିଥିବା ବେଳେ ଶ୍ରମିକ ଭାବେ ଯାଇଥିବା ହିଞ୍ଜିଳି ଥାନା ଖରିଡା ଗ୍ରାମର ଶ୍ରୀକାନ୍ତ ସେଠି (୩୭) ଫେରିନଥିଲେ । ଅନ୍ୟ ଶ୍ରମିକମାନେ ଓ ଡ଼୍ରାଇଭର ଶ୍ରୀକାନ୍ତ ଙ୍କ ନିଖୋଜ ନେଇ କୌଣସି ସ୍ପଷ୍ଟ ସୂଚନା ପରିବାର ଲୋକଙ୍କୁ ଦେଇନଥିଲେ । ଫଳରେ ପରିବାର ଲୋକଙ୍କ ଭିତରେ ସନେ୍ଦହ ସୃଷ୍ଟି ହୋଇଥିଲା । ଗୁରୁବାର ରାତିରେ ଶ୍ରୀକାନ୍ତ ଙ୍କ ବାପା ପୁଅର ନିଖୋଜ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନିଖୋଜ ଶ୍ରୀକାନ୍ତ ଙ୍କୁ ଠାବ କରିବାରେ ବିଳମ୍ବ ଓ ଯୋଜନାବଦ୍ଧ ଭାବେ ହତ୍ୟା ସନେ୍ଦହ  ବଢ଼ିବାରୁ ଉତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ଶୁକ୍ରବାର ପୂର୍ବାହ୍ନରେ ଥାନା ଘେରାଉ କରିଥିଲେ । ପରେ ଗାଁ ଲୋକେ ଓ ପୋଲିସ ଖୋଜାଖୋଜି କରି ଖରିଡା ଗାଁ ନିକଟ କାଜୁ ଜଙ୍ଗଲ ରୁ ଶ୍ରୀକାନ୍ତ ଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ । ଶ୍ରୀକାନ୍ତଙ୍କୁ ଯୋଜନା ବଦ୍ଧ ଭାବରେ ବାଲି ମାଫିଆ ମାନେ ହତ୍ୟା କରିଥିବା ସନେ୍ଦହ କରାଯାଉଛି । ପ୍ରତି ରାତିରେ ଖରିଡା ଋଷିକୂଲ୍ୟା ନଦୀରୁ ବାଲି ଟ୍ରାକ୍ଟର  ଓ ଅନ୍ୟାନ୍ୟ ଭାରୀଯାନରେ ଚୋରାଚାଲାଣ ହେଉଛି । ବାଲି ପାଇଁ ଶ୍ରୀକାନ୍ତ ଙ୍କୁ ହତ୍ୟା ହୋଇଥିବା ସନେ୍ଦହ ସୃଷ୍ଟି ହୋଇଥିଲା ।