ପରିବା ମୂଲ୍ୟର ଅହେତୁକ ବୃଦ୍ଧି; ୫ଶହରେ ପୂରୁନି ବ୍ୟାଗ
ପାର୍ବଣ ସାଙ୍ଗକୁ କାର୍ତ୍ତିକ ମାସ । ହିନ୍ଦୁ ଧର୍ମାବଲମ୍ବି ପରିବାର କାର୍ତ୍ତିକ ମାସରେ ଘରେ ଆମିଷ ପ୍ରବେଶକୁ ନିଶେଦ୍ଧ କରିଛନ୍ତି । ସେହି କାରଣରୁ ପନିପରିବାର ଚାହିଦା ବଢିଯାଇଛି । ହେଲେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପରିବାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ପନିପରିବା ଉପରେ ନିର୍ଭର କରୁଥିବା ପରିବାର ରୋଷେଇ ଘରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି । ଚଳିତଥର ବର୍ଷା ଲାଗିରହିବାରୁ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ପନିପରିବା ବ୍ୟବସାୟ ଓ ଉତ୍ପାଦନ ପାଇଁ ଯାଜପୁର ଜିଲାର ବାରବାଟି ଅଞ୍ଚଳ ବେଶ ପ୍ରସିଦ୍ଧିଲାଭ କରିଛି । ହେଲେ ଚଳିତଥର ଏ ଅଞ୍ଚଳରେ ପନିପରିବା ଉତ୍ପାଦନ କମିଥିବା ଯୋଗୁଁ ବ୍ୟବସାୟୀ ମାନେ ବାହାର ଅଞ୍ଚଳରୁ ଚଢା ମୁଲ୍ୟରେ ପନିପରିବା ଆଣି ଏଠାରେ ବିକ୍ରି କରୁଥିବାରୁ ଏହାର ମୂଲ୍ୟ ଅଧିକ ହୋଇଛି । ଖାଉଟି ମାନେ ଉଚ୍ଚା ଦରରେ ପନିପରିବା କିଣିବାକୁ ସକ୍ଷମ ହୋଇପାରୁ ନାହାନ୍ତି । ବିଷେଶ କରି ଧର୍ମଶାଳା ନିର୍ବାଚନ ମଣ୍ଡଳୀ, ବାରବାଟି, ଜାରକା, ଧର୍ମଶାଳା, କାଏମା, ନାକପୋଲ, ନେଉଳପୁର ଆଦି ଛକମାନଙ୍କରେ ପରିବା ମୁଲ୍ୟ ଆକାଶ ଛୁଆଁ ହୋଇଛି । ଧର୍ମଶାଳାର ବିଭିନ୍ନ ବଜାରରେ ଏବେ ବିଲାତି ବାଇଗଣ କେଜି ୫୦, କାକୁଡି ୬୦ଟଙ୍କା, ଗାଜର, କଲରା ୭୦ରୁ ୮୦ଟଙ୍କା ଏପରକି ବାଇଗଣ କେଜି ପ୍ରତି ୮୦ ଟଙ୍କା ଧରିଲାଣି । ସେହିପରି ଜହ୍ନି, ଭେଣ୍ଡି ଓ ଝୁଡ଼ଙ୍ଗ କେଜି ପ୍ରତି ୮୦ ରୁ ୯୦ ଟଙ୍କା ଥିବାବେଳେ ଶାଗ ବିଡା ପ୍ରତି ୧୦ ଟଙ୍କାରେ ବିକ୍ରି ହେଉଛି । କାଙ୍କଡ଼ ଓ କ୍ୟାପଶୀକମ ମୁଲ୍ୟ କେଜି ପ୍ରତି୧୨୦ଟଙ୍କା ରହିଛି । ଫଳରେ ପରିବା କେଜିଏ ନେବା ବଦଳରେ ଗ୍ରାହକ ଅଡେଇ ଶହଗ୍ରାମ ଓ ଅଧ କିଲୋ ନେବାକୁ ପସନ୍ଦ କରୁଛନ୍ତି । କାର୍ତ୍ତିକ ମାସରେ ଆଇଁଷ ଘରେ ପଶୁ ନଥିବା ଯୋଗୁଁ ଗ୍ରାହକମାନେ ପନିପରିବାର ଚାହିଦା ଅଧିକ ରହିଛି । ହେଲେ ପନିପରିବାର ମୂଲ୍ୟ ଏବେ ଆକାଶ ଛୁଅାଁ ରହିଥିବା ବେଳେ ଖାଉଟି ପାଞ୍ଚ ଶହ ଟଙ୍କା ନେଇ ପରିବା ଆଣିବାକୁ ଗଲେ ବ୍ୟାଗ ପୁରୁନଥିବା ଦେଖିବାକୁ ମିଳିଛି । ତେବେ କାର୍ତ୍ତିକମାସ ଚାଲୁଥିବାରୁ ଲୋକେ ଆଇଁଷ ବଦଳରେ ପନିପରିବା ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଉତ୍ପାଦନ କମ ସାଙ୍ଗକୁ ବାହାର ଜିଲାରୁ ଅଧିକ ମୂଲ୍ୟରେ ପରିବା ଆସୁଥିବା ଯୋଗୁଁ ଖୁଚୁରା ବ୍ୟବସାୟୀ ଅଧିକ ମୁଲ୍ୟରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।