ନ୍ୟାୟ ଅପେକ୍ଷାରେ ଜଳଧର
ନୂଆପଡାରୁ ପରମେଶ୍ୱର ବାରିକ :
ନୂଆପଡା ଜିଲ୍ଲାର ପ୍ରମୁଖ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ ।ଏହି ଡ୍ୟାମ ପାଇଁ ଅନେକ ଗାଁ ଉଜୁଡି ଯାଇଛି । ସରକାରୀ ନାଲି ଆଖିର ସାମ୍ନା କରି ନ ପାରି ଭିଟାମାଟି ଛାଡିବାକୁ ବାଧ୍ୟ ହୋଇଥିଲେ ଗ୍ରାମବାସୀ । ସରକାରୀ ନିୟମ ମୁତାବକ ସେମାନଙ୍କୁ କ୍ଷତିପୂରଣ ଦିଆଗଲା, କିନ୍ତୁ ଅଦ୍ୟାବଧି ଅନେକ ଲୋକ ଉପଯୁକ୍ତ କ୍ଷତିପୂରଣ ପାଇ ନଥିବା ଅଭିଯୋଗ କରି ଆସୁଛନ୍ତି । କାର୍ଯ୍ୟାଳୟ ପରିସରରେ ଗତ ୨୦୨୦ ମସିହାରୁ ରହି ଆସୁଛନ୍ତି ଜଣେ ବ୍ୟକ୍ତି । ରୋଷେଇ କରି ଖାଇବା ସହ ଶୋଇବା ଓ ସମସ୍ତ କାମ ଏଇଠି କରୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଳଧର ମାଝୀ । ଘର ତାଙ୍କର ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମ ପଞ୍ଚାୟତର କାଲିମାଟି ଗ୍ରାମ ।
୨୦୦୦ ମସିହାରେ ତିଖାଲି ଡ୍ୟାମ ନିର୍ମାଣ ପାଇଁ ଶିଳାନ୍ୟାସ ଦିଆଯାଇଥିଲା । ଏହି ଡ୍ୟାମ ପାଇଁ ତିରିଶି ଟା ଗାଁ ବୁଡି ଅଞ୍ଚଳ ଭାବରେ ଘୋଷିତ ହୋଇଥିବାବେଳେ କାଲିମାଟି ଗାଁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିଲା । ଗ୍ରାମବାସୀ ବିସ୍ଥାପିତ ହୋଇ ଦୁର୍ବିସହ ଜୀବନ ଜିଇଁବାକୁ ବାଧ୍ୟ ହୋଇଥିଲେ । ଲୋକେ ହରାଇଥିବା ଜମିବାଡ଼ି ଘରଦ୍ୱାର ପାଇଁ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ମିଳିଲା, ହେଲେ ପ୍ରଶାସନ ଓ ଦଲାଲଙ୍କ ପାଇଁ ଅନେକ ପରିବାର ଉପଯୁକ୍ତ ସହାୟତା ପାଇ ପାରିଲେନାହିଁ । ଏମିତି ଏକ ଅଭିଯୋଗ କରି ଦୀର୍ଘବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଅଫିସରେ ପଡି ରହିଛନ୍ତି ଜଳଧର ମାଝୀ ।
ଜଳଧରଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ଓ ଅନ୍ୟମାନଙ୍କ ନାମରେ ୧୬ ଏକର ଜମି ଥିଲା । କ୍ଷତିପୂରଣ ବାବଦରେ କୋଟିଏରୁ ଊଦ୍ଧ୍ୱର୍ ଟଙ୍କା ମିଳିଥିବାବେଳେ ତାଙ୍କୁ କିଛି ନ ଦେଇ ସବୁ ଆତ୍ମୀୟ ସ୍ୱଜନ ମାନେ ନେଇ ଯାଇଥିଲେ । ସେ ନିଜ ପ୍ରାପ୍ୟ ଦାବି କରିବାରୁ ତାଙ୍କୁ ଶାରୀରିକ ମାନସିକ ଯନ୍ତ୍ରଣା ଦିଆଯାଇଥିଲା । ଏପରିକି ହାଇଦ୍ରାବାଦ କାମ କରିବାକୁ ନେଇ ତାଙ୍କୁ ଛାଡି ଦିଆଯାଇଥିଲା ଓ ସେଠାରୁ ସେ ବହୁତ କଷ୍ଟରେ ଫେରି ଆସିଥିବା କହନ୍ତି । ଦିନେ ପୋଟଳ ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ଜଳଧର ଅନ୍ୟ ଘରେ ମୂଲିଆ ଲାଗିବାକୁ ବାଧ୍ୟ ହୋଇଥିଲେ ଓ ରଜନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ । ସେଠାରୁ ତାଙ୍କୁ ତଡି ଦିଆଗଲା, ସେହି ଦିନରୁ ୫ ବର୍ଷ ହେଲା ଖଡ଼ିଆଳ ଲୋୟର ଇନ୍ଦ୍ର ଜଳସେଚନ କାର୍ଯ୍ୟାଳୟରେ ପଡି ରହିଛନ୍ତି ଓ ନିଜ ହକ ଦାବିରେ ସବୁଦିନ ସ୍ୱର ଉତ୍ତୋଳନ କରୁଛନ୍ତି କିନ୍ତୁ କେହି ମଧ୍ୟ ତାଙ୍କ ଦୁଃଖ ବୁଝୁନାହାନ୍ତି । ଖାଲି ଜଳଧର ନୁହନ୍ତି, ଅନେକ ପରିବାର ଏପର୍ଯ୍ୟନ୍ତ ବିସ୍ଥାପିତ ସହାୟତା ପାଇ ନଥିବା ବେଳେ ଜାଲ କାଗଜପତ୍ର କରି ଅନେକ ଲୋକ ସହାୟତା ଅର୍ଥ ମାରି ନେଇଥିବା ଅଭିଯୋଗ ହେଉ ଆସୁଅଛି । ଏପରିକି ଏହାର ତଦନ୍ତ କରିବାକୁ ସରକାର ଚିଠି କରିଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଓ କିଛି ଦୁର୍ନୀତିଗସ୍ତ ଅଧିକାରୀଙ୍କ ପାଇଁ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଜଳଧର ବିସ୍ଥାପିତ ସମସ୍ୟାର ଗୋଟିଏ ମାତ୍ର ଉଦାହରଣ । ଏ ନେଇ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ପେସିଆଲ ଏଲଏଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ଓ କାହିଁକି ସେ ସହାୟତା ରାଶି ପାଇ ନାହାଁନ୍ତି ତାହାର ସମୀକ୍ଷା କରିବେ ବୋଲି କହିଛନ୍ତି ।