ପଥର ପଡ଼ିଲେ ସହି 


ଅଫିସ ସାରି ଘରକୁ ଫେରୁ ଫେରୁ ସଙ୍ଗୀତା ଦେବୀଙ୍କର ସେଦିନ ଡେରି ହୋଇଗଲା  । ଘରେ ପହଞ୍ଚୁ ପହଞ୍ଚୁ ଦେଖିଲେ ତାଙ୍କ ପତି ପ୍ରକାଶ ଟିଭି ଦେଖିବାରେ ବ୍ୟସ୍ତ  । ଫ୍ରେଶ୍ ହେବା ପରେ ଚା'କପ୍ ଧରି ସେ ତାଙ୍କ ପାଖରେ ପହଞ୍ଚôଲେ  । ଚା'ପର୍ବ ଶେଷ ହେବା ପରେ ସେ କହିଲେ - ଆଚ୍ଛା, ତୁମକୁ କହି ଯାଇଥିଲି ବଜାରକୁ ଯାଇ କିଛି ପରିବା ଆଣିବାକୁ, ଆଣିଛ ? ଦୀପକ କହିଲେ - ନାଁ, ମୋର କାମ ଥିଲା ସେଠାରୁ ଅଳ୍ପ ସମୟ ହେଲା ଫେରୁଛି  । ବ୍ୟସ୍ତ ଲାଗୁଛି, ତୁମେ ଯାଇ ପରିବା ଆଣି ଆସ  । ଆଉ, ତା'ପରେ, ଝିମିଟି ଖେଳରୁ ମହାଭାରତ ପରି ପତ୍ନୀ-ପତିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା  । ଦୁହେଁ ନିଜ ନିଜ ଜିଦ୍ରେ ଅଟଳ  । ଏହି ସମୟରେ ସେଠାରେ ପହଞ୍ଚôଲେ ଅନୀତାଦେବୀଙ୍କ ସାଙ୍ଗ ପ୍ରତିମା ଦେବୀ  । ସବୁକଥା ଶୁଣି ଦୁହିଁଙ୍କ ମନରେ ଥିବା ଧାରଣା ଦୂର କରିବାକୁ ଚେଷ୍ଟା କଲେ  । ଶେଷରେ ପ୍ରକୃତ କଥା କ'ଣ ବୁଝିପାରିଲେ ପତ୍ନୀ-ପତି  । ଇଏ ହେଉଛି ଆମ ସମୟର ସାଧାରଣ ଜୀବନର ପ୍ରାୟତଃ ଅଙ୍ଗେ ନିଭା ଘଟଣା  । କର୍ମବ୍ୟସ୍ତ ଜୀବନ ଭିତରେ ଦୁଇଜଣ ଦୁଇଜଣଙ୍କୁ ସବୁକିଛି ଜାଣି ମଧ୍ୟ ସତେଯେପରି ଦୁଇଜଣ ଦୁଇଜଣଙ୍କୁ ହିଁ ଚିହ୍ନି ନଥାନ୍ତି ! ଆଉ ଯଦି ଦୁଇଜଣ କର୍ମଜୀବୀ ହୋଇଥାନ୍ତି ତାହେଲେ ତ ଘଟଣା ଭିନ୍ନ ମୋଡ଼ ନେଇଥାଏ  । କୃଷ୍ଣବାବୁଙ୍କ କଥା  । ପରିବହନ ବିଭାଗରେ କାର୍ଯ୍ୟକରୁଥିବା କୃଷ୍ଣବାବୁ ପ୍ରାୟତଃ ପରିବାର ପାଇଁ ସମୟହିଁ ଦେଇପାରି ନଥାନ୍ତି  । ଆଉ ସବୁ ଦାୟିତ୍ୱ ଧର୍ମପତ୍ନୀ ମୀନାଙ୍କ ଉପରେ ହିଁ ନ୍ୟସ୍ତ ଥାଏ  । ଘରେ ରୋଷେଇ ଠାରୁ ଠାକୁର ପୂଜା, ସୌଦାପତ୍ର ଠାରୁ ପନିପରିବା, ପିଲାଙ୍କୁ ସ୍କୁଲରୁ ଛାଡ଼ିବା ଠାରୁ ବନ୍ଧୁ ବେଭାର ସବୁ ହିଁ ମୀନା ଦେବୀ ତୁଲାଇଥାନ୍ତି  । କିନ୍ତୁ ଦାୟିତ୍ୱ ନିର୍ବାହ ଭିତରେ ଦିନେ ପରିବାରର ଝଡ଼ ପିଲାଙ୍କ ସ୍କୁଲ ବି ବନ୍ଦ କରିଦେଲା  । ଆଉ, ଦିନେ ସକାଳେ ନିଜ ପିଲାଙ୍କ ଠାରୁ ଭୁଲଟିକୁ ଦୁଇଜଣ ହିଁ ଜାଣି ବେଶ୍ ହସଖୁସିରେ ନିଜ ଜୀବନ ଡଙ୍ଗା ବାହିଚାଲିଲେ  ।
ପତ୍ନୀ-ପତିଙ୍କ ମଧ୍ୟରେ ବୁଝାମଣାର ଅଭାବ ନୂଆକଥା ନୁହେଁ  । ହେଲେ ତାହା ଯଦି ଭିନ୍ନ ରୂପ ନେଲା ତେବେ ସବୁ ଶେଷ  । ପରିବାରଟିଏ ଚଳାଇବାରେ ଉଭୟ ପତ୍ନୀ ଓ ପତିଙ୍କର ସମାନ ଭୂମିକା ରହିଛି  । ତା'ସହ ପରସ୍ପରର ସହଯୋଗ ମଧ୍ୟ ଦରକାର  । ଯଦି ବି ଉଭୟେ କର୍ମଜୀବୀ ହୋଇଥାନ୍ତି ତେବେ ପରିବାର ପ୍ରତି କେମିତି ସମୟ ଦେବେ ଦୁହେଁ ପରସ୍ପର ସହ ଆଲୋଚନା କରିବା ଉଚିତ  । ପିଲାଙ୍କ କଥା ବୁଝିବାରେ କେବଳ ମା'ର ଦାୟିତ୍ୱ ଏ ଧାରଣା ଆଣିବା ଠିକ୍ ନୁହେଁ  । ଯଦି ମା' କାର୍ଯ୍ୟବ୍ୟସ୍ତ ଅଛନ୍ତି, ତେବେ ବାପା ପିଲାଙ୍କ ପାଇଁ ସମୟ ଦେଲେ କିଛି କ୍ଷତି ନାହିଁ  । ଏପରି ଅଭ୍ୟାସରେ ୪୨ ପ୍ରତିଶତ ପତି ଅଭ୍ୟସ୍ତ ବୋଲି ନେଦରଲାଣ୍ଡ ବିଶେଷଜ୍ଞମାନେ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି  । ଅପରପକ୍ଷେ ଏହି ଗବେଷଣା ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ପ୍ରାୟ ୩୬ ଶତାଂଶ ମହିଳା ଚାହାନ୍ତି ସେମାନଙ୍କ ପତି ପିଲାଙ୍କୁ ଗାଧୋଇ ଦେବା, ଖୁଆଇ ଦେବାଠାରୁ ଆରମ୍ଭ କରି ସ୍କୁଲକୁ ନେବା ପର୍ଯ୍ୟନ୍ତ କାମ କରିବା ଦରକାର  ।
ପତ୍ନୀ ରୋଷେଇ କରୁଥିବା ସମୟରେ କେତେକ ପତି ସାହାଯ୍ୟ କରିବାକୁ ଆଗଭର ହୋଇଥାନ୍ତି ପୁଣି କେତେକ ଏଥିରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରିନଥାନ୍ତି  । ଉପରୋକ୍ତ ବିଷୟ ନେଇ ଇଂଲଣ୍ଡର ବିଶେଷଜ୍ଞମାନେ ଏକ ଅନୁଧ୍ୟାନ କରିଥିଲେ  । ଏଥିରୁ ଜଣାପଡ଼ିଥିଲା ଯେ ୫୫ ପ୍ରତିଶତ ପୁରୁଷ ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଥାନ୍ତି   । ଯଦି ପତି ରୋଷେଇ କରୁଛନ୍ତି ତେବେ ସେହି ସମୟରେ ପତ୍ନୀ ଘରର ଅନ୍ୟକାମ କରିପାରନ୍ତି  । ଘରର ପ୍ରତିଟି ସମସ୍ୟା ନେଇ ପତ୍ନୀ-ପତି ପରସ୍ପର ମଧ୍ୟରେ ଆଲୋଚନା କରିବା ଦରକାର  । ଏହା ଯେ ଅନ୍ୟମାନଙ୍କର ଦାୟିତ୍ୱ ଏଭଳି ମନୋଭାବ ଆଣିବା ଠିକ୍ ନୁହେଁ  । ଯଦି ପତ୍ନୀ କିଛି କହୁଛନ୍ତି, ତେବେ ତାହାର କି ତାତ୍ପର୍ଯ୍ୟ ରହିଛି ତାହା ପତି ହୃଦୟଙ୍ଗମ କରିବା ଦରକାର  । ଏହି ସମୟରେ ସବୁଠାରୁ ବଡ଼ କଥା ହେଲା ବୁଝାମଣା  । ଯଦି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହେ ତେବେ ଘଟଣାର ଅନ୍ତ ହେବା ପରିବର୍ତ୍ତେ ତାହା ଆହୁରି ଜଟିଳ ହୋଇଥାଏ  । କେତେକ କ୍ଷେତ୍ରରେ "ମୁଁ ଯାହା କରୁଛି ତାହା ଠିକ୍' ବୋଲି ଧାରଣା ଉଭୟ ପତ୍ନୀ-ପତିଙ୍କ ମନରେ ଆସିଥାଏ  । ଏଭଳି ଭାବନା ନିଶ୍ଚୟ କ୍ଷତିକାରକ  । ତେଣୁ ପ୍ରତିଟି କ୍ଷେତ୍ରରେ ସକାରାତ୍ମ ମାନସିକତା ସହ ଆଗେଇବା ଦରକାର  । ଯେଉଁ ଘଟଣାଟି ସୃଷ୍ଟି ହୋଇଛି ତାହାର କିପରି ସମାଧାନ କରାଯିବ ସେ ସମ୍ପର୍କରେ ଚିନ୍ତା କରନ୍ତୁ  । ଅଯଥା ନିଜ ନିଜ ମଧ୍ୟରେ ଯୁକ୍ତିତର୍କ କଲେ ଟେନ୍ସନ୍ ବଢ଼ିବା ହିଁ ସାର  । ତେଣୁ ପତ୍ନୀ-ପତି ମଧ୍ୟରେ ଉତ୍ତମ ସମ୍ପର୍କ, ବୁଝାମଣା ଘରକୁ ସୁଚାରୁ ରୂପେ ଚଳାଇବାକୁ ସାହାଯ୍ୟ କରିଥାଏ - ଏକଥା ଉଭୟେ ଭୁଲିଯିବା ଉଚିତ୍ ନୁହେଁ  । ପ୍ରାୟତଃ ଦେଖାଯାଇଥାଏ ଦୁଇଜଣଙ୍କ ଭିତରେ ବୁଝାମଣାର ଅଭାବ ହିଁ ବେଳେବେଳେ କାଳର କରାଳ ସ୍ରୋତରେ ସେମାନଙ୍କୁ ଠେଲି ଦେଇଥାଏ  । ସମୟ ପହଞ୍ଚେ ଦୈବଦୁର୍ଘଟଣା ଜୀବନର ମୋଡ଼କୁ ତ ବୁଲାଇ ଦେଇଥାଏ କିନ୍ତୁ ସେ ଦୁର୍ଘଟଣାର କଳା କାହାଣୀ ଦୁଇଜଣଙ୍କ ଭିତରେ ନିବିଡ଼ତା ଓ ଭଲ ପାଇବାକୁ ବି ମଜଭୁତ୍ କରିଥାଏ  । ଜୀବନର ଅଙ୍କାବଙ୍କା ଚଳାପଥରେ ମାଡ଼ି ଚାଲିଲାବେଳେ କଣ୍ଟାବୁଦାକୁ ସାମ୍ନା କରିବାକୁ ପଡ଼ିବ  । ଲୁହ ଓ ଲହୁକୁ ପିଇ ପିତାମାତାଙ୍କ ଆଶୀର୍ବାଦ ନେଇ ନିଜ ସୃଷ୍ଟ ରକ୍ତର ସନ୍ତକ ମାନଙ୍କ ଭିତରେ ଭଲ ଦୁନିଆଟିକୁ ଉପଭୋଗ କରିବାର ଗୁରୁଦାୟିତ୍ୱ ବି ଯେ ଦୁଇଜଣଙ୍କର ଏହାକୁ ସମସ୍ତେ ଗ୍ରହଣ କରିବା ହିଁ ଯଥାର୍ଥ ଜୀବନ  । ଅଭାବ, ନୈରାଶ୍ୟ, ଦୁଃଖ, ସୁଖ, ପ୍ରାପ୍ତି ଆଉ ଆନନ୍ଦ ଭିତରେ ନିଜ ପରିବାରକୁ ସାମିଲ କଲେ ସଂସାର ଭିତରେ ଘର କରିଥିଲେ ସତରେ ପଥର ପଡ଼ିଲେ ସହି  ।
ଅନୁପମା ଭୂୟାଁ