ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ଅଧିବେଶନ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଛି । ବ୍ଲକ୍ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ବ୍ଲକ ଉନ୍ନୟନ ଅଧିକାରୀ ଅଭିଷେକ ସ୍ୱାଇଁ, ଉପ ସଭାପତି ପ୍ରତାପ ନାରାୟଣ ମହାପାତ୍ରଙ୍କ ସମେତ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା ଓ ସମସ୍ତ ଜନପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ, ୮୦ ବର୍ଷ ଓ ତହିଁରୁ ଅଧିକ ବୟସ୍କ ନାଗରିକମାନଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ ସଂପର୍କରେ ତଥ୍ୟ ସଂଗ୍ରହ ଓ ସଂଶୋଧନ, ରାସନକାର୍ଡଧାରୀମାନେ ଇ-କେୱାଇସି ଅପ୍ଡେଟ୍ କରିବା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବିଭିନ୍ନ ପ୍ରକଳ୍ପରେ କାମ ନେଇଥିବା ଠିକାଦାରମାନେ ଜାଣିଶୁଣି କାର୍ଯ୍ୟକୁ ମନ୍ଥର ଗତିରେ କରୁଥିବାରୁ ସଂପୃକ୍ତ ପଞ୍ଚାୟତର ସରପଞ୍ଚମାନେ ତୀବ୍ର ଆପତ୍ତି ଉଠାଇଥିଲେ । ଏ ସଂପର୍କରେ ଆଗାମୀ ଦୁଇ ତିନିଦିନ ମଧ୍ୟରେ ସଂପୃକ୍ତ ଠିକାଦାରମାନଙ୍କୁ ଡକାଇ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ କାମ ଶେଷ କରିବା ପାଇଁ ବ୍ଲକ ପକ୍ଷରୁ ତାଗିଦା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପାଇଁ ଚୁଡାନ୍ତ ତାଲିକା ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ଅନ୍ୟାନ୍ୟ ଯୋଜନାମୂଳକ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ଅପରପକ୍ଷେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକ ମଧ୍ୟକୁ ପ୍ରବେଶ ଅନୁମତି ନ ଥିବାରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ବ୍ଲକ ଜିପିଓ ଶୁଭ୍ରଜିତ୍ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜିର ଅଧିବେଶନ ପରିଚାଳିତ ହୋଇଥିଲା ।