ନୂଆ ଲୋକସେବା ଓ ବିଧାନସଭା ଭବନର ଶିଳାନ୍ୟାସ

ନୂଆ ଲୋକସେବା ଓ ବିଧାନସଭା ଭବନର ଶିଳାନ୍ୟାସ
  • ୭୧ ଏକର ସ୍ଥାନ, ଖର୍ଚ୍ଚ ହେବ ୩୬୨୩ କୋଟି 
  • ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ନୂଆ  ଏଲିଭେଟେଡ୍‌ କରିଡରର ଭିତ୍ତିପ୍ରସ୍ତର
  • ବ୍ୟୟ ହେବ ୯୫୨ କୋଟି
  • ‘ସଡକ ସୁରକ୍ଷା ହେଲା ସୁଶାସନର ଅଂଶ’
  • ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା ସମ୍ମାନ’ର ଶୁଭାରମ୍ଭ
  • କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ
  • ୧୪ ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ
  • ବସ୍‌ ପାଇଁ ସ୍ମାର୍ଟ କାର୍ଡ : ଏଣିକି କ୍ୟାସଲେସ୍‌ ଟିକେଟ୍‌
  • ୬,୭୦୦ର ୭୧ ପୂର୍ତ୍ତ ପ୍ରକଳ୍ପର ଶୁଭାରମ୍ଭ


ଭୁବନେଶ୍ୱର : ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହାସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲାଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ଓ ଦେଶରେ ବଢୁଥିବା ସଡକ ଦୁର୍ଘଟଣା ଯୋଗୁ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡକ ସୁରକ୍ଷାର ନିୟମ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।


  ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସଡକ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରିଟି ‘ଇ’ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଗୁଡିକ ହେଲା ଏଜୁକେସନ ବା ଶିକ୍ଷା, ଏନ୍‌ଫୋର୍ସମେଣ୍ଟ ବା ନିୟମର କଡାକଡି ଅନୁପାଳନ, ଇଞ୍ଜିନିୟରିଂ ବା ଯୋଗାଯୋଗ ଭିତ୍ତିଭୂମି ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗକରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଏମର୍ଜେନ୍‌ସି ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ । ଏହି ଚାରିଟି ନିୟମ ଅନୁପାଳନ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଉ ଦୁଇଟି ‘ଇ’ ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ । ଏହାହେଲା ଏନ୍‌ଭରନ୍‌ମେଣ୍ଟ ଓ ଇଭାଲ୍ୟୁଏସନ । ଯାନବାହନର ପ୍ରଦୂଷଣ ନିୟମକୁ ସଠିକ୍‌ ଭାବେ ପାଳନ କରିବା ସହିତ ସଡକ ସୁରକ୍ଷାର ଯେଉଁ ନିୟମଗୁଡିକ ଅଛି, ତାହାର ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ମୂଲ୍ୟାୟନକୁ ଭିତ୍ତିକରି ବିଭିନ୍ନ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଡକ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେଯେ, ଆଜିଠାରୁ ସଡକ ସୁରକ୍ଷାକୁ ସୁଶାସନର ଅଂଶ ଭାବେ ଗ୍ରହଣ କରାଗଲା । ଏହାଦ୍ୱାରା ସରକାରୀ ଅଧିକାରୀମାନେ ଏହା ଉପରେ ଅଧିକ ସତର୍କ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଆଜି ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା ସମ୍ମାନ’ ଘୋଷଣା କରିଥିଲେ । ଏହି ଯୋଜନାରେ ସମସ୍ତ ଜିଲ୍ଲା, ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନଗୁଡିକୁ ସଡକ ସୁରକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ଭିତ୍ତିକରି ସମ୍ମାନିତ କରାଯିବ । ଯେଉଁ ଜିଲ୍ଲାଗୁଡିକ ଭଲ ପ୍ରଦର୍ଶନ କରିବେ, ସେମାନେ ପୁରସ୍କାର ପାଇବେ ଏବଂ ଯେଉଁମାନଙ୍କ ପ୍ରଦର୍ଶନ ଖରାପ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ । ସେହିପରି ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ସଡକ ସୁରକ୍ଷା ପାଇଁ ଗ୍ରହଣ କରିଥିବା ଉତ୍ତମ ପଦକ୍ଷେପ ଭିତ୍ତିରେ ପୁରସ୍କାର ପ୍ରଦାନ କରାଯିବ ।


  ଏହାଦ୍ୱାରା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧିହେବ । ଦୁର୍ଘଟଣା କମିବାରେ ଏହି ପଦକ୍ଷେପ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ରାଜ୍ୟର ଘାଟିରାସ୍ତାଗୁଡିକରେ ସଡକ ସୁରକ୍ଷା ପାଇଁ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ । ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି । ଏହାର ସଫଳତାକୁ ଦେଖି ଅନ୍ୟାନ୍ୟ ଘାଟି ରାସ୍ତାରେ ଏହା ଆରମ୍ଭ କରାଯିବ । ସେହିପରି ଏହି ଅବସରରେ କଟକ ଭୁବନେଶ୍ୱରର ଟ୍ୱିନସିଟିରେ ଉନ୍ନତ ଟ୍ରାଫିକ ପରିଚାଳନା ପାଇଁ ଆଇଆଇଟି ଖଡଗପୁର ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଥିଲା । ଆଇଆଇଟିର ରିପୋର୍ଟ ପରେ ଏହି ଆଧାରରେ ଦୁଇ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଚାର୍ଜିଙ୍ଗ ଷ୍ଟେସନର ମଧ୍ୟ ଆବଶ୍ୟକତା ରହିଛି । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଇଁ ୧୫ଟି ଚାର୍ଜିଙ୍ଗ ଷ୍ଟେସନର ଲୋକାର୍ପଣ କରିଥିଲେ । ସୂଚନାଯୋଗ୍ୟଯେ, ରାଜ୍ୟରେ ଆହୁରି ୮୫ ଚାର୍ଜିଙ୍ଗ ଷ୍ଟେସନ ନିର୍ମାଣାଧୀନ ଅଛି, ଏଗୁଡିକ ଖୁବଶୀଘ୍ର ଲୋକାର୍ପିତ ହେବ । ଆଗାମୀ ଦିନରେ ଆହୁରି ଅଧିକ ଚାର୍ଜିଙ୍ଗ ଷ୍ଟେସନ ନିର୍ମାଣ କରାଯିବ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଛନ୍ତି । ୧୫୬.୫୩ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡଗୁଡିକ ରାଜ୍ୟର ୧୦ ଜିଲ୍ଲାରେ ନିର୍ମିତ ହୋଇଛି । ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 


   ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୪୬ କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ ବିଏସ-୬ ମାନର ଆଧୁନିକ ବସ୍‌ ଚଳାଚଳର ଶୁଭାରମ୍ଭ କରାଯାଇଛି  । ନିଗମର ପୁରୁଣା ବସ୍‌ ବଦଳରେ ଏହି ସବୁ ପରିବେଶ ଅନୁକୂଳ ଅତ୍ୟାଧୁନିକ ନୂଆ ବସ୍‌ କିଣାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବହନ ନିଗମ ପକ୍ଷରୁ ପରିଚାଳିତ ବସ୍‌ଗୁଡିକ ପାଇଁ  ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ୍‌ ଟିକେଟ୍‌ କାଟି ସୁବିଧାରେ ଯାତ୍ରା କରିପାରିବେ । ଏହି ଅବସରରେ ବ୍ରହ୍ମପୁର ଠାରେ କ୍ରୁଟ୍‌ ପକ୍ଷରୁ ନିର୍ମିତ ହୋଇଥିବା ଏକ ଅତ୍ୟାଧୁନିକ ବସ୍‌ ଡିପୋରୁ ୨୫ଟି ନୂତନ ଇ-ବସ୍‌ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଥିଲା । ଆଧୁନିକ ପ୍ରଣାଳୀରେ ନିର୍ମିତ ଏହି ଡିପୋ ବ୍ରହ୍ମପୁର ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଇ-ବସ ପରିଚାଳନା କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟ ପୂର୍ତ୍ତ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱରର ଯେପରି କାୟାକଳ୍ପ ହେବ, ତାକୁ ଦୃଷ୍ଟିରେ ରଖି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୯୫୨ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ଏକ ନୂଆ ଏଲିଭେଟେଡ୍‌ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍‌ ଛକରେ ଚାରିଟି ଫ୍ଲାଏ-ଓଭର ନିର୍ମାଣ କରାଯିବ । ଏହାଦ୍ୱାରା ରାଜ୍ୟର ଏକ ଗହଳିପୂର୍ଣ୍ଣ ସଡକରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଜନସାଧାରଣ କମ୍‌ ସମୟ ମଧ୍ୟରେ ସୁବିଧାରେ ଯିବାଆସିବା କରିପାରିବେ ।


  ସେହିପରି ରାଜ୍ୟରେ ଏକ ନୂତନ ଅତ୍ୟାଧୁନିକ ଲୋକସେବା ଭବନ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି  । ୭୧.୧୩ ଏକର ଜାଗାରେ ଗୋଟିଏ କ୍ୟାମ୍ପସ ଭିତରେ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା ରହିବ । ଡିଲିମିଟେସନକୁ ଦୃଷ୍ଟିରେ ରଖି ବିଧାନସଭାକୁ ୩୦୦ ଆସନ ବିଶିଷ୍ଟ କରାଯିବ । ଏଥିପାଇଁ ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିମଧ୍ୟରୁ ପ୍ରାୟ ୫,୬୩୦ କୋଟି ଟଙ୍କା ବିନିଯୋଗରେ ୩୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ପ୍ରାୟ ୧,୦୭୦ କୋଟି ଟଙ୍କା ବିନିଯୋଗରେ ୩୨ ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ । ସଡକ ଭିତ୍ତିଭୂମି ଓ ସଡକ ସୁରକ୍ଷା କ୍ଷେତ୍ରରେ ଆଜିର ଏହି ଯୁଗାନ୍ତକାରୀ ପଦକ୍ଷେପଗୁଡିକ ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେଯେ, ଆମ ସମସ୍ତଙ୍କର ଲକ୍ଷ୍ୟ ହେଉଛି, ସମୃଦ୍ଧ ଓଡିଶା ବିକଶିତ ଓଡିଶା । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଅତ୍ୟାଧୁନିକ ସଡକ ପରିବହନ, ସୁରକ୍ଷିତ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡିକ ଯେପରି ସଫଳ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଯାନଚାଳନା ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଡ୍ରାଇଭ୍‌ ସେଫ୍‌, କମ୍‌ ହୋମ୍‌ ସେଫ୍‌ । 


  ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଜଣ ମହିଳା ଗାଡି ଚାଳକମାନଙ୍କୁ ଗାଡି ଚାବି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟଯେ, ଆମ ସୁବାହକ ଯୋଜନା ଅଧୀନରେ ସରକାରୀ ଗ୍ୟାରେଣ୍ଟିରେ କାର କିଣିବା ପାଇଁ ୠଣ ପ୍ରଦାନ କରାଯାଉଛି । ସଡକ ଦୁର୍ଘଟଣା କେବଳ ଆମ ରାଜ୍ୟ କି ଦେଶରେ ନୁହେଁ, ସମଗ୍ର ମାନବ ସଭ୍ୟତା ସମ୍ମୁଖରେ ବଡ ଚିନ୍ତାର ବିଷୟ ହୋଇ ସାରିଛି । ଏଣୁ ଶିକ୍ଷାରୁ ସୁରକ୍ଷା ଏବଂ ଟେକ୍ନୋଲୋଜିରୁ ପରିବର୍ତ୍ତନ ଧାରାରେ ଆମେ ସଡକ ଦୁର୍ଘଟଣାକୁ ରୋକି ପାରିବା ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ସମସ୍ତ ରାସ୍ତା ପଟ୍‌ହୋଲ୍‌ ମୁକ୍ତ ହେବେ ଏବଂ ଖୁବଶୀଘ୍ର ଟ୍ରାଫିକ୍‌ କ୍ଲିୟରାନ୍‌ସ ହେବ ବୋଲି ପୂର୍ତ୍ତ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ, ଓଏସଆରଟିସି ସିଏମଡି ଏନ୍‌ବିଏସ୍‌ ରାଜପୁତ, ପରିବହନ ଆୟୁକ୍ତ ଅମିତାଭ ଠାକୁର୍‌ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।