ପାଟିରେ ବାଜୁନି ନଈ ଇଲିସିର ସ୍ୱାଦ 


ବରୀ : ଇଲିସି ମାଛର ସ୍ୱାଦ ଅତି ନିଆରା । ହେଲେ ଏବେ ଆଉ ପାଟିରେ ନଈ ଇଲିସିର ସ୍ୱାଦ ବାଜୁନାହିଁ । ବରୀ ଅଞ୍ଚଳ ଦେଇ ପ୍ରଭାହିତ ବିଭିନ୍ନ ନଦୀ ମଧ୍ୟରେ ବ୍ରାହ୍ମଣୀ, ବିରୂପା, ଖରସ୍ରୋତା ଓ ତାହାର ଶାଖାନଦୀ ତନ୍ତଘାଇ ପ୍ରଭୃତି ପ୍ରବାହିତ ହେଉଛନ୍ତି । ମୁଖତଃ ଭ୍ରାଦବ ଏବଂ ଆଶ୍ୱିନ ମାସରେ ଏସବୁ ନଦୀରେ ସମଦ୍ରର ଲୁଣି ପାଣିରୁ ମଧୁର ପାଣିକୁ ଇଲିସି ମାଛ ସବୁ ଉଠିଥାନ୍ତି । ଯେହେତୁ ଇଲିସି ମାଛର ବହୁତ ଚାହିଦା ରହିଥାଏ ସେଥିଲାଗି ନଦୀକୁଳିଆ ଲୋକମାନେ ଏହି ଇଲିସି ମଳିବାକୁ ଅପେକ୍ଷା କରି ରହିଥାନ୍ତି । ଏସବୁ ମାଛ ଧରିବାକୁ ମତ୍ସଜୀବିମାନେ ସ୍ୱତନ୍ତ୍ର ଜାଲ ବସାଇ ନଦୀରୁ ଇଲିସି ଧରିଥାନ୍ତି । ଗତ ୫ବର୍ଷରୁ ଉର୍ଦ୍ଧ୍ୱ ହେବ ନଦୀରେ ଇଲିସି ଆଉ ମତ୍ସଜୀବିମାନେ ଧରୁନଥିବା ବେଳେ କାଁ ଭାଁ କେଉଁଠି ମିଳିୁଛି ଯେ ସେ ଇଲିସି ଦର ପୁଣି ଆକାଶ ଛୁଅାଁ । ମୁଖ୍ୟତଃ ବିରୂପା ନଈରେ କାଁ ଭାଁ ବେଳେ ବେଳେ ଇଲିସି ମାଛ ପଡୁଛି । ଆଗରୁ କିନ୍ତୁ ନଈ ମାନଙ୍କରେ ବହୁତ ମାତ୍ରାରେ ଏହି ଇଲିସି ମାଛ ପଡୁଥିବା ବେଳେ ଏବେ ଦେଖିବା ସ୍ୱପ୍ନ ପାଲଟିଲାଣି । ବୋଦୁଅ ଗ୍ରାମର ମତ୍ସଜୀବି ସୁଶାନ୍ତ ମଲ୍ଲିକ କୁହନ୍ତି ଲୁଣି ପାଣିରୁ ତଳୁ ମଧୁର ପାଣିକୁ ଇଲିସି ଉଠିଉଠି ଆସନ୍ତି । ହେଲେ ନଈର ତଳ ମୁଣ୍ଡରେ ବଡ଼ ବଡ଼ ଜାଲ ବସାଯାଉଥିବାରୁ ଏସବୁ ଇଲିସି ଉପରକୁ ଉଠି ଆସି ପାରୁନାହାଁନ୍ତି । ବର୍ତମାନ ମାର୍କେଟରେ ସମୁଦ୍ର ଇଲିସି ମିଳୁଥିଲେ ମଧ୍ୟ ନଈ ଇଲିସିର ଚାହିଦା ବହୁତ୍ ।