ବର୍ଷାରେ ଧାନ ଫସଲ ନଷ୍ଟ
ନୂଆପଡ଼ା: ଚଳିତ ଲଘୁଚାପ ବର୍ଷା ଭାଙ୍ଗି ଦେଇଛି ଚାଷୀର ସବୁ ସ୍ୱପ୍ନ । ଅନେକ ଆଶା ନେଇ ସେ ଚାଷ କରିଥିଲା, ସେଥିପାଇଁ ଧାର କରଜ କରିବାକୁ ପଡ଼ିଥିଲା । ଆଶା ଥିଲା ଅମଳ ପରେ ଧାନ ବିକି ଦୁଇ ପଇସା ପାଇବ ଓ ଧାର କରଜ ଶୁଝିବା ସହ ପରିବାର ଚଳାଇବ । ହେଲେ ଏହି ବର୍ଷା ତାକୁ ନିରାଶ କରି ପକାଇଛି । ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ ଅନ୍ତର୍ଗତ ଡମଝର ଗ୍ରାମର ଅନେକ ଚାଷୀଙ୍କ ଧାନ କଟା ହୋଇ ବିଲରେ ପଡ଼ି ରହିଛି । ବିଲରେ ପାଣି ଜମି ଥିବାରୁ କଟା ହୋଇଥିବା ଧାନକୁ ଖଳାକୁ ଆଣି ପାରୁନାହାନ୍ତି ଚାଷୀ । ବିଲରେ ଧାନ ଗଜା ହେବାର ସମ୍ଭାବନା ରହିଛି । ଏମିତି ହେଲେ ବିକ୍ରି ଯିବ ନାହିଁ, ବିକ୍ରି ହେଲେ କଟନି ଛଟନି ହେବ । ସରକାର ଏନେଇ ବିଚାର କରିବାକୁ ଦାବି ହେଉଛି । ଗାଁର ଅନୁସୟା ବେହେରାଙ୍କ ମୁଣ୍ଡରେ ଏବେ ଚିନ୍ତାର ବାଦଲ । ତାଙ୍କ ସ୍ୱାମୀ ରୋଗଗ୍ରସ୍ତ । ସ୍ୱାମୀଙ୍କୁ ଅପରେସନ କରିବାକୁ ପଡ଼ିଲା । ଏଣୁ ସେ ହସ୍ପିଟାଲରେ ଥିଲେ । ଘରକୁ ଫେରିବା ପରେ ଧାନ କାଟିଲେ, କିନ୍ତୁ ବର୍ଷା ତାଙ୍କୁ ଧୋକା ଦେଲା । ତାଙ୍କ ପୁଅଝିଅକୁ କେମିତି ପୋଷିବେ ସେହି ଚିନ୍ତାରେ ଆଖିରେ ନିଦ ନାହିଁ । ଏପଟେ ପ୍ରଶାସନିକ ଅଧିକାରୀଙ୍କ ଦେଖାନାହିଁ । ପ୍ରଶାସନ କ୍ଷୟକ୍ଷତି ଆକଳନ କରି ସହଯୋଗ କରିବାକୁ ଚାଷୀଙ୍କ ସହ ଡମଝର ସରପଞ୍ଚ ସଦାନନ୍ଦ ବେହେରା ଦାବି କରିଛନ୍ତି । ଏ ନେଇ କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ ବେଉରାଙ୍କୁ ପଚାରିବାରୁ କୃଷି କର୍ମଚାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ କୁହାଯାଇଛି । ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେଲେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।