ନିର୍ବାଚନୀ ଋତୁର ଉଷ୍ମତା

ନିର୍ବାଚନୀ ଋତୁର ଉଷ୍ମତା

ଭାରତ ସ୍ୱାଧୀନ ହେବା ଇତି ମଧ୍ୟରେ ୭୮ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ଏହା ଭିତରେ ଆମେ ଏକାଧିକ ନିର୍ବାଚନ ଦେଖିଛେ । ଏହି  ସମୟ ମଧ୍ୟରେ ଆମେ ୧୯୫୧-୫୨ରୁ ୨୦୧୯ ପର୍ଯ୍ୟନ୍ତ ୧୭ଟି ଲୋକସଭା ନିର୍ବାଚନକୁ ସାମ୍ନା କରିଛୁ । ଏବେ ପୁଣି ୨୦୨୪ ପାଇଁ  ଦେଶର ୧୮ତମ ଲୋକସଭା ସମେତ  ଆମ ରାଜ୍ୟର  ବିଧାନସଭା ଏବଂ ୨୬ ବିଧାନସଭା ଆସନର ଉପନିର୍ବାଚନ ପାଇଁ ମତଦାନ ହେଉଛି ।  ସେଥିପାଇଁ ରାଜନୈତିକ ପରିବେଶ ଅତ୍ୟନ୍ତ ଉଷ୍ମ ହୋଇପଡିଛି ।  ଏଥି ପାଇଁ ବିଭିନ୍ନ  ରାଜନୈତିକ ଦଳ ସେମାନଙ୍କ ଦଳ ପାଇଁ ପ୍ରଚାର କାର୍ଯ୍ୟକୁ ଜୋର୍ଦାର କରିଛନ୍ତି ।  ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ଢଙ୍ଗରେ ପ୍ରଚାର ଚାଲିଛି । ପୂର୍ବର ପ୍ରଚାର ଶୈଳୀରେ ଏବେ ପରିବର୍ତ୍ତନ ଆସିଛି  । ୟୁ୍ୟଟୁବ୍  , ଇନ୍ଷ୍ଟାଗ୍ରାମ୍ ଓ ସଙ୍ଗୀତ ରେକଡିଁ ମାଧ୍ୟମରେ ପ୍ରଚାରକୁ ନୂଆ ରୂପରେ ଗୁରୁତ୍ୱ ଦିଆଯାଉଛି । ଏଥି ସହିତ ସମ୍ବାଦପତ୍ର ଟିଭି, ରେଡିଓ ଓ ସୋସିଆଲ ମିଡିଆକୁ ମଧ୍ୟ ବ୍ୟବହାର କରାଯାଉଛି । ସେହିପରି  ୟୁ୍ୟଟୁବ୍ ଓ ଫେସ୍ବୁକ୍ର ଲାଇଭ ମାଧ୍ୟମରେ ମଧ୍ୟ ଲୋକଙ୍କ ପାଖରେ ନିଜ କଥା ଓ ଦଳୀୟ ଏଜେଣ୍ଡାକୁ ପହଞ୍ଚାଇ ହେଉଛି । ଏଥିସହିତ ସମାବେଶ, ରୋଡସୋ, ପଦଯାତ୍ରା , ବାଇକ୍ ରାଲି ମାଧ୍ୟମରେ ପ୍ରଚାର କରାଯିବା ଦେଖାଯାଉଛି । କିନ୍ତୁ କ୍ଷୋଭର ବିଷୟ ନାମାଙ୍କନକୁ ଯିବାବେଳେ ଶୋଭାଯାତ୍ରା ସମୟରେ ଓ ବିଭିନ୍ନ ଦଳମାନଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାଡପିଟ ସହିତ ଅଭାବନୀୟ ଘଟଣା ଘଟୁଛି । ଏପରିକି ଥାନାକୁ ଯିବା ଜେଲ ଯିବା ଭଳି ଦୁର୍ଭାଗ୍ୟ ଜନକ ଘଟଣା ବି ଘଟୁଛି । ଗଣତନ୍ତ୍ର ପ୍ରତି ଏହା ଉପହାସ କହିଲେ ଭୁଲ୍ ହେବ ନାହିଁ ।
ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ହେଉଛି ଏକ ମହାନ ପର୍ବ । ଆମ ଦେଶରେ ପ୍ରତି ପାଞ୍ଚବର୍ଷରେ ଥରେ ଲୋକସଭା ପାଇଁ ଓ ରାଜ୍ୟଗୁଡିକର ବିଧାନସଭା ପାଇଁ ନିର୍ବାଚନ ହୋଇଥାଏ । ସାବାଳକ ଭୋଟର ମାନେ ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ସେମାନଙ୍କ ପସନ୍ଦର ପ୍ରାର୍ଥୀକୁ ବାଛିଥାନ୍ତି  । ଏହି ସମ୍ବିଧାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଦଳମତ ନିର୍ବିଶେଷରେ ଆମେ ଆମ ପସନ୍ଦର ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା ଦରକାର । କୈାଣସି ପ୍ରକାର ପ୍ରଲ୍ଲୋଭନରେ ନପଡି ବା ବାଧ୍ୟବାଧକତାରେ ନଦବି ଆମେ ଭୋଟଦାନ କରିବା ଓ ଆମ ସାମ୍ବିଧାନିକ ଦାୟିତ୍ୱ ତୁଲାଇବା । ଏହି ଲକ୍ଷ୍ୟ ସମସ୍ତଙ୍କର ରହିବା ଦରକାର । କିନ୍ତୁ ବେଳେ ଅଭିଯୋଗ ହୁଏ ଆମ ଦେଶର ନିର୍ବାଚନ ଅର୍ଥବଳ ଓ ବାହୁବଳ ଦ୍ୱାରା ପ୍ରଭାବିତ ହୋଇଥାଏ । ଏଥି ସହିତ ଦିନକୁ ଦିନ ନିର୍ବାଚନକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୂମି ଥିବା ଲୋକମାନେ । ନିର୍ବାଚନରେ ଭାଗ ନେଉଥିବା ନେତାମାନେ ଯେତିକି ଅପରାଧୀ ସେତିକି କୋଟିପତି । ଫଳରେ ଭୋଟରମାନେ ଅବାଧ ଓ ନିରପେକ୍ଷ ଭାବେ ଭୋଟ ଦେଇପାରନ୍ତି ନାହିଁ । ଏପରିକି ନିର୍ବାଚନୀ ଇସ୍ତାହାରରେ ଥିବା ଲୋଭନୀୟ ପ୍ରତିଶ୍ରୁତି ଭୋଟରମାନଙ୍କୁ କେତେକାଂଶରେ ପ୍ରଭାବିତ କରିଥାଏ । ସେହିପରି ୨୦୨୪ ନିର୍ବାଚନ ପାଇଁ  ବିଭିନ୍ନ ଦଳ ନିର୍ବାଚନୀ  ଇସ୍ତାହାର ପ୍ରକାଶ କରିସାରିଛନ୍ତି । କିନ୍ତୁ ନିର୍ବାଚନ ସରିଗଲେ ଇସ୍ତାହାର ଇସ୍ତାହାର ବାଟରେ ଓ କାମ ହୁଏ ଗୋଟିଏ ବାଟରେ । ଅନ୍ୟ ଅର୍ଥରେ କହିଲେ ଇସ୍ତାହାର ଅନୁସାରେ କାର୍ଯ୍ୟ ହୁଏ ନାହିଁ । ସେଥିପାଇଁ କୁହାଯାଏ ଚଷା ହୁଡିଲେ ବରଷେ, ଭୋଟର ହୁଡିଲେ ପାଞ୍ଚ ବରଷ ।  ।ନିର୍ବାଚନ ସରିବାକୁ ଆଉ ପ୍ରାୟ ସପ୍ତାହେ ରହିଲା । ପ୍ରତ୍ୟେକ ଦଳ ନିର୍ବାଚନୀ ଜିତିବା ପାଇଁ କଳବଳ କୈାଶଳ ପ୍ରୟୋଗ କରିଚାଲିଛନ୍ତି । କିନ୍ତୁ ଓଡିଶାରେ କିଏ ସରକାର ଗଢିବ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା  । ଜୁନ ଚାରି ତାରିଖରେ ଭୋଟ ଗଣତି ପରେ ୨୦୨୪ରେ କିଏ ଗଢିବ ସରକାର ସ୍ପଷ୍ଟ ହୋଇଯିବ । ସେହିଦିନକୁ ଆମ ଅପେକ୍ଷା କରିବାକୁ ହେବ ।