ପରିଚୟ ହରାଉଛି ସାମନ୍ତ ଚନ୍ଦ୍ରଶେଖର ମୁଦ୍ରଣାଳୟ
ଖଣ୍ଡପଡ଼ା: ବିଶ୍ୱବିଖ୍ୟାତ ଜ୍ୟୋର୍ତିବିଦ୍ ପଠାଣିସାମନ୍ତଙ୍କ ସ୍ମୃତିରକ୍ଷା ଉଦେ୍ଦଶ୍ୟରେ ଜନ୍ମମାଟି ଖଣ୍ଡପଡ଼ାରେ ୧୯୬୪ ମସିହାରେ ସାମନ୍ତ ଚନ୍ଦ୍ରଶେଖର ସରକାରୀ ମୁଦ୍ରଣାଳୟଟି ସ୍ଥାପିତ ହୋଇଥିଲା । ସ୍ଥାନୀୟ ଡ଼ାକ୍ତରଖାନା ଛକ ନିକଟସ୍ଥ ନିଜସ୍ୱ ଜାଗାରେ ଏହି ମୁଦ୍ରଣାଳୟଟି ପ୍ରତିଷ୍ଠା ହୋଇଥିଲା । ମାତ୍ର ଏବେ ଏହି ମୁଦ୍ରଣାଳୟଟି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଅଣଦେଖା କରି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
କଟକ ସ୍ଥିତ ମୁଖ୍ୟ ସରକାରୀ ମୁଦ୍ରଣାଳୟ ଅଧିନରେ ଏହି ସାମନ୍ତ ଚନ୍ଦ୍ରଶେଖର ସରକାରୀ ମୁଦ୍ରଣାଳୟଟି କାର୍ଯ୍ୟ କରୁଛି । ଏକଦା ଏଠାରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ବ୍ୟବହୃତ ହେଉଥିବା ସମସ୍ତ ଫାଇଲ୍, ମୂଲ୍ୟବାନ କାଗଜାତ ଓ ନଥିପତ୍ର ଛପାଯାଇ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଉଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ଜଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟାରମ୍ଭ କରିଥିବା ଏହି ମୁଦ୍ରଣାଳୟଟିରେ ପରବର୍ତ୍ତୀ ସମୟରେ ପାଖାପାଖି ୩୫ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ । ଏକଦା ଚଳଚଞ୍ଚଳ ଥିବା ଏହି ସରକାରୀ ମୁଦ୍ରଣାଳୟଟି ଏବେ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ଜଣାପଡ଼ିଛି । ଏଠାରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ କର୍ମଚାରୀମାନେ କାର୍ଯ୍ୟରୁ ଅବସରଗ୍ରହଣ କରିବା ଓ ଅନ୍ୟତ୍ର ବଦଳି ହୋଇଯିବା ପରେ ତାଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଉନାହିଁ । ଫଳରେ ମୁଦ୍ରଣାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ସେହିପରି ମୁଦ୍ରଣାଳୟ ପରିସରରେ ଥିବା ଯନ୍ତ୍ରପାତି ଗୁଡ଼ିକ ସମୟାନୁକ୍ରମେ ପୁରୁଣା ହୋଇଯାଇଥିବା ବେଳେ ଏହାର ପୁନରୁଦ୍ଧାର ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉନଥିବା ଜଣାପଡିଛି । ଏବେ ଡିଜିଟାଲ ଯୁଗରେ ପୁରୁଣା ପଦ୍ଧତିରେ ପୂର୍ବ ପରି ଆଉ ମୁଦ୍ରଣ କାର୍ଯ୍ୟ ହେଉନାହିଁ । ଏବେ ପ୍ରଚଳିତ ଅତ୍ୟାଧୁନିକ ମେସିନ ଯଦି ଏଠାକୁ ଅଣାଯାଇ ପାରନ୍ତା ତାହେଲେ ମୁଦ୍ରଣାଳୟଟି ପୁଣି ଚଳଚଞ୍ଚଳ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଉପରସ୍ଥ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହି ସରକାରୀ ମୁଦ୍ରଣାଳୟଟି ଏବେ ପରିଚୟ ହରାଇବାକୁ ବସିଛି । ମାତ୍ର ୫ଜଣ କର୍ମଚାରୀଙ୍କୁ ନେଇ ମୁଦ୍ରଣାଳୟଟି କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ମୁଦ୍ରଣାଳୟ ପରିସରରୁ ଅନେକ ପୁରୁଣା ମେସିନ୍ ଓ ଯନ୍ତ୍ରପାତି ଉପରସ୍ଥ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାକୁ ନେଇ ଖଣ୍ଡପଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ସ୍ଥାଣୁ ପାଲଟିବାକୁ ଯାଉଥିବା ଏହି ମୁଦ୍ରଣାଳୟଟିର ପୁନରୁଦ୍ଧାର ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ଼ ଜିଲ୍ଲାପାଳ ଓ ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି ।