ପରଲୋକରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ

ପରଲୋକରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଶନିବାର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୦ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି ।  କିଛି ବର୍ଷ ଧରି କିଡନିଜନିତ ରୋଗରେ ପୀଡ଼ିତ ହୋଇ ରତିକାନ୍ତ ମହାନ୍ତି ଚିକିତ୍ସିତ ହେଉଥିଲେ। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ। ସେ ଅନେକ ଖବର କାଗଜ ସଂସ୍ଥା ସହ ଜଡିତ ଥିଲେ। ସେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଚେତନାର ଏକ ନିଷ୍ଠାବାନ କଣ୍ଠସ୍ବର ଥିଲେ ବୋଲି କୁହଯାଏ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅ ପୂଜା ଏବଂ ବନ୍ଦନା ରହିଛନ୍ତି ।

ତାଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୋହନ ଚରଣ ମାଝୀ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ ଜଣାଶୁଣା ଥିଲେ । ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି ।