ପାଇପ୍ ପାଣି କେତେ ସୁରକ୍ଷିତ?
ଯାଜପୁର ସଦର: ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଜପୁର ସହରରେ ଘରେଘରେ ପାଇପ୍ ଯୋଗେ ପିଇବା ପାଣି ଯୋଗାଉଛି । କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଉଥିବା ପାଣି କେତେ ସୁରକ୍ଷିତ ତାହା ହିଁ ସାଧାରଣ ଜନତାଙ୍କ ମନକୁ ଆସିଛି । ପାଣିର ମାନ କେତେ ରହିଛି, କେତେ ରହିବା କଥା, ପିଇବା ଉପଯୋଗି କି ନୁହଁ କେବେ ଯାଞ୍ଚ କରିଛନ୍ତି କି ବିଭାଗ । ଯାହା ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ କୌଣସି ଦୁର୍ବିପାକ ଆସିଲେ ବିନା ଯାଞ୍ଚରେ ପ୍ରବଳ ମାତ୍ରାରେ ବ୍ଲିଚିଙ୍ଗ ପାଉଡର ବିଭାଗ ପକ୍ଷରୁ ମିଶ୍ରିତ ହେଉଥାଏ ପାଣି ଟାଙ୍କିରେ । ସେହି ଟାଙ୍କିର ମିଶ୍ରଣ ପାଣି ପାଇପ ପାଣି ମାଧ୍ୟମରେ ସହର ବାସୀଙ୍କୁ ପିଇବା ପାଇଁ ଦିଆଯାଇଥାଏ । ଏଠାରେ ପ୍ରଶ୍ନ ଉଠୁଛି, ଏହା ପିଇବା ପାଇଁ କେତେ ସୁରକ୍ଷିତ, ତାହା ଏବେ ସହର ବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସକାଳୁ ପାଣି ଟ୍ୟାବ୍ ଖୋଲି ଦେଲେ ବିଭିନ୍ନ ପ୍ରକାରର ହଳଦିଆ ରଙ୍ଗର ଛେଦେରା ଛେଦେରା ବ୍ଲିଚିଙ୍ଗ ମିଶ୍ରିତ ତିକ୍ତ ପାଣି ଆସୁଥିବା ସହରବାସୀଙ୍କୁ କଳବଳ କଲାଣି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।