ପାଇକ କବିଙ୍କ ୧୧୫ତମ ଜୟନ୍ତୀ
ବାଣପୁର: ଓଡିÿଆ ଭାଷା ସାହିତ୍ୟର ଅନନ୍ୟ ସାଧକ ଏବଂ ସର୍ବଶ୍ରେଷ୍ଠ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ, ସମଗ୍ର ଓଡ଼ିଶାରେ ପାଇକ କବି ଭାବରେ ପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ରାଜ୍ୟସ୍ତରୀୟ ଜୟନ୍ତ୍ରୀ ସମାରୋହ ଜନ୍ମମାଟି ଭୀମପୁରରେ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଭୁବନେଶ୍ୱର ଓ କବିଙ୍କ ନାମରେ ନାମିତ କୃଷ୍ଣଚନ୍ଦ୍ରପାଠାଗାର ଭୀମପୁରଙ୍କ ମିଳିତ ଆନୁକୂଲ୍ୟରେ ବାନାମ୍ବର ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ବିଦ୍ୟାଳୟର ପ୍ରାକ୍ତନପ୍ରଧାନଶିକ୍ଷକ ଆନନ୍ଦଚନ୍ଦ୍ର ସେନାପତି ସଭାପତିତ୍ୱ କରିଥିବା ବେଳେ, ସାହିତି୍ୟକ, ପୂର୍ବତନମନ୍ତ୍ରୀ ଡ. ଦେବେନ୍ଦ୍ରନାଥ ମାନସିଂହ ମୁଖ୍ୟ ଅତିଥି, ଖୋର୍ଦ୍ଧା ପ୍ରାଣନାଥ କଲେଜ ଓଡ଼ିଆଭାଷା ସାହିତ୍ୟ ବିଭାଗର ପୂର୍ବତନ ପ୍ରାଧ୍ୟାପକ ତଥା ଖୋର୍ଦ୍ଧା ସାହିତ୍ୟ ସଂସଦ ସଭାପତି, ଇତିହାସ ଗବେଷକ ଗୋପାଳକୃଷ୍ଣ ଦାସ ମୁଖ୍ୟବକ୍ତା, ଗ୍ରାମୀଣ ମହିଳା କଲେଜ ପ୍ରାକ୍ତନ ଅଧ୍ୟକ୍ଷ ତଥା କୃଷ୍ଣଚନ୍ଦ୍ର ସାହିତ୍ୟ ବିଷାରଦ ଅଧ୍ୟାପକ ସଂଗ୍ରାମକେଶରୀ ସାହୁ, ଗୋଦାବରୀଶ କଲେଜ ଓଡ଼ିଆ ଭାଷା ସାହିତ୍ୟର ପ୍ରାକ୍ତନ ଅଧ୍ୟାପକ ଭାଷାତତ୍ୱବିତ୍ ଡ. ଚାନ୍ଦକିଶୋର ତ୍ରିପାଠୀ ଓ ଚିଲିକା ସାହିତ୍ୟ ସମାଜ ସଭାପତି ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ସମ୍ମାନିତଅତିଥି ଭାବେ ଯୋଗଦେଇ କବିତ୍ରିପାଠୀଙ୍କ ଦ୍ୱାରା ରଚିତ ସମାଜର ଅବହେଳି ନିଷ୍ପତି ସିତଙ୍କ ଶୋଷଣ କଷଣ, ଦୁଃଖ ଯାତନା ଆଧାରିତ ଅଜସ୍ର କବିତାସହ ଖୋର୍ଦ୍ଧାର ବୀରପାଇକ ଜାତିର ଶୌର୍ଯ୍ୟ, ବୀର୍ଯ୍ୟ ପରାକାଷ୍ଠା ଓ ଜନ୍ମଭୂମୀର ସ୍ୱାଧୀନତା ପାଇଁ ବଳିଦାନ ଉପରେ ରଚିତ ସ୍ୱତନ୍ତ୍ରକବିତା ଉପରେ ଆଲୋକପାତ କରି ତାଙ୍କର ସରଳ ସାବଲୀଳ ଜୀବନ ଧର୍ମୀ, ଜାତୀୟତାବାଦୀ କବିତା ସମ୍ଭାର ଯୁଗଯୁଗ ଧରି ଓଡ଼ିଆ ଜାତିକୁ ଦିଗଦର୍ଶନ ଦେଉଥିବ ବୋଲି ବ୍ୟକ୍ତବ୍ୟ ରଖି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କୁ ତାଙ୍କର ସାମଗ୍ରିକ କୃଷ୍ଣଚନ୍ଦ୍ର ସାହିତ୍ୟ ଉପରେ ଉଚ୍ଚକୋଟୀର ଦୀକ୍ଷାନ୍ତ ଗବେଷଣା ନିମନ୍ତେ "କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସ୍ମାରକୀ ସମ୍ମାନ"ରେ ସମ୍ମାନିତ କରାଯାଇଥିଲା ।ପାଠାଗାର ତରଫରୁ କୃଷ୍ଣଚନ୍ଦ୍ର ଜୀବନୀ ଓ ସାହିତ୍ୟ ଉପରେ ଅନୁଷ୍ଠିତ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟସ୍ଥରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ସହ ପୁରଷ୍କାର ପ୍ରଦାନ କରାଯାଇଥିଲା । ଯୁଗ୍ମ ସଂପାଦକ ଅଶୋକ ନନ୍ଦ, ଅଧ୍ୟାପକ ଜ୍ୟୋତିର୍ମୟ ତ୍ରିପାଠୀ, ଉପଦେଷ୍ଟା ବୈରାଗୀ ଚରଣ ବେହେରା ଓ ଆମବିଦ୍ୟାଳୟ ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ଆୟୋଜିତ ଏହି ସମାରୋହରେ ପାଠାଗାରର ସମ୍ପାଦକ ମଧୁସୂଦନନନ୍ଦ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିବାବେଳେ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।