କାହା ସ୍ୱାର୍ଥରେ ଯାତ୍ରୀ ବିଶ୍ରାମ ଗୃହଟି ଭାଙ୍ଗି ବ୍ୟବସାୟିକ କେନ୍ଦ୍ର?

 ତାଳଚେର : ତାଳଚେର ପୌରପରିଷଦ ପକ୍ଷରୁ ଯାତ୍ରୀଙ୍କ ସୁବିଧା ନେଇ ବହୁବର୍ଷ ପୂର୍ବରୁ ସ୍ଥାନୀୟ ହାଟତୋଟା ଠାରେ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଯାଇଥିଲା । ଏହି ଯାତ୍ରୀ ବିଶ୍ରାମ ଗୃହରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ, କଲେଜ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ବସ୍କୁ ଅପେକ୍ଷା କରି ରହିଥାନ୍ତି ।  ସେହି ଯାତ୍ରୀ ବିଶ୍ରାମ ଗୃହଟି ସବୁବେଳେ ଚଳଚଞ୍ଚଳ ହୋଇ ରହିଥିଲା । ମାତ୍ର ପୌରପରିଷଦକୁ କ’ଣ ଏତେ ଅଭାବ ପଡ଼ିଲା ଯେ, ଉକ୍ତ ବିଶ୍ରାମ ଗୃହକୁ ଭାଙ୍ଗି ସେହି ସ୍ଥାନରେ ଦୁଇ ଦୁଇଟି ଦୋକାନ ଗୃହ ନିର୍ମାଣ କରାଇ ନିର୍ଦ୍ଧିଷ୍ଟ ବ୍ୟବସାୟୀଙ୍କୁ କିପରି ପ୍ରଦାନ କରି ଦିଆଗଲା । ବିଗତବର୍ଷରେ ସେହି ବିଶ୍ରାମ ଗୃହରେ ଲକ୍ଷ୍ମୀ ପୂଜା ବ୍ୟବସାୟୀମାନେ କରିଥାନ୍ତି । ପୂର୍ବତନ ନଗରପାଳ ସ୍ୱର୍ଗତ ରବି ନାହାକ ଯାତ୍ରୀମାନଙ୍କ ସୁବିଧା ପାଇଁ ଓ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନେଇ ଏହି ଗୃହଟିକୁ ନିର୍ମାଣ କରାଇଥିଲେ । ବେଶ କିଛି ବର୍ଷ ଏହି ଯାତ୍ରୀବିଶ୍ରାମ ଗୃହଟିରେ ଯାତ୍ରୀମାନେ ବସ୍ ଓ ବିଭିନ୍ନ ଯାତ୍ରୀବାହୀ ଗାଡ଼ି ମଟରରେ ଯିବା ଆସିବା ନେଇ ଅପେକ୍ଷା କରି ରହିଥାନ୍ତି । ସେହି ବସ୍ଷ୍ଟପେଜ ସମ୍ମୁଖରେ ରହିଥିବା ବୁଢ଼ା ନିମ ବୃକ୍ଷ ହିଁ ଏହାର ମୂଳସାକ୍ଷୀ ରହିଛି । ତେବେ ଏହି ଗୃହଟି ବ୍ୟବସାୟିକ କେନ୍ଦ୍ର ହୋଇଯିବା ପରେ ବର୍ତ୍ତମାନ କାନ୍ଦୁଛନ୍ତି ଯାତ୍ରୀ, ଏହାକୁ ବାରମ୍ବାର କିଣାବିକା କରି ହସୁଛି ପୌରପରିଷଦ ବୋଲି ସେଠିକାର ଅଞ୍ଚଳବାସୀ ଏହା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୌରଅଧିକାରୀକୁ ପଚାରିବାରୁ ସେ କୁହନ୍ତି ମୁଁ ଅବଗତ ନୁହେଁ ଆରଟିଆଇରେ ଆପଣ ତଥ୍ୟ ମାଗନ୍ତୁ । ତେଣୁ ତୁରନ୍ତ ଯାତ୍ରୀ ଓ କଲେଜ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ତାଳଚେର ଉପଜିଲ୍ଲାପାଳ ସମୀର ଜେନା ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।